ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ପ୍ରସ୍ତାବିତ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ଅଧିନିୟମ- ୧୯୮୯ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ- ୨୦୦୫ର ପ୍ରତ୍ୟାହାର ବିଶ୍ୱବିଦ୍ୟାଳୟ ଗୁଡ଼ିକର ସ୍ୱାୟତତା କ୍ଷୁର୍ଣ୍ଣ କରିବା ସହ ଶିକ୍ଷାର ମାନଦଣ୍ଡକୁ ମଧ୍ୟ ପ୍ରତିକୂଳ ଭାବେ ପ୍ରଭାବିତ କରିବ। ଏହି ଅଧିନିୟମରେ ପ୍ରାଧ୍ୟାପକ ମାନଙ୍କର ନିଯୁକ୍ତିରେ ବ୍ୟାପକ ଅନିୟମିତତା ଓ ରାଜନୈତିକ ହସ୍ତକ୍ଷେପ ରହିବାର ସୁଯୋଗ ଥିବା ସହ କୁଳପତିଙ୍କ ପଦ ମର୍ଯ୍ୟାଦା ଓ କ୍ଷମତା ସଙ୍କୁଚିତ ହେବ। ବିଧାୟିକା (ଲେଜିସଲେଚର)ଙ୍କୁ ଉତ୍ତରଦାୟୀତ୍ୱରୁ ମଧ୍ୟ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ବାଦ୍ ଦିଆଯାଇଛି। ଏହାଦ୍ୱାରା ଯୁଗଯୁଗ ପାଇଁ ଶିକ୍ଷା ଓ ଗବେଷଣାର ମାନ ହ୍ରାସ ପାଇବ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ ସାଧାରଣ କଲେଜ ଭଳି କାମ କରିବେ। ଛାତ୍ର, ସମାଜ ଏବଂ ଦେଶର ଭବିଷ୍ୟତ ପାଇଁ ଏହା ଚିନ୍ତାଜନକ ବିଷୟ। ଏହି ଅଧ୍ୟାଦେଶ ଆଣି ରାଜ୍ୟସରକାର ଓଡ଼ିଶାରେ ଉଚ୍ଚଶିକ୍ଷାର ସଂପୂର୍ଣ୍ଣ ଅମଲାତନ୍ତ୍ରୀକରଣ ଓ ରାଜନୈତିକ ହସ୍ତକ୍ଷେପ ବଢ଼େଇବା ସହ ଉଚ୍ଚଶିକ୍ଷାର ମାନଦଣ୍ଡକୁ ହ୍ରାସ କରାଇବା ପାଇଁ ଷଡଯନ୍ତ୍ର ରଚିଛନ୍ତି। ଏହି ପଦକ୍ଷେପ ସଂପୂର୍ଣ୍ଣଭାବେ ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ ବୋଲି କହିଛି ଓଡ଼ିଶା ବିଜେପି। ପାଠପଢ଼ା ଓଡ଼ିଶାର ମୂଳପୁଞ୍ଜି। ଓଡ଼ିଆ ପିଲା ମାନଙ୍କର ମେଧା ଶକ୍ତି ଓଡ଼ିଶାକୁ ଆଗକୁ ନେବାରେ ସବୁଠୁ ବଡ଼ ମାଧ୍ୟମ। ଓଡ଼ିଆ ପିଲାଙ୍କ ବୁଦ୍ଧିକୁ ଅଧିକ ପ୍ରୋତ୍ସାହନ ଓ ସେମାନଙ୍କୁ ଆଗକୁ ନେବା ପାଇଁ ବିଶ୍ୱବିଦ୍ୟାଳୟର ସ୍ୱାୟତତା ରହିବା ଜରୁରୀ। ବିଶ୍ୱ ବିଦ୍ୟାଳୟ ମାନଙ୍କରେ ସ୍ଥାନୀୟ ଆକାଂକ୍ଷାକୁ ଆଧାର କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମ ପ୍ରସ୍ତୁତ ହୁଏ। ସେହି ଅନୁସାରେ ନୂଆ ମଡ଼େଲ୍ ତିଆରି ସମ୍ଭବ, ଯାହା କେବଳ ଭାରତ ନୁହେଁ ବିଶ୍ୱବିଦ୍ୟାଳୟର ମଧ୍ୟ ନୂଆ ପରିଚୟ ତିଆରି ହୁଏ। ଯଦି ବିଶ୍ୱବିଦ୍ୟାଳୟରେ ପ୍ରଶାସନିକ ଓ ରାଜନୈତିକ କ୍ଷମତା ଠୁଳ କରାଯିବ ତେବେ ଶିକ୍ଷାର ବିବିଧତା- ସ୍ଥାନୀୟ ଆକାଂକ୍ଷାରେ ବଡ଼ ଅନ୍ତରଣ ତିଆରି ହେବ। ଓଡ଼ିଆ ପିଲା ମାନଙ୍କ ବୌଦ୍ଧିକ କ୍ଷମତାକୁ ବଢ଼ାଇବା ପାଇଁ ବିଶ୍ୱବିଦ୍ୟାଳୟର ସ୍ୱାୟତତା ରହିବା ଏକାନ୍ତ ଜରୁରୀ।
ଉଚ୍ଚଶିକ୍ଷାର ଏକ ବିଶେଷ ଅନୁଷ୍ଠାନ ଭାବରେ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କୁ ପ୍ରକ୍ରିୟା ଅନୁସାରେ ନିଯୁକ୍ତି ଦେବା ବିଶ୍ୱବିଦ୍ୟାଳୟର ମୌଳିକ ସ୍ୱାଧୀନତା ଏବଂ ଉନ୍ନତମାନର ଶିକ୍ଷାକୁ ଅନୁସରଣ କରିବାର ସ୍ୱାଧୀନତା ରହିଛି। ଯଦି ବିଶ୍ୱବିଦ୍ୟାଳୟର ସ୍ୱାଧୀନତା ରାଜ୍ୟ ସରକାର ନରଖିବେ, ତେବେ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ମଧ୍ୟରେ ପାର୍ଥକ୍ୟ କ’ଣ ରହିବ ବୋଲି ବିଜେପି ପ୍ରଶ୍ନ କରିଛି। ସରକାରୀ ଅଧିକାରୀଙ୍କ ଅଧିକ ହସ୍ତକ୍ଷେପ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ନଷ୍ଟ କରିଦେଇପାରେ। ଇତିହାସକୁ ଦେଖିଲେ ବିଶ୍ୱର ଯେକୌଣସି ବିଶ୍ୱବିଦ୍ୟାଳୟର ଦାୟିତ୍ୱ ପ୍ରଶାସନିକ ଅଧିକାରୀମାନେ ନେଇଛନ୍ତି ସେଠାରେ ବିଶ୍ୱବିଦ୍ୟାଳୟ ଚାଲି ପାରିନାହିଁ ବରଂ ଏହା ଦ୍ୱାରା ସେମାନଙ୍କ ପାଇଁ ପ୍ରିୟାପ୍ରିତି ତୋଷଣ ପାଇଁ ରାସ୍ତା ମଧ୍ୟ ଖୋଲିଯାଇଥାଏ। ଯେତେବେଳେ ଅନୁଷ୍ଠାନ ଗୁଡ଼ିକର ମୁଖ୍ୟ ନିଜେ ଶାସକ ଦଳର ଏଜେଂଟ ହେବେ, ସେତେବେଳେ ସେମାନଙ୍କ ଦାୟିତ୍ୱରେ ଥିବା ବିଶ୍ୱବିଦ୍ୟାଳୟ ସ୍ୱାଧୀନତା ଏବଂ ସତ୍ୟକୁ କିପରି ଭାବରେ ଅନୁସରଣ କରିବ ବୋଲି ବିଜେପି କହିଛି। ରାଜ୍ୟ ସରକାରଙ୍କ ନିଜସ୍ୱ ପ୍ରତିନିଧିଙ୍କ ମାଧ୍ୟମରେ ମାନନୀୟ କୁଳାଧିପତିଙ୍କ ଦ୍ୱାରା ଗଠିତ ୩ ଜଣିଆ ସଦସ୍ୟ ସିଣ୍ଡିକେଟ୍ ପ୍ରତିନିଧିଙ୍କୁ ବଦଳାଇ କୁଳପତିଙ୍କୁ ନିଯୁକ୍ତ କରିବା ଦିଗରେ ରାଜ୍ୟ ସରକାରଙ୍କ ସ୍ପଷ୍ଟ ଏଜେଣ୍ଡା ରହିଥିବାର ସନ୍ଦେହ ସ୍ପଷ୍ଟ କରୁଛି।
ପ୍ରଶାସନ ଅଧିକାରୀଙ୍କ ଠାରୁ ମୁକ୍ତ ହୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ନିଜର ପ୍ରମୁଖ ଦାୟିତ୍ୱ ନିର୍ବାହ କରିବା ସହ ଜ୍ଞାନ ଆହରଣ କରାଇବା ଦରକାର ଯେଉଁ ଆଦର୍ଶକୁ ଭାରତ ବଜାୟ ରଖିଛନ୍ତି। ଏହି କାରଣରୁ ଭାରତ ସରକାର ପ୍ରଶାସନିକ ଅଧିକାରୀଙ୍କୁ କୁଳପତି ଭାବରେ ନିଯୁକ୍ତି କରିବା ଠାରୁ ଦୂରେଇ ରଖିଛନ୍ତି। ଯଦି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକ କେନ୍ଦ୍ର ଲୋକସେବା ଆୟୋଗ ମାଧ୍ୟମରେ ନିଯୁକ୍ତି ଦେଉନାହାନ୍ତି ତେବେ ରାଜ୍ୟ ସରକାର କାହିଁକି ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ନିଯୁକ୍ତି କରିବାକୁ ନିଷ୍ପତି ନେଇଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି। ଓଡ଼ିଶା ଲୋକସେବା ଆୟୋଗ ଏବଂ ରାଜ୍ୟ ଚୟନ ବୋର୍ଡ ଜରିଆରେ ବିଶ୍ୱବିଦ୍ୟାଳୟ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ଓଡ଼ିଶା ସରକାର ପ୍ରଶାସନ ଅଧିକାରୀଙ୍କୁ ପ୍ରଭାବଶାଳୀ ଢଙ୍ଗରେ ଅଂଶୀଦାର କରି ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ପଙ୍ଗୁ କରିଦେବାକୁ ଚାହୁଁଛନ୍ତି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବହୁଳ ଭାବରେ କ୍ଷତି କରାଇବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂଆ ଶିକ୍ଷା ନୀତି ୨୦୨୦ର ଉଲ୍ଲେଖନୀୟ ଦୂରଦୃଷ୍ଟି ନୀତି ଉପରେ ଓଡିଶା ସରକାର ବିଶ୍ୱବିଦ୍ୟାଳୟର ସ୍ୱାୟତତା ଉପରେ ଏକ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ଯାହା ନୂଆ ଶିକ୍ଷା ନୀତି ବିରୋଧୀ ବୋଲି ବିଜେପି କହିଛି।
ରାଜ୍ୟ ସରକାର ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକର ଅଧିକାରକୁ ଛଡ଼ାଇ ନେବାର ଷଡ଼ଯନ୍ତ୍ର କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟ ଉପରେ ରାଜ୍ୟ ସରକାରଙ୍କ ଏଣିକି ଏକଚାଟିଆ ଅଧିକାର ରହିବ। ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକର ନିଯୁକ୍ତି ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଭୂମିକା ରାଜ୍ୟ ସରକାରଙ୍କ ଗ୍ରହଣ କରିବେ। ଏହାସହ ବିଶ୍ୱବିଦ୍ୟାଳୟର ସିଲାବସ୍ ଓ ପରୀକ୍ଷା ଠାରୁ ଆରମ୍ଭ କରି ନିଯୁକ୍ତି ଏବଂ ବଦଳି କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରାଜ୍ୟ ସରକାରଙ୍କ ଉପରେ ରହିବ। ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ହେଉଛି ଶତ ପ୍ରତିଶତ ରାଜ୍ୟ ସରକାରଙ୍କ ସଂସ୍ଥା। ଏହି ସଂସ୍ଥା ଦ୍ୱାରା ନିଯୁକ୍ତି ପାଇଥିବା ବ୍ୟକ୍ତି ସରକାରଙ୍କ ଏଜେଣ୍ଡାରେ କାମ କରିଥାନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି କେନ୍ଦ୍ର ସରକାର କିମ୍ବା ଅନ୍ୟ ସବୁ ରାଜ୍ୟ ସରକାର ଆରମ୍ଭ ହୋଇଥିବା ନୂଆ ଶିକ୍ଷା ନୀତି ୨୦୨୦ ଉପରେ ଦୃଷ୍ଟି ଦେଇଥିବା ବେଳେ ଓଡ଼ିଶା ସରକାର ଏହି ପ୍ରସଙ୍ଗରେ ବିଧାନସଭାରେ କୌଣସି ଆଲୋଚନା ବା ତର୍କବିତର୍କ ନକରି ନିଜ କ୍ୟାବିନେଟରେ ଏହି କଠୋର ନିଷ୍ପତି ଗ୍ରହଣ କରିଛନ୍ତି। ଓଡ଼ିଶା ଲୋକସେବା ଆୟୋଗର ଜଣେ ସଦସ୍ୟ ତଥା ରାଜ୍ୟ ସରକାରଙ୍କ ଅତି ନିକଟତର ପରି ମନେ ହେଉଥିବା ଜଣେ ବ୍ୟକ୍ତି କିଛି ଦିନ ପୂର୍ବରୁ ଦେନିକ ଖବରକାଗଜର ସମ୍ପାଦକୀୟ ପୃଷ୍ଠାରେ ଓପିଏସସି ଦ୍ୱାରା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ନିଯୁକ୍ତି ବିଷୟରେ ଲେଖିଥିଲେ। ରାଜ୍ୟ ସରକାର ସେହି ସମ୍ପାଦକୀୟ ଲେଖାକୁ ଅନୁସରଣ କରିଥିବା ଜଣାପଡ଼ୁଛି।
ସିନେଟ୍ ବ୍ୟବସ୍ଥାର କ୍ଷମତା ଏବଂ କାର୍ଯ୍ୟ ଗୁଡିକ ହେଉଛି ଯଥା – (କ)- ବିଶ୍ୱବିଦ୍ୟାଳୟର ନୀତି ଓ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରିବା ଏବଂ ଏହାର ଉନ୍ନତି ଏବଂ ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରିବା ; (ଖ) ବିଶ୍ୱବିଦ୍ୟାଳୟର ବାର୍ଷିକ ରିପୋର୍ଟ, ବାର୍ଷିକ ଆକାଉଂଟ ଏବଂ ଅଡିଟ୍ ରିପୋର୍ଟକୁ ବିଚାର କରିବା ଏବଂ ଏହି ଆଧାରରେ ସଂକଳ୍ପ ପାରିତ କରିବା; ପ୍ରମୁଖ ବ୍ୟବସ୍ଥା ଥିଲା। ଏହି ବ୍ୟବସ୍ଥା ବିଶ୍ୱ ବିଦ୍ୟାଳୟର ଗଣତାନ୍ତ୍ରିକ କ୍ଷମତାକୁ ବଜାୟ ରଖିଥାଏ। ସିଣ୍ଡିକେଟ୍ ବ୍ୟବସ୍ଥା ବିଶ୍ୱ ବିଦ୍ୟାଳୟର ସର୍ବୋଚ୍ଚ କର୍ତ୍ତୃପକ୍ଷ ଭାବରେ କାର୍ଯ୍ୟ କରିବ। ଏହାକୁ ଅଧିକ କାର୍ଯ୍ୟକ୍ଷମ ଏବଂ ବୃତିଗତ କରିବା ପାଇଁ ସିଣ୍ଡିକେଟ ବ୍ୟବସ୍ଥାର ପୁନଃଗଠନ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ସିଣ୍ଡିକେଟର ପୁନଃଗଠିତ ବ୍ୟବସ୍ଥାରେ ମାନନୀୟ କୁଳାଧିପତି ତଥା ରାଜ୍ୟ ସରକାରଙ୍କ ଅଧିକ ପ୍ରତିନିଧିତ୍ୱ ରହିବ। ଯଦି ଆମେ ବିଶ୍ୱବିଦ୍ୟାଳୟ ସ୍ତରରେ ସାଧାରଣ ପାଠ୍ୟକ୍ରମ ଓ ପରୀକ୍ଷା ବ୍ୟବସ୍ଥା ଏବଂ କରିକୁଲମକୁ ଅନୁସରଣ କରିବା ତେବେ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ବୈଶିଷ୍ଟ ଏବଂ ସ୍ଥାନୀୟ ଆକାଂକ୍ଷା କ’ଣ ହେବ ବୋଲି ବିଜେପି ପ୍ରଶ୍ନ କରିଛି।
ଓଡ଼ିଶା ବିଧାନସଭାରେ ସମସ୍ତ ବିଶ୍ୱ ବିଦ୍ୟାଳୟର ବାର୍ଷିକ ଅଡିଟ୍ ରିପୋର୍ଟ୍; ଭାରତବର୍ଷର ସମ୍ବିଧାନରେ ଦର୍ଶାଯାଇଥିବା ଗଣତନ୍ତ୍ରର ମୂଲ୍ୟବୋଧକୁ ବଜାୟ ରଖିବାରେ ଏକ ସର୍ବତୋମ ଅଭ୍ୟାସ ଥିଲା। କାରଣ ବିଧାନସଭାରେ ନିର୍ବାଚିତ ଜନପ୍ରତିନିଧିମାନେ ଜନସାଧାରଣମାନଙ୍କ ଖର୍ଚ୍ଚ ଉପରେ ଆଲୋଚନା ଓ ସମାଲୋଚନା କରିଥାନ୍ତି। ମାତ୍ର ରାଜ୍ୟ ସରକାର ସାମ୍ବିଧାନିକ ମୂଲ୍ୟବୋଧକୁ ଏକ ସ୍ପଷ୍ଟ ଆଭିମୁଖ୍ୟ ଆଧାରରେ ଓଡ଼ିଶାର ସମସ୍ତ ବିଶ୍ୱ ବିଦ୍ୟାଳୟର ବାର୍ଷିକ ଅଡିଟ୍ ରିପୋର୍ଟର ବିଶ୍ଳେଷଣ, ଯାଂଚ ଏବଂ ବିତର୍କର ଏହି ଅତ୍ୟାବଶ୍ୟକ ପ୍ରକ୍ରିୟାକୁ ଉଠାଇ ଦେଇଛନ୍ତି। ରେଜିଷ୍ଟର ଶିକ୍ଷକ ଏବଂ ରେଜିଷ୍ଟର ସ୍ନାତକଙ୍କ ସହିତ ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ ମାନଙ୍କର ବାସ୍ତବିକ ସମ୍ପର୍କ ରହିଛି। ଏହାସହ ବିଶ୍ୱ ବିଦ୍ୟାଳୟର ପୂର୍ବ କର୍ମଚାରୀଙ୍କ ନିଯୁକ୍ତି ଓ ସମାଜର ବିଭିନ୍ନ ବର୍ଗ ଯଥା ମହିଳା, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କର ମଧ୍ୟ ବିଶ୍ୱବିଦ୍ୟାଳୟ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି। ମାତ୍ର ରାଜ୍ୟ ସରକାର ଉକ୍ତ ପଦକ୍ଷେପ ନେଇ ବା ଏହି ପ୍ରାସଙ୍ଗିକତାକୁ ଦୂର କରିଛନ୍ତି ତଥା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ତଥା ଛାତ୍ରଛାତ୍ରୀ ଏବଂ ବିଶେଷ ଭାବରେ ସମାଜର ଅନ୍ୟାନ୍ୟ ପଛୁଆ ବର୍ଗ ମାନଙ୍କର ମୌଳିକ ଅଧିକାର ତଥା ପ୍ରତିନିଧିତ୍ୱକୁ ଅକାମୀ କରିଛନ୍ତି।
ରେଭେନ୍ସା କଲେଜରୁ ଜନ୍ମ ନେଇଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୮୬୮ ଆଦର୍ଶ ତଥା ମୂଲ୍ୟବୋଧକୁ ପ୍ରେରଣା ଦେବାରେ ଏକ ଅବିସ୍ମରଣୀୟ ଭୂମିକା ରହିଛି। ଏହି ବିଶ୍ୱବିଦ୍ୟାଳୟ ଓଡ଼ିଶା ଗଠନରେ ବଡ଼ ଭୂମିକା ଗ୍ରହଣ କରିଛି ଏବଂ ଆଧୁନିକ ଭାରତର ଇତିହାସରେ ମଧ୍ୟ ନାମ ଲେଖାଇ ପାରିଛି। ଓଡିଶାର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ବ୍ୟକ୍ତିତ୍ୱ ଗଢ଼ିବା ସହ ଦେଶର ଭାଗ୍ୟ ପରିବର୍ତ୍ତନ କରିଥିବା ବହୁ ରାଷ୍ଟ୍ର ନିର୍ମାଣକାରୀ ତଥା ରାଜ୍ୟ ସ୍ତରୀୟ ବ୍ୟକ୍ତିଙ୍କୁ ମଧ୍ୟ ଜନ୍ମ ଦେଇଛି ଏହି ଶିକ୍ଷାନୁଷ୍ଠାନ। ମାତ୍ର ଓଡ଼ିଶା ସରକାର ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଧିନିୟମକୁ ଉଚ୍ଛେଦ କରିବା ଲଜ୍ଜ୍ୟାଜନକ ବିଷୟ। ରେଭେନ୍ସା ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦୦୫କୁ ଉଚ୍ଛେଦ କରି ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ- ୧୯୮୯ ବ୍ୟବସ୍ଥା ଲାଗୁ କରିବାର ନିଷ୍ପତି ନେଇଛନ୍ତି। ଏହି କାର୍ଯ୍ୟକୁ ପ୍ରତ୍ୟାହାର କରିବା ଏବଂ ଏହି ଏକକ ବିଶ୍ୱବିଦ୍ୟାଳୟର ସ୍ୱୟଂଶାସିତ ଶେଷ କରିବା ପଛରେ କୌଣସି ଯଥାର୍ଥତା ନାହିଁ। ବିଜେପି ପକ୍ଷରୁ ଆୟୋଜିତ ଏଥି ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଡଃ ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଡଃ ଯତୀନ ମହାନ୍ତି ଏବଂ ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଏହି ବିଷୟ ଉପସ୍ଥାପନା କରିଥିଲେ। /- ଦେବଦତ୍ତ ରଥ







