Home ଜିଲ୍ଲା ପରିକ୍ରମା ବାଲ୍ୟ ବିବାହ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ କରୋନା ସମୟରେ କିଶୋର ଓ କିଶୋରୀ...

ବାଲ୍ୟ ବିବାହ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ କରୋନା ସମୟରେ କିଶୋର ଓ କିଶୋରୀ ମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଅଭିଯାନ

95

ରାୟଗଡ: ୨୬/୯ (ଓଡ଼ିଆ ପୁଅ) : ରାୟଗଡ ଜିଲ୍ଲା ପ୍ରଶାସନ, ୟୁନିସେଫ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଆକ୍ସନଏଡ ଙ୍କ ମିଳିତ ସଂଯୋଜନାରେ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ତଥା ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାରେ ବାଲ୍ୟ ବିବାହ ଘଟଣାଗୁଡିକୁ ରୋକିବା ପାଇଁ ଏବଂ ଶିଶୁ, କିଶୋର ଓ କିଶୋରୀଙ୍କ ସୁରକ୍ଷା ପାଇଁ ଏକ କାର୍ଯ୍ୟଖସଡା ପ୍ରସ୍ତୁତ ହୋଇଛି। ଏହି ଶିଶୁ ସୁରକ୍ଷା କାର୍ଯ୍ୟଖସଡାକୁ ଆଧାର କରି ଜିଲ୍ଲା ପ୍ରଶାସନ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ କୋଭିଡ-୧୯ ମହାମାରୀ ସମୟରେ କିଶୋର, କିଶୋରୀ, ଶିଶୁ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରି ଆସୁଛନ୍ତି। ସପ୍ତାହର ପ୍ରତି ଶନିବାର ଦିନ ଅଙ୍ଗନୱାଡି କେନ୍ଦ୍ର ସ୍ତରରେ କିଶୋରୀ ବାଳିକା ମାନଙ୍କୁ ଆଇଏଫଏ ଟାବଲେଟ ବଣ୍ଟନ କରିବା, ବାଳିକା ମଣ୍ଡଳର ବୈଠକରେ କିଶୋରୀ ସ୍ୱାସ୍ଥ୍ୟ, ସ୍କୁଲ ଖୋଲିଲେ ନିୟମିତ ବିଦ୍ୟାଳୟ ଯାଇ ପାଠ ପଢିବା, କିଶୋରୀ ମାନଙ୍କ ସଶକ୍ତିକରଣ ପାଇଁ ସରକାରଙ୍କ ଦ୍ୱାରା ରହିଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ, ବାଲ୍ୟ ବିବାହର କୁ-ପରିଣାମ ବିଷୟରେ ନିୟମିତ ଆଲୋଚନା କରାଯାଉଛି।

ଜିଲ୍ଲାରେ ପାରମ୍ପରିକ ଭାବେ ଝିକା ପ୍ରଥା, ପୁଅ ଝିଅ ଭଲ ପାଇ ପଳାଇବା ଭଳି ପ୍ରଥା ରହିଛି ଯାହାକି ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ଅନେକ ସମସ୍ୟା ସୃଷ୍ଟି କରୁଛି ତେଣୁ ଜାତି ସମାଜ, ପଞ୍ଚାୟତ ପ୍ରତିନିଧି, ୱାର୍ଡ ମେମ୍ବର ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ସାମିଲ କରି କିଶୋର ଓ କିଶୋରୀ ମାନଙ୍କ ସୁରକ୍ଷା ପ୍ରତି ନିୟମିତ ନଜର ଦେବା ପାଇଁ ନିୟମିତ ଆଲୋଚନା କରାଯାଉଛି। କିଶୋର ଓ କିଶୋରୀ ମାନେ ସାମିଲ ହୋଇ ସେମାନଙ୍କ ନିଜର ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖିବେ ଓ କମ ବୟସରେ ବାହା ହେଲେ ସ୍ୱାସ୍ଥ୍ୟ ଉପରେ ଯେଉଁ ସବୁ କୁ-ପ୍ରଭାବ ପଡୁଛି ତାହା ଅନୁଭବ କରିପାରିଲେ ହିଁ ଜିଲ୍ଲାରେ ଯେଉଁ ଝିକା ପ୍ରଥା ଓ ପୁଅ ଝିଅ ଭଲ ପାଇ ପଳାଇବା ପ୍ରଥା ମାଧ୍ୟମରେ ବିବାହ ଘଟଣା ଗୁଡିକ ଘଟୁଛି ତାହା ଲୋପ ହୋଇପାରିବ। ଏହି ସବୁ ଘଟଣା ଗୁଡିକୁ ନଜର ଦେବା ପାଇଁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ୱାହିଦା ବେଗମ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ଶ୍ରୀ ମନୋରଞ୍ଜନ ମିଶ୍ର ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ସହଯୋଗ କ୍ରମେ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ଓ ସୁପରଭାଇଜର ମାନଙ୍କ ସହାୟତାରେ ଅଙ୍ଗନୱାଡି କର୍ମୀ ମାନେ ନିଜ ଅଞ୍ଚଳର କିଶୋରୀମାନଙ୍କୁ ସାମିଲ କରି ହାତଧୁଆ, କିଶୋରୀ ବାଳିକା ମଣ୍ଡଳର ନିୟମିତ ବୈଠକ, କିଶୋରୀ ବାଳିକା ମାନଙ୍କୁ ଆଇଏଫଏ ଟାବଲେଟ ବଣ୍ଟନ ଓ ନିଜ ଉପସ୍ଥିତିରେ ଖାଇବା ପାଇଁ ଉତ୍ସାହିତ କରିବା, କୋଭିଡ ବିଷୟରେ ସଚେତନତା ସୃଷ୍ଟି କରିବା ଭଳି କାର୍ଯ୍ୟକ୍ରମ ମାନ ସମ୍ପାଦନ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.