Home ଜିଲ୍ଲା ପରିକ୍ରମା ପୁଣି ପୁରୁଣାବଜାରରେ ନକଲି ଜର୍ଦ୍ଦା ଜବତ, ଅଭିଯୁକ୍ତ ଫେରାର

ପୁଣି ପୁରୁଣାବଜାରରେ ନକଲି ଜର୍ଦ୍ଦା ଜବତ, ଅଭିଯୁକ୍ତ ଫେରାର

17

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣାବଜାର ଥାନା ଅଂଚଳରୁ ପୁଣି ଜବତ ହୋଇଛି ବିପୁଳ ପରିମାଣର ନକଲି ଜର୍ଦ୍ଦା, ଲକ୍ଷାଧିକ ଟଙ୍କାର ସାମଗ୍ରୀ, ଯନ୍ତ୍ର୍ରାଂଶ ଓ ନାମୀଦାମୀ କଂପାନୀର ଲୋଗୋ । ତେବେ ଅଭିଯୁକ୍ତମାନେ ଚମ୍ପଟ ମାରିବା ଘଟଣା ପୁଲିସ୍‌ର ଅପରାଗତାକୁ ପଦାରେ ପକାଇଛି । ପ୍ରାପ୍ତ ଖବର ମୂଳେ ଗତକାଲି ରାତିରେ କୌଣସି ସୂତ୍ରରୁ ଖବର ପାଇ ପୁରୁଣାବଜାର ଥାନା ପୁଲିସ୍ ଛଡାକମହଲା ଅଂଚଳର ଏକ ଘରେ ଚଢାଉ କରିଥିଲା । ଚଢାଉ ବେଳେ ଉକ୍ତ ଘରୁ ବହୁ ନାମୀଦାମୀ କଂପାନୀର ନକଲି ଜର୍ଦ୍ଦା, ଲୋଗୋ, ଯନ୍ତ୍ରାଂଶ ସହ ଏଥିରେ ବ୍ୟବହୃତ ବହୁ ସାମଗ୍ରୀକୁ ଜବତ କରିଥିଲା । କିନ୍ତୁ ଏହି ନକଲି ଜର୍ଦ୍ଦା କାରବାର ପଛରେ ଥିବା ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ୍ ବିଫଳ ହୋଇଥିଲା । ଏଠାରେ ସୂଚନାଯୋଗ୍ୟ ପୁରୁଣାବଜାର ଥାନା ଅଂଚଳ ଏବେ ନକଲି ଜର୍ଦ୍ଦା ମାଫିଆଙ୍କ ହବ୍ ପାଲଟିଯାଇଛି । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଏହି ଜର୍ଦ୍ଦାର କାରବାର ହେଉଛି । କିନ୍ତୁ ପୁଲିସ୍ ଲୋକ ଦେଖାଣିଆ କିଛି ଅଭିଯୁକ୍ତଙ୍କୁ ଧରି ବାହାବା ନେଉଛି । କିନ୍ତୁ ମୁଖ୍ୟ ଅପରାଧୀମାନେ ପୁଲିସ୍‌କୁ ଚକମା ଦେବାରେ ସଫଳ ହୋଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠେ ଏହି ଥାନା ଅଂଚଳରେ ନକଲି ଜର୍ଦ୍ଦା କାରବାର ଏକ କୁଟୀର ଶିଳ୍ପରେ ପରିଣତ ହୋଇଥିବାବେଳେ ପୁଲିସ୍ କିଭଳି ଜାଣିପାରୁନାହିଁ । ସ୍ଥାନୀୟ ଅଂଚଳର ବହୁ ବୁଦ୍ଧିଜୀବୀଙ୍କ କହିବାନୁସାରେ ଏହି ଜର୍ଦ୍ଦା ମାଫିଆଙ୍କ ସହ ପୁଲିସ୍‌ର ଭିତିରିଆ ସଂପର୍କ ରହୁଛି । ଫଳରେ ପୁଲିସ୍‌ର ବାହୁଛାୟା ତଳେ ଏହି ବେପାରୀମାନେ ସେମାନଙ୍କର ଉକ୍ତ ବ୍ୟବସାୟକୁ ବେଶ୍ ସୁବିଧାରେ ଚଳାଇଆସୁଥିବାବେଳେ କଦବା କେମିତି ଟଙ୍କା ନେଣଦେଣରେ କମ୍ ବେଶି ହେବାକୁ ନେଇ ପୁଲିସ୍ ଲୋକ ଦେଖାଣିଆ ସେହି ଜର୍ଦ୍ଦା କାରଖାନା ଉପରେ ନାମକୁ ମାତ୍ର ଚଢାଉ କରୁଛି । ଏଣୁ ଏ ଦିଗରେ ଜିଲା ପୁଲିସ୍ ପ୍ରଶାସନର ମୁଖ୍ୟ ଓ ଜିଲା ପ୍ରଶାସନ ତାଗିଦ ନକଲେ, ଭଦ୍ରକ ଜିଲା ଏହି ଜର୍ଦ୍ଦା ମାଫିଆଙ୍କ ଭୂସର୍ଗରେ ପରିଣତ ହେବାକୁ ହାତଗଣତିରେ କେଇଟା ଦିନ ଲାଗିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.