ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସହୀଦ ଭଗତ ସେନା ଓ ଅବସରପ୍ରାପ୍ତ ସୈନିକ ସଂଘର ମିଳିତ ଆନୁକୂଲ୍ୟରେ ଆଜି ପୁଲୱାମାର ସହୀଦମାନଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ନୂଆବଜାରସ୍ଥିତ ଶିବମନ୍ଦିର ପରିସରରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଭଗତ ସେନାର ଆବାହକ ସୀତାଂଶୁ ମହାପାତ୍ର ଓ ଅବସରପ୍ରାପ୍ତ ସୈନିକ ସଂଘର ସଭାପତି ରୋହିତ ରାୟ ସହୀଦ ଭଗତ ସିଂଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ସଭାର ଶୁଭ ଉଦ୍ଘାଟନ କରିଥିଲେ । ଏହାପରେ ଶ୍ରୀ ମହାପାତ୍ର ପୁଲୱାମାର ସହୀଦମାନଙ୍କ ଉଦ୍ଦେଶ୍ୟର ନିଜ ବକ୍ତବ୍ୟ ରଖି ଆମ୍ଭମାନଙ୍କୁ ସୁରକ୍ଷା ଦେବାକୁ ଯାଇ ଶତ୍ରୁ ସୈନ୍ୟଙ୍କୁ ନିପାତ କରି ଭାରତମାତାର ଯେଉଁ ବୀର ସୈନିକ ମାନେ ପ୍ରାଣବଳି ଦେଇଛନ୍ତି, ସେମାନଙ୍କ ତ୍ୟାଗ ଓ ଆଦର୍ଶକୁ ଆଜିର ଯୁବପିଢି ପାଥେୟ କରିବା ଉଚିତ୍ ବୋଲି କହିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଭଗତ ସେନାର ବହୁ ଯୁବକ ଓ ଅବସରପ୍ରାପ୍ତ ସୈନିକ ସଂଘର କର୍ମକର୍ତ୍ତାମାନେ ମହମବତୀ ଜାଳି ସହୀଦମାନଙ୍କ ଉଦ୍ଦେଶ୍ୟରେ ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।