ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଫେଲୋସିପ୍ ଓ ୱାନ୍ ଷ୍ଟପ ସେଣ୍ଟର ଆନୁକୁଲ୍ୟରେ ବିଶ୍ୱ ଶିଶୁ ନିର୍ଯାତନା ନିରାକରଣ ଦିବସ ୱାନ ଷ୍ଟପ୍ ସେଣ୍ଟର୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଫେଲୋସିପ୍ର ନିର୍ଦ୍ଦେଶକ ନାଟ୍ୟକାର ଲଲାଟେନ୍ଦୁ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଫେଲୋସିପ୍ର ବରିଷ୍ଠ ଉପଦେଷ୍ଟା ଅବଦୁଲ କାସିମ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସଂଗଠନର ସଭାନେତ୍ରୀ ପ୍ରଭାତୀ ଜେନା, ସମ୍ପାଦିକା ମମତା ଜେନା, ସମଗ୍ର ଶିକ୍ଷା ବାଳିକା ସଂଯୋଜିକା ଇପ୍ସିତା ଜେନା, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ପୂର୍ବତନ ଅଧ୍ୟକ୍ଷ ପ୍ର. କମଳକାନ୍ତ ସ୍ୱାଇଁ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ବିଜୟ କେତନ ସାହୁ, ଶିକ୍ଷକନେତ୍ରୀ ଚାରୁଲତା ମହାପାତ୍ର, ସାହିତ୍ୟିକା ଶାନ୍ତିଲତା ନାଗ, ଜମ୍ବୁବତୀ ଦାସ, ଶକୁନ୍ତଳା ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଶିଶୁ ନିର୍ଯାତନା, ବିଶେଷ କରି ଯୌନ ନିର୍ଯାତନା ଏକ ସାର୍ବଜନୀନ ଏବଂ ଆତଙ୍କ ସୃଷ୍ଟିକାରୀ ସମସ୍ୟା । ଏହାକୁ ଦୂର କରିବା ପାଇଁ ସାମାଜିକ ସଚେତନତା, ସୁରକ୍ଷା ପାଇଁ କୌଶଳ ଏବଂ ପରିବାର, ଆଞ୍ଚଳିକ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପଦକ୍ଷେପ ଦରକାର । ଶିଶୁଙ୍କୁ ନ୍ୟାର୍ଯ୍ୟ ଅଧିକାର ଦେବା କ୍ଷେତ୍ରରେ ସରକାର, ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ ସଂଗଠନ ମାନେ ଅଧିକରୁ ଅଧିକ ଭୂମିକା ଗ୍ରହଣ କରିବା ଆବଶ୍ୟକ । ଓଡ଼ିଶା ସରକାର ଜୁଲାଇ ୨୮ରେ ବିଧାନସଭାରେ ଶ୍ୱେତପତ୍ର ମାଧ୍ୟମରେ ସୂଚନା ଦେଇଥିଲେ ଯେ ଓଡ଼ିଶାରେ ୨୦୧୭ ମସିହାରେ ଶିଶୁ ନିର୍ଯାତନା ୨୨୨୧ଟି ହୋଇଥିବା ବେଳେ ୨୦୧୮ରେ ଏହା ୨୫୦୨କୁ ବୃଦ୍ଧି ପାଇଥିଲା । ଆମ ଜିଲ୍ଲାରେ ନାବାଳିକା ବଳାତ୍କାର ଯେ କେବଳ ବାହାରେ ହେଉଛି ତାହା ନୁହେଁ, ନିଜର ପୈତୃକ ଗୃହରେ ହେଉଥିବା ନେଇ ଥାନାରେ ଅଭିଯୋଗ ହେଉଛି ଏବଂ ପରେ ପୋସ୍କୋ ଆକ୍ଟରେ ମାମଲା ରୁଜୁ କରାଯାଇ ସେମାନଙ୍କୁ ବିିଭନ୍ନ ଆଶ୍ରୟସ୍ଥଳୀରେ ରଖା ଯାଉଛି । ଆମ ଜିଲ୍ଲା ଭଦ୍ରକରେ ୨୦୧୯ ମସିହାରେ ୧୨୦ଟି ଏବଂ ୨୦୨୦ ମସିହାରେ ଏ ପର୍ଯ୍ୟନ୍ତ ୩୯୪ଟି ଶିଶୁ ନିର୍ଯାତନା ମାମଲା ବିଭିନ୍ନ ଥାନାମାନଙ୍କରେ ରୁଜୁ ହୋଇ ସାରିଛି । ଏହାର ନିରାକରଣ ପାଇଁ ଜନ ସଚେତନା ହିଁ ମୁଖ୍ୟ ଚାବି । ବଳାତ୍କାର କେବେ ବି ପୁଲିସ କିମ୍ବା ସରକାରଙ୍କ ଦ୍ୱାରା ନିୟନ୍ତ୍ରଣ ହୋଇ ପାରିବ ନାହିଁ । ସମାଜରୁ ଶିଶୁ ନିର୍ଯାତନାକୁ ଦୂର କରିବା କ୍ଷେତ୍ରରେ ପିତାମାତା, ଶିକ୍ଷକ, ଗ୍ରାମ୍ୟ ମୁଖିଆ, ସାମାଜିକ କର୍ମୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କେତେକ କ୍ଷେତ୍ରରେ ଆର୍ଥିକ ଅନଗ୍ରସରତା ଏଥିଲାଗି ଦାୟୀ ହେଉଥିବା ଦୃଷ୍ଟିରୁ ସମାଜରେ ଆର୍ôଥକ ସ୍ଥିତିର ଅଭିବୃଦ୍ଧି ହେବା ଦରକାର । ପରିସ୍ଥିତି ଯାହାବି ହେଉ ନା କାହିଁକି ସମାଜରୁ ଶିଶୁ ନିର୍ଯାତନା ଦୂର କରିବା ପାଇଁ ଆମେ ସମସ୍ତେ ଆଜି ନଭେମ୍ବର ୧୯ ‘ବିଶ୍ୱ ଶିଶୁ ନିର୍ଯାତନା ନିରାକରଣ ଦିବସ’ରେ ଶପଥ ନେବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା । ଶେଷରେ ଫେଲୋସିପ୍ର ସମ୍ପାଦକ ଫାରୁକ ଭାଇ ଧନ୍ୟବାଦ ଦେଇଥିବା ବେଳେ ୱାନ୍ ଷ୍ଟପ ସେଣ୍ଟର ଓ ଫେଲୋସିପ୍ର କର୍ମଚାରୀମାନେ ଏହାର ପରିଚାଳନା କରିଥିଲେ ।
Home ଜିଲ୍ଲା ପରିକ୍ରମା ବିଶ୍ୱ ଶିଶୁ ନିର୍ଯାତନା ନିରାକରଣ ଦିବସ ପାଳିତ, ଶିଶୁ ନିର୍ଯାତନା ନିରାକରଣ ପାଇଁ ପ୍ରଥା ସୃଷ୍ଟି...