Home ଜିଲ୍ଲା ପରିକ୍ରମା ୨୭ ନମ୍ବର ୱାର୍ଡ଼ରେ ଉନ୍ନତି ଯୋଜନାରେ ଅନିୟମିତତା : କାମରେ ଆସିଲାନି ଡ୍ରେନ୍‌, ରାସ୍ତା ଜଳମଗ୍ନ

୨୭ ନମ୍ବର ୱାର୍ଡ଼ରେ ଉନ୍ନତି ଯୋଜନାରେ ଅନିୟମିତତା : କାମରେ ଆସିଲାନି ଡ୍ରେନ୍‌, ରାସ୍ତା ଜଳମଗ୍ନ

75

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକାର ୨୭ ନମ୍ବର ୱାର୍ଡ଼ରେ ଉନ୍ନତି ଯୋଜନାରେ ଆସିଛି ଅନିୟମିତତାର ଅଭିଯୋଗ । ଅଞ୍ଚଳବାସୀ ଏସମ୍ପର୍କରେ ପୂର୍ବରୁ ବିଭାଗୀୟ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ବିଧାୟକଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନାର୍ହି । ଫଳରେ ଲଘୁଚାପ ବର୍ଷାରେ ୨୭ ନମ୍ବର ୱାର୍ଡ଼ର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ବର୍ଷା ଜଳ ନିଷ୍କାସିତ ହୋଇନପାରି ରାସ୍ତା ଉପରେ ଲହଡ଼ି ମାରୁଛି । ଯାହାକି ୱାର୍ଡ଼ବାସୀଙ୍କ ପାଇଁ ଦୁର୍ଦ୍ଦଶା ଆଣିଦେଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ଉନ୍ନତି ଯୋଜନାରେ ୨୭ ନମ୍ବର ୱାର୍ଡ଼ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ୨୫ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା । ତେବେ ସେଥି ମଧ୍ୟରେ ଜଳ ନିଷ୍କାସନ ସମସ୍ୟା ପାଇଁ ଦୁଇଟି ପ୍ରକଳ୍ପରେ ମୋଟ ୭ଲକ୍ଷ ଟଙ୍କା ଅର୍ନ୍ତଭୂକ୍ତ । ଉକ୍ତ ୱାର୍ଡ଼ସ୍ଥିତ କାଜିମୋହଲା ମସଜିଦ ଠାରୁ ସେହି ୱର୍ଡ଼ର ସ୍କୁଲ ପର୍ଯ୍ୟନ୍ତ ୩ଲକ୍ଷ ଟଙ୍କା ଓ ଜାବେଦ ଖାଁଙ୍କ ଘର ଠାରୁ ସେକ ମିରଉଦ୍ଦିନଙ୍କ ଘର ପର୍ଯ୍ୟନ୍ତ ୪ଲକ୍ଷ ଟଙ୍କାର ଡ୍ରେନ ନିର୍ମାଣ ପାଇଁ ବ୍ୟୟବରାଦ ହୋଇଥିଲା । କିନ୍ତୁ ଏହି ଦୁଇଟି ଡ୍ରେନ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଛି ବୋଲି ଅଭିଯୋଗ କରିଛନ୍ତି ଆସିକ୍ ଖାଁ, ମତଲୁବ ଅଲ୍ଲୀଙ୍କ ସମେତ ସଂପୃକ୍ତ ଅଞ୍ଚଳର ଶତାଧିକ ବାସିନ୍ଦା । ପ୍ରଥମତଃ ଏଷ୍ଟିମେଟ ଅନୁଯାୟୀ କାର୍ଯ୍ୟ ହୋଇନାହିଁ । କାରଣ ଡ୍ରେନର ଗଭୀରତା ଯେତିକି ରହିବା କଥା ସେତିକି ନାହିଁ । ଫଳରେ ସାମାନ୍ୟ ବର୍ଷାରେ ବର୍ଷା ଜଳ ନିଷ୍କାସନ ହୋଇପାରୁ ନାହିଁ । ଏହାବ୍ୟତୀତ ଯେଉଁ ସ୍ଥାନରେ ଡ୍ରେନର ଆବଶ୍ୟକତା ଥିଲା ସେଠାରେ କରାନଯାଇ ପୁରୁଣା ପୌର ଡ୍ରେନକୁ ମରାମତି କରାଯାଇ ବିଲ ପାସ କରିବାକୁ କିଛି ନ୍ୟସ୍ତସ୍ୱାର୍ଥବାଦୀ ଉଦ୍ୟମ ଚଳାଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ନିୟମାନୁଯାୟୀ ସ୍ୱଛତା ରକ୍ଷା ପାଇଁ କାର୍ଯ୍ୟରମ୍ଭ ପୂର୍ବରୁ ଜନସାଧାରଣଙ୍କ ଗୋଚରାର୍ଥେ ସୂଚନା ଫଳକ ଲାଗିବା କଥା । କିନ୍ତୁ ସେତିକି କରାନଯାଇ କାମ ସରିବା ପରେ ତରବରିଆ ଭାବେ ଫଳକ ଲେଖାଯାଇଛି । ଫଳରେ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଆସିଥିବା ଅନୁଦାନ ପାଣିରେ ପଡ଼ିଛି । ନିର୍ମାଣ ହୋଇଥିବା ଡ୍ରେନ ଲୋକଙ୍କ ହିତରେ ଆସିନଥିବାବେଳେ, ୱାର୍ଡ଼ବାସୀ ଏବେ ନର୍କଯନ୍ତ୍ରଣା ଭେଗୁଛନ୍ତି । ବିଶେଷକରି ବରିଷ୍ଠ ନାଗରିକ ଓ ଛୋଟ ପିଲାମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏହି ଅଞ୍ଚଳରେ ରାସ୍ତା ଉପରେ ଡ୍ରେନ ପାଣିକୁ ନେଇ ଯେପରି ପରିବେଶ ସୃଷ୍ଟି ହୋଇଛି, ତାହା କରୋନା ମହାମାରୀ ସଂକ୍ରମଣକୁ ବଢ଼ାଇବ ବୋଲି ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି । ବିଧାୟକ ଏଥିପ୍ରତି ଦୃଷ୍ଟି ଦେବାକୁ ୱାର୍ଡ଼ବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.