Home ଜିଲ୍ଲା ପରିକ୍ରମା ମହାନ୍ତିପଡ଼ା ଗ୍ରା:ପ: ରେ ଅନିୟମିତତା, ଭିଜିଲାନ୍ସରେ ଅଭିଯୋଗ କଲେ ପୂର୍ବତନ ବିଧାୟକ

ମହାନ୍ତିପଡ଼ା ଗ୍ରା:ପ: ରେ ଅନିୟମିତତା, ଭିଜିଲାନ୍ସରେ ଅଭିଯୋଗ କଲେ ପୂର୍ବତନ ବିଧାୟକ

29

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତ ବ୍ଲକ ମହାନ୍ତିପଡ଼ା ଗ୍ରାମପଞ୍ଚାୟତରେ ସରକାରୀ ଅର୍ଥ ହରିଲୁଟ ଚରମସୀମାରେ ପହଞ୍ଚିଛି। ଏଠାରେ ପୂର୍ବରୁ କାର୍ଯ୍ୟରତ ଥିବା ପିଇଓ ନିଶାକର ଖୁଣ୍ଟିଆ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବାର ଅଭିଯୋଗ କରିଛନ୍ତି ଖୋଦ ଏହି ପଞ୍ଚାୟତର ବାସିନ୍ଦା ଭଣ୍ଡାରିପୋଖରୀ ବିଧାନସଭାର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା। ଏନେଇ ସେ ଭିଜିଲାନ୍ସ ଏସ-ପିଙ୍କୁ ତଦନ୍ତ ପାଇଁ ନିବେଦନ କରିଥିବା ବେଳେ ଏହାର ନକଲ ଭଦ୍ରକ ଜିଲ୍ଲାପାଳ ଓ ପିଡ଼ିଙ୍କୁ ପ୍ରଦାନ କରିଛନ୍ତି। ଅଭିଯୋଗପତ୍ର ରେ ଦର୍ଶାଯାଇଥିବା ବିବରଣୀ ଅନୁଯାୟୀ, ଏହି ପଞ୍ଚାୟତରେ ଶ୍ରୀ ଖୁଣ୍ଟିଆ ଦୀର୍ଘବର୍ଷ ହେବ କାର୍ଯ୍ୟରତ ଥାଇ ତାଙ୍କର କ୍ଷମତାର ଅପବ୍ୟବହାର କରି ମେରୀରାୟ ନୀତି ଚଳାଇ ଆସୁଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସଂପୃକ୍ତ ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେବା, ଅଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଗୃହ ମିଳିବାରେ ଲାଞ୍ଚ ନେଇ ସାହାଯ୍ୟ କରିବା, ପଞ୍ଚାୟତ କାର୍ଯ୍ୟରେ ଲାଞ୍ଚ ନେବା, ଅଯୋଗ୍ୟ ହିତାଧିକାରୀଙ୍କୁ ଅର୍ନ୍ତୋଦୟ କାର୍ଡ଼ ଯୋଗାଇବା, ଗରିବ ବ୍ୟକ୍ତିଙ୍କ ମୃତ୍ୟୁ ଜନିତ ଆର୍ଥିକ ସହାୟତା ଯୋଗାଇବା ନିମନ୍ତେ ଲାଞ୍ଚ ନେବା, ପଞ୍ଚାୟତ କାର୍ଯ୍ୟରେ ମିଥ୍ୟା ବିଲ ଦାଖଲ କରି ତହବିଲରୁ ଅର୍ଥ ତୋଷରପାତ କରିବା ଆଦି ବେଆଇନ କାର୍ଯ୍ୟରେ ଲିପ୍ତ ରହୁଥିଲେ। ଏଥି ସହିତ ସଙ୍ଗରୋଧକ କେନ୍ଦ୍ରର ସାମଗ୍ରୀ କିଣା ଓ ଖାଦ୍ୟଯୋଗାଣରେ ହେରଫେର କରି ଅଧିକ ବିଲ ଦର୍ଶାଇ ଲକ୍ଷାଧିକ ଟଙ୍କା ସରକାରୀ ଅର୍ଥ ଆତ୍ମସାତ କରିବା ସହିତ ଗରିବ ଲୋକମାନଙ୍କୁ ଠାରୁ ଲକ୍ଷାଧିକ ଟଙ୍କା ଲାଞ୍ଚ କାରବାର କରି ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ନିଜର ସ୍ୱାର୍ଥ ହାସଲ କରିଥିବାର ଅଭିଯୋଗ ହୋଇଛି। ଏ ବିଷୟ ଜଣା ପଡ଼ିବା ପରେ ବନ୍ତ ବିଡ଼ିଓ ଶ୍ରୀ ଖୁଣ୍ଟିଆଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି। ତେବେ ଉଚ୍ଚ କତ୍ତୃପକ୍ଷଙ୍କ ଠାରୁ ବିଡ଼ିଓଙ୍କୁ ଅଭିଯୋଗର ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଆସିଥିବାର ଜଣାଯାଇଛି। ଏ ବିଷୟରେ ପିିଇଓ ଶ୍ରୀ ଖୁଣ୍ଟିଆଙ୍କୁ ଯୋଗାଯୋଗ କରିବାରୁ ସେ କହନ୍ତି, ସେ ୩ ଥରରେ ମୋଟ ୭ ବର୍ଷ ଉକ୍ତ ପଞ୍ଚୟାୟତରେ କାର୍ଯ୍ୟ କରିଛନ୍ତି। ଉପରୋକ୍ତ ଅଭିଯୋଗର କୌଣସି ସତ୍ୟତା ନାହିଁ। ତେବେ ବିଡ଼ିଓଙ୍କ ମତାମତ ପାଇଁ ଯୋଗଯୋଗ କରାଯାଇଥିବା ବେଳେ ତାହା ସମ୍ଭବପର ହୋଇପାରି ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.