ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧୀନତା ପରଠାରୁ ପ୍ରଚଳିତ ହୋଇ ଆସୁଥିବା ସରକାରୀ ଚାକିରୀର ନିୟମ ଓ ସର୍ତ୍ତାବଳୀରେ ରାଜ୍ୟ ସରକାର ବ୍ୟାପକ ସଂସ୍କାର ଆଣିବାକୁ ମନସ୍ଥ କରିଛନ୍ତି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ସମସ୍ତ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ରିଟିଶ ଅମଳରୁ ପରମ୍ପରା କ୍ରମେ ଗଡି ଆସୁଥିବା ଚାକିରୀର ନିୟମାବଳୀ ଏବେ ଆଲୋଡା ହୋଇଯିବ । ଏଣୁ ନିଯୁକ୍ତି ପଦୋନ୍ନତି ଇତ୍ୟାଦି କ୍ଷେତ୍ରରେ କର୍ପୋରେଟ୍ ଢାଞ୍ଚାରେ ପରିବର୍ତ୍ତନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ଜିଲାସ୍ତରରେ ଏକ ସବ୍କମିଟି ଗଠିତ ହୋଇଛି । ଏହି କମିଟି ସଦସ୍ୟମାନେ ହିଁ କର୍ମଚାରୀଙ୍କ ଦକ୍ଷତା ମାପ କରିବେ । ସେହି ଅନୁସାରେ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ହେବ । ତେବେ ଆସନ୍ତା ୧୫ ତାରିଖ ସୁଦ୍ଧା ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ସଂପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି । ସୂଚନା ଅନୁସାରେ, ପୂର୍ବରୁ ସରକାରୀ ଚାକିରୀ କନିଷ୍ଠ ଓ ବରିଷ୍ଠ ଭାବରେ ୨ ଶ୍ରେଣୀରେ କର୍ମଚାରୀ ବିଭକ୍ତ ହୋଇ କାର୍ଯ୍ୟ କରୁଥିଲେ । ନିଯୁକ୍ତି ତାରିଖକୁ ସେମାନଙ୍କର ଅଭିଜ୍ଞତାର ମାନଦଣ୍ଡ ଭାବେ ନିଆଯାଉଥିଲା । ଚାକିରୀରେ ନିଜର ପାରଦର୍ଶିତାକୁ ବିଚାରକୁ ନେଇ ଉପରିସ୍ଥ ଅଧିକାରୀମାନେ ଅଧସ୍ତନ କର୍ମଚାରୀଙ୍କ ଚରିତ୍ର ପଞ୍ଜିକା ଲେଖୁଥିଲେ । ଯାହାକୁ ଭିତ୍ତିକରି ଚାକିରୀରେ ପଦୋନ୍ନତି ଦିଆଯାଉଥିଲା । ତେବେ ଏହି ବ୍ୟବସ୍ଥାରେ ଅଧିକ ସଂସ୍କାର ଆଣି କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇର୍ ସରକାର ଏଭଳି ଏକ ପଦକ୍ଷେପ ନେଇଛନ୍ତି । ଅନେକ ଚତୁର କର୍ମଚାରୀ ଦକ୍ଷତା ନଥାଇ ଉପରିସ୍ଥକୁ ସନ୍ତୁଷ୍ଟ କରି ପଦୋନ୍ନତି ହାସଲ କରି ପାରୁଥିଲେ ।
ଫଳରେ ବହୁ ଯୋଗ୍ୟ ଓ ପ୍ରକୃତ ଅଭିଜ୍ଞତା ସଂପନ୍ନ ଦକ୍ଷ କର୍ମଚାରୀ ଚାକିରୀରୁ ଅଧିକାଂଶ ଫାଇଦାରୁ ବଂଚିତ ହେଉଥିଲେ । ବୟସ ଓ ନିଯୁକ୍ତି ତାରିଖକୁ ପଦୋନ୍ନତିର ମାପକାଠି ବୋଲି ବିଚାର ନକରି କରପୋରେଟ୍ ଢାଞ୍ଚାରେ କର୍ମଚାରୀଙ୍କ ଅଭିଜ୍ଞତା, କାର୍ଯ୍ୟଦକ୍ଷତା ଓ ଗୁଣବତ୍ତାକୁ ବିଚାରକୁ ନେଇ ସରକାରୀ ଚାକିରୀ କ୍ରମଶଃ ଓ ଅନ୍ୟାନ୍ୟ ସୁବିଧା ଦିଆଯିବାକୁ ସରକାର ଏଭଳି ପଦେ୪ପ ନେଇଥିବା ଜଣାଯାଇଛି । ବିଶେଷ କରି ସରକାରଙ୍କ ୫-ଟି ରେ ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଅନ୍ୟପକ୍ଷରେ ଯେଉଁ କର୍ମଚାରୀମାନଙ୍କ ଦକ୍ଷତା ଅଭାବ ସାଙ୍ଗକୁ କାର୍ଯ୍ୟରେ ଅବହେଳା କରିଆସୁଥିଲେ, ସେମାନଙ୍କୁ ଅବସର ପୂର୍ବରୁ କାର୍ଯ୍ୟରୁ ଅବସର ଦିଆଯିବା ନେଇ ନିର୍ଦ୍ଦେଶ ରହିଛି । ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏବେ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ବିଭିନ୍ନ ବିଭାଗର ମୁଖ୍ୟମାନଙ୍କୁ ସେମାନଙ୍କ ଦପ୍ତର କର୍ମଚାରୀଙ୍କ ଏ ସଂପର୍କିତ ତାଲିକା ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଦ୍ୟାବଧି ଜିଲା ପ୍ରଶାସନର ୨୫ ରୁ ଉର୍ଦ୍ଧ୍ୱ ପ୍ରସ୍ତାବ ହସ୍ତଗତ ହୋଇଛି । ଅପରପକ୍ଷରେ ପାଖାପାଖି ୫ ରୁ ଉର୍ଦ୍ଧ୍ୱ ପ୍ରସ୍ତାବ ଅବସର ପୂର୍ବରୁ କାର୍ଯ୍ୟରୁ ବିଦା କରାଯିବା ନେଇ ମଧ୍ୟ ପ୍ରସ୍ତାବ ରହିଛି । ତେବେ କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତାକୁ ମାପିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ସବ୍କମିଟି ଗଠନ କରାଯାଇଛି । ଏହି କମିଟି ଅଧ୍ୟକ୍ଷ ଜିଲାପାଳ ଜ୍ଞାନ ଦାସ ଅଛନ୍ତି । ଏହାବ୍ୟତୀତ ଅତିରିକ୍ତ ଜିଲାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ର, ଅତିରିକ୍ତ ଜିଲାପାଳ (ରାଜସ୍ୱ) ଅରୁଣ କୁମାର ମହାପାତ୍ର, ପିଡିଡିଆରଡିଏ ମଧୁସୂଦନ ଦାସ ଓ ଉପଜିଲାପାଳ ପିତାମ୍ବର ସାମଲ ଏହି କମିଟିରେ ସାମିଲ ଅଛନ୍ତି । ଡିସେମ୍ବର ୧୫ ତାରିଖ ସୁଦ୍ଧା ଜିଲାର ସରକାରୀ କର୍ମଚାରୀଙ୍କ ଦକ୍ଷତାର ମାପକାଠି ରିପୋର୍ଟ ପହଞ୍ଚାଇବାକୁ ନିର୍ଦ୍ଦେଶ ରହିଛି ।