ଭଦ୍ରକ, ୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସାଳନ୍ଦୀ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାଧ୍ୟାପିକା ମିନତୀ ରାଉତଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଶାନ୍ତିଶୃଙ୍ଖଳା ଏବଂ କୋଭିଡ ନିୟମାବଳୀ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସୁଶ୍ରୀ ରାଉତ ୧୯୮୯ ମସିହା ଜାନୁଆରୀ ମାସ ଅଧ୍ୟାପନା କାର୍ଯ୍ୟରେ ଯୋଗଦାନ କରି ୩୧ ମାର୍ଚ୍ଚ ୨୦୨୧ରେ ଅବସର ଗ୍ରହଣ କଲେ । ଏହି ସଭାରେ ଯୁକ୍ତ ଦୁଇର ଭାରପ୍ରାପ୍ତ ଅଧ୍ୟକ୍ଷ ବିଜୟ କୁମାର ଦାସ ସଭାପତିତ୍ୱ କରିବା ସହ ଯୁକ୍ତ ତିନି ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ରୂପରେ ଯୋଗଦାନ କରିଥିଲେ । ବରିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ମଧ୍ୟରେ ସଚ୍ଚିଦାନନ୍ଦ ପାଣିଗ୍ରାହୀ,ଶୁଭାଶିଷ ଭଟ୍ଟାଚାର୍ଯ୍ୟ,ଅଶିତ କୁମାର ସାମଲ,ସୁବାସ ଚନ୍ଦ୍ର ସାମଲ,ଜି.କେ.ଆର ଖାନ,ଅଚ୍ୟୁନାନନ୍ଦ ନାୟକ,ଲିପିପୁଷ୍ପା ନାୟକ,ସବିନା ଅଖିତର ଜ୍ୟୋତିଶ୍ରୀ ଖୁଣ୍ଟିଆ,କାବେରୀ ଜେନା,ଦେବେନ୍ଦ୍ର ସାହୁ,ଶ୍ରୁତି ରଞ୍ଜନ ସ୍ୱାଇଁ ପ୍ରମୁଖ ଉକ୍ତ ସଭାରେ ସୁଶ୍ରୀ ମିନତୀ ରାଉତଙ୍କ ସହ ସେମାନଙ୍କର ଅନୁଭୂତିକୁ ବର୍ଣ୍ଣନା କରି ପରିବେଶକୁ ଭାବବିହ୍ୱଳ କରିଥିଲେ । ସଭାଶେଷରେ ସୁଶ୍ରୀ ରାଉତଙ୍କୁ ମାନପତ୍ର ଏବଂ ଉପହାରରେ ସମ୍ମାନିତ କରାଯାଇଥିଲା । ପରିଶେଷରେ ରବୀନ୍ଦ୍ର କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।