Home ଜିଲ୍ଲା ପରିକ୍ରମା ଅର୍ଥାଭାବରୁ ହୋଇପାରୁନି ଦିବ୍ୟାଙ୍ଗ ପରିବାରଙ୍କ ଚିକିତ୍ସା:ସରକାରୀ ସହାୟତା ଯୋଗାଇଦେବାକୁ ଦାବି

ଅର୍ଥାଭାବରୁ ହୋଇପାରୁନି ଦିବ୍ୟାଙ୍ଗ ପରିବାରଙ୍କ ଚିକିତ୍ସା:ସରକାରୀ ସହାୟତା ଯୋଗାଇଦେବାକୁ ଦାବି

23

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଂଚାୟତ ଇଛଦା ଗ୍ରାମର ପ୍ରହଲ୍ଲାଦ ସେଠୀଙ୍କ ପରିବାର । ସ୍ୱାମୀ ପ୍ରହଲ୍ଲାଦ, ସ୍ତ୍ରୀ ଜୟନ୍ତୀ ଓ ଦୁଇ ପୁଅକୁ ନେଇ ତାଙ୍କ ପରିବାର । ପରିବାରର ଦାୟିତ୍ୱ ନିଜେ ପ୍ରହଲ୍ଲାଦ ବୁଝନ୍ତି । ଦୁଇ ପୁଅଙ୍କ ମଧ୍ୟରୁ ଜଣେ ଏଥର ମାଟ୍ରିକ ପରୀକ୍ଷା ଦେବାକୁ ଥିବା ବେଳେ ଆଉ ଜଣେ ପ୍ରାଥମିକ ସ୍କୁଲରେ ପାଠ ପଢୁଛନ୍ତି । ହେଲେ ଦୁଃଖର କଥା ଯେ ପ୍ରହଲ୍ଲାଦ ଜନ୍ମରୁ ଦିବ୍ୟାଙ୍ଗ ଏବଂ ଭୂମିହୀନ । ତାଙ୍କ ପରିବାର ଘରଣପୋଷଣ ନିମନ୍ତେ ବିଗତ ୪ ବର୍ଷ ପୂର୍ବେ ଭଦ୍ରକରେ ଏକ ଲଣ୍ଡ୍ରି ଦୋକାନ କରି କିଛି ବର୍ଷ ପରିବାର ଚଳାଇ ଆସୁଥିଲେ । ବୋଝ ଉପରେ ଲଳିତା ବିଡା ପରି ତାଙ୍କ ପରିବାର ଉପରେ ଏକ ଅଦିନିଆ ଝଡ ମାଡି ଆସିଲା । ତାଙ୍କ ପତ୍ନୀ ଜୟନ୍ତୀ ସେଠୀ କାମ କରୁଥିବା ସମୟରେ ହଠାତ ଅସୁସ୍ଥ ହୋଇ ପଡିଥିଲେ । ତା ପରେ ଆଉ ଚାଲବୁଲ କରିପାରିଲେ ନାହିଁ । ପତ୍ନୀର ଏହି ରୋଗକୁ ଚିକିତ୍ସା ନିମନ୍ତେ ଦୁଇ ବର୍ଷ ଭଦ୍ରକରେ ରଖିଥିଲେ । ପରେ ଆର୍ଥିକ ସମସ୍ୟା ନେଇ ପ୍ରହଲ୍ଲାଦ ତାଙ୍କ ପତ୍ନୀକୁ ନିଜ ଗ୍ରାମକୁ ନେଇ ଆସିଥିଲେ । ଏବେ ଦିବ୍ୟାଙ୍ଗ ପ୍ରହଲ୍ଲାଦ ରୋଜଗାର କରିପାରୁନଥିବା ବେଳେ ପତ୍ନୀର ଔଷଧ ପାଇଁ ଅର୍ଥର ଆବଶ୍ୟତକା ପଡୁଛି । ଏଣେ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ନାହିଁ । ଦୁଇବର୍ଷ ତଳେ ପ୍ରହଲ୍ଲାଦ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ପାଇଥିଲେ । ଯାହାକି ଘର ବାବଦକୁ ତାଙ୍କୁ ୨୦ ହଜାର ଟଙ୍କା ମିଳିଥିଲା । ହେଲେ ସେହି ଟଙ୍କାକୁ ନିଜର ହାତ ଉଧାରି ଖର୍ଚ୍ଚ କରିଥିଲେ ଏବଂ ସେଥିରୁ କିଛି ଅର୍ଥ ନିଜ ପତ୍ନୀଙ୍କ ଔଷଧ ଖର୍ଚ୍ଚରେ ଲଗାଇ ଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ ପତ୍ନୀଙ୍କ ଅପରେସନ ପାଇଁ ପ୍ରାୟ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି । ଯାହାକି ତାଙ୍କ ପାଇଁ ସାତସପନ । କେବଳ ରାସନ ଓ ଦିବ୍ୟାଙ୍ଗ ଭତାରେ ନିଜ ପରିବାର ଚାଲିଛି । ଏହି ଅର୍ଥ ପରିବାର ପାଇଁ ଯଥେଷ୍ଟ ନଥିବାରୁ ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ପଡୁଛି । ଏଦିଗରେ ପ୍ରଶାସନ ଏହି ଦିବ୍ୟାଙ୍ଗ ପରିବାର ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ତାଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବା ସହିତ ପତ୍ନୀର ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.