Home ଜିଲ୍ଲା ପରିକ୍ରମା ମା’ କ୍ଷେତ୍ରବାସିନୀ ପୀଠକୁ ରାଜ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦାବି , ସମ୍ବର୍ଦ୍ଧନା ସଭାରେ ସାଂସଦ...

ମା’ କ୍ଷେତ୍ରବାସିନୀ ପୀଠକୁ ରାଜ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦାବି , ସମ୍ବର୍ଦ୍ଧନା ସଭାରେ ସାଂସଦ ଓ ବିଧାୟକଙ୍କ ପ୍ରତିଶ୍ରୁତି

48

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ କଲେଇ ପଂଚାୟତର ଚୁନିଦାସ୍ଥିତ ମା’ କ୍ଷେତ୍ରବାସିନୀ ଓ ଓଁ ଶ୍ରୀ ଶ୍ରୀ ମା’ ସପ୍ନେଶ୍ୱରୀ ସନ୍ତୋଷୀ ଦେବୀ ମନ୍ଦିର ପୀଠକୁ ରାଜ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ନେଇ ଏକ ସ୍ମାରକପତ୍ର ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ଭଦ୍ରକ ବ୍ଲକ୍ ପଂଚାୟତ ସମିତି ଉପାଧ୍ୟକ୍ଷା ଜ୍ୟୋସ୍ନାମଂଜରୀ ରାଉତ, ସରପଞ୍ଚ ମିନାକ୍ଷୀ ପରିଡା, ସ୍ୱାଧୀନତା ସଂଗ୍ରାମୀ ହୃଦାନନ୍ଦ ରାଉତ, ଶିକ୍ଷାବିତ୍ ପୁରସ୍ତମ ସାହୁ, ଯୁବ ସମାଜସେବୀ ତୁଷାରକାନ୍ତି ପରିଡା, ସମାଜସେବୀ ନିତ୍ୟାନନ୍ଦ ବେହେରା, ଶିକ୍ଷାବିତ୍ ବାବୁଲା ରାଉତ, ଗୌରୀଗୋପାଳ ଜେନା, ରମାକାନ୍ତ ରାୟ, କ୍ଷେତ୍ରବାସୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭୀମଚରଣ ପରିଡା, କୃଷ୍ଣଚନ୍ଦ୍ର ବେହେରାଙ୍କ ସମେତ ଶତାଧିକ ବିଭିନ୍ନ ବର୍ଗର ଜନସାଧାରଣ ମନ୍ଦିର ପ୍ରତିଷ୍ଠା ଉତ୍ସବର ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିôଥ ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଓ ବିଧାୟକ ସଂଜୀବ କୁମାର ମଲ୍ଲିକଙ୍କୁ ପୃଥକ୍ ପୃଥକ୍ ଭାବେ ପ୍ରଦାନ କରିଛନ୍ତି । ଯୁବ ସମାଜସେବୀ ଅଭିରାମ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମଳୟ ଜେନା, ସନ୍ତୋଷୀ ଦେବୀ ମନ୍ଦିରର ପ୍ରତିଷ୍ଠାତା ବାସନ୍ତୀଲତା ପରିଡା ଓ ପୀତାମ୍ବର ପରିଡା ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ମା’ ସନ୍ତୋଷୀ ଦେବୀଙ୍କର ଏକ ପୁସ୍ତକ ଉନ୍ମୋଚନ ହୋଇଥିବାବେଳେ ସ୍ଥାନୀୟ ଅଂଚଳର ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ହୃଦାନନ୍ଦ ରାଉତ, ସାମ୍ବାଦିକ ପ୍ରମୋଦ ରାୟ, ପଂଚାୟତ ସମିତି ଉପାଧ୍ୟକ୍ଷା ଜ୍ୟୋସ୍ନାମଂଜରୀ ରାଉତ, ସରପଞ୍ଚ ମିନାକ୍ଷୀ ପରିଡା, ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନା, ଯୁବ ସମାଜସେବୀ ସନ୍ତୋଷ ଦାସ ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ ଏହି ସ୍ମାରକପତ୍ରରେ ଉଲ୍ଲେଖ ଥିବା ତଥ୍ୟ ଅନୁଯାୟୀ ଏହି ସ୍ଥାନ ରାଜ୍ୟର ଅନ୍ୟ ସ୍ଥାନ ଭଳି ଓଡ଼ିଶା ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ଅଟେ ।

ପ୍ରତିବର୍ଷ ମକର ସଂକ୍ରାନ୍ତି ଅବସରରେ ଏହି ଶକ୍ତିପୀଠରେ ହୋମଯଜ୍ଞ ହେବା ସହ ୩ ଦିନ ଧରି ଯେଉଁ ମକର ମେଳା ଅନୁଷ୍ଠିତ ହୁଏ ତାହା ନଦେଖିଲେ ବିଶ୍ୱାସ କରି ହେବ ନାହିଁ । ଭଦ୍ରକ ଜିଲାର ପୁରାତନ ଜଗନ୍ନାଥ ସଡକ (ଯାହା ପୂର୍ବରୁ ପୁରୀ ଶ୍ରୀକ୍ଷେତ୍ରରୁ କୋଲକାତା ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା) ଏବେ ଭଦ୍ରକ ବ୍ଲକର କଲେଇ ପଞ୍ଚାୟତ ଦେଇ ଧାମନଗର ଯାଇଛି । ଏଠାରେ ମା’ କ୍ଷେତ୍ରବାସିନୀଙ୍କ ଆସ୍ଥାନ । ଏବେ ଏଠାରେ ମା’ ସ୍ୱପ୍ନେଶରୀ ସନ୍ତୋଷୀ ଦେବୀ ମନ୍ଦିର ପ୍ରତିଷ୍ଠା ହେବାରୁ ଏହାର ମହତ୍ୱ ବୃଦ୍ଧି ପାଇଛି । ତେବେ ମା’ କ୍ଷେତ୍ରବାସିନୀଙ୍କ ଇତିହାସରୁ ଜଣାଯାଏ ପୂଣ୍ୟତୋୟା କପାଳୀ ନଦୀ କୂଳରେ ପ୍ରତିଷ୍ଠିତ ଏହି ପୀଠ ପ୍ରାୟ ଷୋଡଶ ଶତାବ୍ଦୀର । ଓଡିଶାର ଶେଷ ସ୍ୱାଧିନ ରାଜା ମୁକୁନ୍ଦଦେବ ଏହି ରାସ୍ତା ଦେଇ ଯିବା ସମୟରେ ମା’ଙ୍କୁ ପ୍ରତିଷ୍ଠା କରିଥିଲେ । ସେହିଦିନରୁ ଏଠାରେ ମା’ ପୂଜା ପାଇଆସୁଛନ୍ତି । ସମୟକ୍ରମେ ସ୍ଥାନୀୟ ଲୋକେ ମା’ଙ୍କର ଶ୍ରେଷ୍ଠ ପୂଜାଭାବେ ପବିତ୍ର ମକର ସଂକ୍ରାନ୍ତିକୁ ୩ ଦିନଧରି ପୂଜା କଲେ । ଯାହାର ଇତିହାସ ପ୍ରାୟ ୫୦୦ ବର୍ଷରୁ ଉର୍ଦ୍ଧ୍ୱ ହେବବୋଲି ଜଣାଯାଏ । ଏପରି ସ୍ଥଳେ ଏହି ଶକ୍ତିପୀଠ ପ୍ରତି ସରକାରଙ୍କର ପର୍ଯ୍ୟଟନ ବିଭାଗ କି ପ୍ରଶାସନର କୌଣସି ଶୁଭ ଦୃଷ୍ଟି ପଡୁନଥିବାରୁ ଏପର୍ଯ୍ୟନ୍ତ ଏହା ରାଜ୍ୟବାସୀଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଆସିଅଛି । ତେବେ ଏହି ସ୍ମାରକପତ୍ର ଗ୍ରହଣ କରିବା ସମୟରେ ଉଭୟ ଜନ ପ୍ରତିନିଧି ଖୁବ୍‌ଶୀଘ୍ର ଏଠାରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଅର୍ଥ ମଂଜୁର ହୋଇଥିବାର ସୂଚନା ଦେଇ ସେମାନଙ୍କର ଦାବିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.