ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକରେ ଭାରତ ବନ୍ଦ ଡାକରା ଏକ ପ୍ରକାର ସଫଳ ହୋଇଛି । ଜିଏସ୍ଟି, ବର୍ଦ୍ଧିତ ତୈଳଦର ଏବଂ କି-ୱେ ବିଲ୍ ଭଳି ଏକାଧିକ ପ୍ରସଙ୍ଗକୁ ନେଇ ଭାରତୀୟ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଏହି ବନ୍ଦର ଡାକରା ଦିଆଯାଇଥିଲା । ଏହି ଡାକରାକୁ ସମର୍ଥନ ଜଣାଇଥିଲେ ବିଭିନ୍ନ ବ୍ୟବସାୟୀ ମହାସଂଘ । ଦେଶର ପ୍ରାୟ ୪୦ ହଜର ଟ୍ରେଡ୍ ଆସୋସିଏସନ୍ ଏହି ବନ୍ଦକୁ ସମର୍ଥନ ଜଣାଇଥିଲେ । ଆଜି ପ୍ରାୟ ୨୦ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିବାବେଳେ ଓଡ଼ିଶାରେ ବିଭିନ୍ନ ଜିଲାରେ ବନ୍ଦର ପ୍ରଭାବ ପକାଇଛି । ଭଦ୍ରକ ଜିଲାରେ ଏହି ବନ୍ଦର ପ୍ରଭାବ ସଫଳ ହୋଇଥିବାର ଜଣାପଡିଛି । ସର୍ବଭାରତୀୟ ବ୍ୟବସାୟ ମହାସଂଘ ପକ୍ଷରୁ ଡାକରା ଦିଆଯାଇଥିବା ଭାରତ ବନ୍ଦ ପ୍ରଭାବ ଭଦ୍ରକରେ ବେଶ୍ ବାରି ହୋଇପଡିଥିଲା । ତେବେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲା ରହିବା ସହିତ ଯାନବାହନ ଚଳାଚଳ ମଧ୍ୟ ସ୍ୱାଭାବିକ ରହିଥିଲା । ତେବେ ବସ୍ ଚଳାଚଳ ବନ୍ଦ ରହିଥିବାବେଳେ ୧୬ ନଂ ଜାତୀୟ ରାଜପଥରେ କିଛି ଯାନବାହନକୁ ଛାଡିଦେଲେ ତାହା ଖାଁ ଖାଁ ଜଣାପଡୁଥିଲା । ତେବେ ଆଜି ବ୍ୟାଙ୍କ, ହସ୍ପିଟାଲ ଖୋଲା ରହିଥିବାବେଳେ ଭଦ୍ରକର ମୁଖ୍ୟ ସ୍ଥାନଗୁଡିକରେ ପୁଲିସ୍ ପ୍ରଶାସନର ପ୍ରହରା ଦେଖିବାକୁ ମିଳିଥିଲା ।