Home ଜିଲ୍ଲା ପରିକ୍ରମା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପୁଣି ଭିଡ, ବଢ଼ୁଛି ଆବେଦନକାରୀଙ୍କ ସଂଖ୍ୟା, ସ୍ଳଟ୍ ବୁକିଂକୁ ନେଇ...

ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପୁଣି ଭିଡ, ବଢ଼ୁଛି ଆବେଦନକାରୀଙ୍କ ସଂଖ୍ୟା, ସ୍ଳଟ୍ ବୁକିଂକୁ ନେଇ ଅସନ୍ତୋଷ

41

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲକଡାଉନ୍ କଟକଣା କୋହଳ ହେବା ପରେ ପୁଣି ଏବେ ଭଦ୍ରକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ)ରେ ଭିଡ଼ ଆରମ୍ଭ ହୋଇ ଯାଇଛି । ନୂତନ ମୋଟର ଯାନ ଆଇନ କଡକଡି ଭାବରେ ପାଳନ ହେବାକୁ ନିଷ୍ପତ୍ତି ହୋଇଥିବାରୁ, ଲର୍ଣ୍ଣିଂ ଓ ଡ଼୍ରାଇଭିଂ ଲାଇସେନ୍ସ ଆବଦେନକାରୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ସେହିପରି ଗାଡ଼ି ଫିଟନେସ, ସମୟ ଅତିବାହିତ ଗାଡ଼ିମାନଙ୍କର ପଞ୍ଜିକରଣର ନବୀକରଣ ପାଇଁ ଏହି କାର୍ଯ୍ୟାଳୟରେ ବହୁ ବ୍ୟକ୍ତିବିଶେଷ ଭିଡ଼ ଜମାଉଛନ୍ତି । କିନ୍ତୁ କୋଭିଡ କଟକଣା ପାଇଁ ଅଧିକାଂଶ କାର୍ଯ୍ୟ ଅନଲାଇନ ଓ କେତେକ କାର୍ଯ୍ୟ କୋଭିଡ କଟକଣା ମଧ୍ୟରେ କାର୍ଯ୍ୟକାରୀ ହେଉଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଆରଟିଓ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି । ବିଭିନ୍ନ କାର୍ଯ୍ୟ ପାଇଁ ଭିନ୍ନଭିନ୍ନ କାଉଣ୍ଟର ଖୋଲିଛନ୍ତି । ଫଳରେ ଗତ ବର୍ଷକ ପୂର୍ବେ ଉକ୍ତ କାର୍ଯ୍ୟାଳୟରେ ଯେଉଁ ଭିଡ଼ ଦେଖିବାକୁ ମିଳୁଥିଲା, ସେଥିରେ କମି ଆସିଛି । ତଥାପି ଏହି କାର୍ଯ୍ୟାଳୟରେ ଭିଡ଼ ଲାଗି ରହିଛି । ବିଶେଷକରି ଲର୍ଣ୍ଣିଂ ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନକାରୀଙ୍କ ଲମ୍ବାଲାଇନ ଲାଗୁଛି । ସୂଚନା ଅନୁଯାୟୀ ୨୦୧୮ ମସିହା ସେପ୍ଟେମ୍ବର ଠାରୁ ଜାନୁଆରୀ ୨୦୧୯ ପର୍ଯ୍ୟନ୍ତ ଲାର୍ଣ୍ଣିଂ ଲାଇସେନ୍ସ ପାଇଁ ଆରଟିଓ କାର୍ଯ୍ୟାଳୟରେ ୫ହଜାର ୩୩୮ଜଣ ବ୍ୟକ୍ତି ଆବେଦନ କରିଥିବାବେଳେ, ୪ହଜାର ୧୬୬ଜଣଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିଲା । କିନ୍ତୁ ନୂଆ ଆଇନ ଆସିବା ପରେ ପରେ ଅର୍ଥାତ୍ ୨୦୧୯ ମସିହା ସେପ୍ଟେମ୍ବର ମାସ ୧ତାରିଖରୁ ଜାନୁଆରୀ ୩୧ ତାରିଖ ମଧ୍ୟରେ ୩୯ହଜାର ୬୮୩ଜଣ ଲାର୍ଣ୍ଣିଂ ଲାଇସେନ୍ସ ଓ ୧୧ହଜାର ୨୦୪ଜଣ ଡ଼୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିଲେ । କିନ୍ତୁ ମାର୍ଚ୍ଚ ମାସ କରୋନା ପାଇଁ ସରକାରଙ୍କ ପକ୍ଷରୁ କଟକଣା ଜାରୀ ହେବା ପରେ ସବୁକିଛି ଠପ ହୋଇଯାଇଥିଲା ।

ଅନ୍ୟ ସମସ୍ତ କାର୍ଯ୍ୟାଳୟ ପରି ଆରଟିଓ କାର୍ଯ୍ୟାଳୟରେ ମଧ୍ୟ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ନୂତନ ଆଇନକୁ କଡାକଡି ପାଳନ ପାଇଁ ସରକାର ଅବଧି ବଢ଼ାଇଥିଲେ । ଯାହାକି ଆଜି ମଧ୍ୟ ଜାରୀ ରହିଛି । କିନ୍ତୁ ନଭେମ୍ବର ମାସ ୨୬ ତାରିଖ ଠାରୁ କୋଭିଡ କଟକଣା ମଧ୍ୟରେ ଉପରୋକ୍ତ କାର୍ଯ୍ୟର ପ୍ରକ୍ରିୟା ପୁନର୍ବାର ଆରମ୍ଭ ହୋଇଛି । ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ମୋଟ ୧୮ହଜାର ୯୨୦ଜଣ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବାବେଳେ, ସେମାନଙ୍କ ମଧ୍ୟରୁ ୭ହଜାର ୨୯୬ଜଣଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି । ୧୧ହଜାରରୁ ଉର୍ଦ୍ଧ୍ୱ ଆବେଦନକାରୀ ଏବେ ଲାଇସେନ୍ସ ଅପେକ୍ଷାରେ ରହିଛନ୍ତି । ସେହିପରି ୭ହଜାର ୧୯୧ ଜଣ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଅବେଦନ କରିଥିବାବେଳେ, ୬ହଜାର ୬୨୭ଜଣ ଏହି ଲାଇସେନ୍ସ ପାଇଁ ଅପେକ୍ଷାରେ ଅଛନ୍ତି । ତଥ୍ୟ ଅନୁଯାୟୀ ବର୍ତ୍ତମାନ ସମୟରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ପ୍ରତ୍ୟେକ ଦିନ ୨ଶହ ଜଣ ଓ ଲାର୍ଣ୍ଣିଂ ଲାଇସେନ୍ସ ପାଇଁ ୬୦ଟି ସ୍ଲଟ ଅନଲାଇନରେ ବୁକିଂ କରାଯାଉଛି । ଅର୍ଥାତ୍ ପ୍ରତ୍ୟେକ ଦିନ ଡ୍ରାଇଭିଂ ଓ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ୨୬୦ ଅବେଦନକାରୀଙ୍କ ପରୀକ୍ଷା ନିଆଯାଉଛି । କୋଭିଡ ସଂକ୍ରମଣକୁ ନଜରରେ ରଖି ଏତେ ଅଳ୍ପ ସଂଖ୍ୟକ ଆବଦେନକାରୀଙ୍କ ପରୀକ୍ଷା ନିଆଯାଉଛି ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ତେବେ ପରିବହନ ନିୟମ ଭୟରେ ଆବେଦନକାରୀ ତରବର ହେଉଥିବାବେଳେ, ଆରଟିଓ କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକ ସହଯୋଗ ମିଳି ପାରୁ ନାହିଁ ବୋଲି ଅଭିଯୋଗ ଉଠିଛି । ବିଶେଷକରି ଅଦବକ ସ୍ଲଟ ବୁକିଂ କରାଗଲେ ଉଭୟ ଲର୍ଣ୍ଣିଂ ଓ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ବୋଲି ମତପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.