ଭଦ୍ରକ, ୨୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଟି କୋଟି ଟଙ୍କାର ଟେଣ୍ଡର ଏବେ ଧର୍ମଗୋଳାରେ ଫଇସଲା ହୋଇ ଜୁଆଖେଳ ଭଳି କାମ ହେଉଛି । ଲେସ୍ ଟେଣ୍ଡର ପକାଇ ଠିକାଦାରୀ ହାତକୁ ନେଇ ଜିଲାରେ ଚାଲିଛି ଉନ୍ନୟନ ମୂଳକ କାମ । ଏହି କାମ କେତେ ମଜବୁତ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଭିନ୍ନ ସରକାରୀ କୋଠା ଟେଣ୍ଡର ହାତକୁ ନେବାପାଇଁ ୧୫ ପ୍ରତିଶତ ଲେସ୍ରେ ଟେଣ୍ଡର ପାଇଁ ୩୫ ପ୍ରତିଶତ ଲେସ୍ ଟେଣ୍ଡର ହାତକୁ ନିଆଯାଇଛି । ସେହିପରି ମାଟି କାମରେ ୨୨ ପ୍ରତିଶତ ଏବଂ ପାନୀୟ ଜଳ ଯୋଗାଣ ପାଇଁ ପାଇପ୍ ବିଛା ଯାଉଥିବା ଓ ମାଟି ଖୋଳା କାମ ପାଇଁ ୧୮ ରୁ ୨୪ ପ୍ରତିଶତ ଲେସ୍ରେ ଟେଣ୍ଡର ପକାଯାଉଛି । ଏହି ଠିକାଦାରୀ ଏକ ଜୁଆଖେଳରେ ପରିଣତ ହେଲଶାଣି । ସରକାରଙ୍କ ନିର୍ଦ୍ଦେଶ କୌଣସି ଟେଣ୍ଡର ୧୫ ପ୍ରତିଶତ ତଳକୁ ପକାଯାଇପାରିବ ନାହିଁ । କିନ୍ତୁ ତାକୁ ମାନୁଛି କିଏ! ଅନ୍ୟପକ୍ଷରେ ଠିକାଦାରମାନେ ଆହୁରି ଚତୁରତା ପୂର୍ବକ ସରକାରଙ୍କୁ ଚକମା ଦେବା ପାଇଁ ୧୪.୯୯ ପ୍ରତିଶତରେ ଟେଣ୍ଡର ପକାଉଛନ୍ତି । ଫଳରେ ଅଧିକାଂଶ ଠିକାଦାରଙ୍କ ଟେଣ୍ଡର ଡାକ ମୂଲ୍ୟ ସମାନ ହୋଇଯିବାରୁ ଅଧିକାରୀ ଅଡୁଆରେ ପଡିଯାଇଛନ୍ତି । ଏପରି ସ୍ଥଳରେ ପକାଇଥିବା ଟେଣ୍ଡରଧାରୀଙ୍କ ମଧ୍ୟରେ ନେଗୋସିଏସନ୍ ହେଉଛି ତ ଆଉ କେଉଁଠି ବାଟ ନପାଇ ଅଧିକାରୀ ଧର୍ମଗୋଳାରେ ଟେଣ୍ଡର ଫଇସଲା କରୁଛନ୍ତି । ଧର୍ମଗୋଳା ଠିକାଦାରୀ ଦ୍ୱାରା କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ସରକାରୀ କୋଠା ଫାଟୁ ତ ରହୁ, କେବେବି ଚିନ୍ତା ବି କରୁନାହାଁନ୍ତି । ତିହିଡି, ବାସୁଦେବପୁର, ଧାମନଗର, ଧାମରା, ଚାନ୍ଦବାଲି ଅଂଚଳରେ ରାସ୍ତାଘାଟ, କୋଠାବାଡି ଏପରିକି ଶୌଚାଳୟ ନିର୍ମାଣ ଲେସ୍ ଟେଣ୍ଡରରେ ନିମ୍ନମାନରେ କାମ ଚାଲିଛି । ପୂର୍ବରୁ ତିହିଡି ଡାକ୍ତରଖାନା ପାଇଁ ୫୦ ଲକ୍ଷ ଟଙ୍କା ଓ ୨୨ ଲକ୍ଷ ଟଙ୍କାର ୨ଟି ଟେଣ୍ଡର ୧୪.୯୯ ପ୍ରତିଶତରେ ଡକାଯାଇ କାମ ହେଲା ।
ରୋଗୀ ଚିକିତ୍ସିତ ହେବାକୁ ଥିବା କୋଠା ନିର୍ମାଣର ୩ ମାସ ନଯାଉଣୁ କୋଠାରେ ଫାଟ ସୃଷ୍ଟି ହେଲା । ଡାକ୍ତର ରୋଗୀ ଦେଖିବା ଜାଗାରେ ଛାତରୁ ପାଣି ବୋହିଲା ତଥାପି ପ୍ରଶାସନ ଚୁପ୍ । ଲେସ୍ ଟେଣ୍ଡର ଯୋଗୁଁ ଏହା ହେଉଛି ବୋଲି ପ୍ରତିବାଦ ହେଲେ ମଧ୍ୟ ଅଧିକାରୀ ଶୁଣୁନାହାଁନ୍ତି । ଏବେ ମଧ୍ୟ ବିଭିନ୍ନ ସରକାରୀ ଦପ୍ତର ନିର୍ମାଣରେ ଏହିସବୁ ଅଂଚଳରେ ଚିମିନି ଇଟା ବଦଳରେ ନିମ୍ନମାନର ସ୍ଥାନୀୟ ଇଟା ଲଗାଇ ଏହି କୋଠା ତିଆରି କରିବା ଯୋଗୁଁ ଏହି ସମସ୍ୟା ସୃଷ୍ଟି ହେଉଛି । କେବଳ ଡାକ୍ତରଖାନା ନୁହଁ, ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଗୃହ ନିର୍ମାଣ ବେଳେ ବି ଲେସ୍ ଟେଣ୍ଡର କାମ ଚାଲିଛି । ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ରାମ୍ସା ଯୋଜନାରେ ନିର୍ମାଣ ହେଉଥିବା କୋଠା ୧୨ ପ୍ରତିଶତ ଲେସ୍ରେ ଟେଣ୍ଡର ଧରି ଠିକାଦାର କାର୍ଯ୍ୟ କଲେ । ୫୦ ଲକ୍ଷ ଟଙ୍କାର କୋଠା ପାଇଁ ୧୫ ପ୍ରତିଶତ ଲେସ୍ ଟେଣ୍ଡର ଧରି କି ମା କୋଠାରେ ହେଉଥିବା ତାହାର ତଦନ୍ତ ହେବା ଜରୁରୀ ବୋଲି ଦାବି ହୋଇଛି । ଖାଲି ସେତିକି ନୁହେଁ ସରକାରଙ୍କ ଟିକସ ଫାଙ୍କିବା ପାଇଁ ପୁରୁଣା ଠିକାଦାରମାନେ ନିଜ ଘରର ଚାକର, ମୂଲିଆ ଏପରିକି ବେକାର ହୋଇ ବୁଲୁଥିବା ଅନୁସୂଚିତ ଜାତି ବର୍ଗର ଯୁବକଙ୍କୁ ଧରି ତାଙ୍କ ନାମରେ ଠିକାଦାରୀ ଲାଇସେନ୍ସ ବାହାର କରିଛନ୍ତି । କାରଣ ଅନୁସୂଚିତ ଜାତି ବର୍ଗର ଲାଇସେନ୍ସରେ ବେଶି ଫାଇଦା । ଏହି ମର୍ମରେ ତିହିଡି ଓ ଚାନ୍ଦବାଲି ବ୍ଲକ୍ରେ ପୁରୁଣା ଠିକାଦାର ନିଜ ଘରର ଡ୍ରାଇଭର ଓ ବୋଲହାକ କରୁଥିବା ଯୁବକଙ୍କ ନାଁରେ ଲାଇସେନ୍ସ କରି ଏହି ଟେଣ୍ଡର ହାତେଇ ନିମ୍ନମାନର କାମ କରିବାକୁ ପଛାଉ ନାହାଁନ୍ତି ।