ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -କିଛି ସ୍ୱାର୍ଥନ୍ୱେଷୀଙ୍କ ବ୍ୟକ୍ତିଗତ ସ୍ୱାର୍ଥ ଅଗାରେ ବନ୍ଧା ପଡ଼ିଛି ଗୋ-ସମ୍ପଦଙ୍କ ଭାଗ୍ୟ। ଅଦରକାରୀ ହୋଇ ପଡ଼ିଛନ୍ତି ହିନ୍ଦୁ ଧର୍ମର ପୂଜ୍ୟା ଆରାଧ୍ୟା ଗୋ-ମାତା। ନିଜ ସ୍ୱାର୍ଥ ସାଧନ ପରେ ସ୍ୱାର୍ଥନ୍ୱେଷୀମାନେ ଭୂଲି ଯାଆନ୍ତି ସେମାନଙ୍କ କଥା। କାରଣ ସକାଳ ହେଲେ କ୍ଷୀର ଦୁହିଁଁ ସାରିବା ପରେ ମାଲିକମାନଙ୍କ ସ୍ୱାର୍ଥ ହାସଲ ହୋଇଯାଇଥାଏ। ତେଣୁ ଗୋରୁ-ଗାଈମାନଙ୍କୁ ଛାଡ଼ି ଦିଆଯାଇଥାଏ ଏକ ଅନିଶ୍ଚିତତାର ରାସ୍ତାରେ। ପ୍ରବଳ ବର୍ଷା ହେଉ କି ମୁଣ୍ଡଫଟା ଖରା ଏସମସ୍ତ ଗୋରୁ ଗାଈ ଏଣେତେଣେ ଘୂରିବୁଲନ୍ତି ଓ କେତେବେଳେ କେମିତି ନିଜ ମାଲିକ ଘରକୁ ଫେରନ୍ତି। ଶେଷରେ ମାଲିକ ଥାଇ ମଧ୍ୟ ସେମାନେ ବୁଲା ଗୋରୁର ଆଖ୍ୟା ପାଆନ୍ତି। ଯଦି କ୍ଷୀର ଦେଉଥିବା ଗାଈ ହୋଇଥାଏ ନିଜେ ମାଲିକ ଯାଇ ତାକୁ ଖୋଜି ନିଜ ଘରକୁ ଫେରାଇ ଆଣିଥାଏ। ଅନ୍ୟଥା ସେମାନେ ପୌରାଞ୍ଚଳର ରାଜରାସ୍ତାରେ ଘୂରି ବୁଲନ୍ତି ଓ ଅଧିକାଂଶ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି କରିଥାନ୍ତି। ବୁଲା ଗୋରୁଙ୍କ ପାଇଁ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ପାଇଁ କେତେକ ପୌର କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଥାନ୍ତି। କିନ୍ତୁ ଏପ୍ରକାର ଆରୋପ ଆଣୁଥିବା ବ୍ୟକ୍ତିବିଶେଷ ଗୋରୁ ଗାଈଙ୍କୁ ପାଳୁଥିବା ବ୍ୟକ୍ତିବିଶେଷଙ୍କ ରୁଗ୍ଣ ମାନସିକତାକୁ ଅଣଦେଖା କରି ବସିଥାନ୍ତି।ଲକଡାଉନ୍ ସମୟରେ ଆରମ୍ଭ ହୋଇ ଯାଇଥିଲା ମଣିଷର ଜୀବନ ଜିବୀକା ମଧ୍ୟରେ ଲଢ଼େଇ। କିନ୍ତୁ ପୌରାଞ୍ଚଳରେ ଦେଖିବାକୁ ମିଳିଥିଲା ସେହି ପୁରୁଣା ଦୃଷ୍ୟ। ବହୁ ସଂଖ୍ୟକ ବୁଲା ଗୋରୁ ଘୂରି ବୁଲୁଥିଲେ ପୌରାଞ୍ଚଳରେ। ସମସ୍ତ ଦୋକାନ ବଜାର ବନ୍ଦ। ଖାଇବାକୁ ଗଣ୍ଡେ ପାଉନଥିଲେ। ବାସ୍ତବତାକୁ ବୁଝି ପୌର କର୍ତ୍ତୃପକ୍ଷ ଏସମସ୍ତ ବୁଲା ଗୋରୁଙ୍କୁ ଟ୍ରାକ୍ଟର ଯୋଗେ ଉଠାଇ ନେଇ ପୁରୁଣାବଜାରସ୍ଥିତ ଏକ ଅସ୍ଥାୟୀ କାଞ୍ଜିଆ ହୁଦାରେ ରଖିଥିଲେ, ଯାହାର ସଂଖ୍ୟା ୭୦ରୁ ଅଧିକ ଥିଲା। ପୌର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଅର୍ଥରେ ପ୍ରାଣୀଧନଙ୍କ ଖାଇବା ଦିଗରେ ବହୁ ଲକ୍ଷ ଟଙ୍କା ବ୍ୟୟ କରିଥିଲେ। ବୁଲା ଗୋରୁ ଓ କୁକୁରଙ୍କୁ ଖାଇବାକୁ ଦେବାକୁ ବହୁ ଅର୍ଥ ବ୍ୟୟ କରିଥିଲେ। ଖାଇବାକୁ ଦେବା ଦୃଷ୍ୟର ଫଟୋ ଉଠାଇ ବିଭାଗୀୟ ଟ୍ୟୁଟର ଏକାଉଣ୍ଟରେ ପୋଷ୍ଟ ମଧ୍ୟ କରିଥିଲେ। ତେବେ ପରବର୍ତ୍ତୀ ସମୟରେ କେତେକ ଗୋରୁ ମାଲିକ ପୁରୁଣାବଜାର କାଞ୍ଜିଆ ହୁଦାରେ ପହଞ୍ଚି ଜରିମାନା ଦେଇ ନିଜ ଗୋରୁଙ୍କୁ ମୁକୁଳାଇ ଆଣିଥିଲେ। କିନ୍ତୁ ଲକ୍ଡାଉନ କଟକଣା କୋହଳ ହେବା ପରେ ପରେ ଏବେ ପୁଣି ପୌରାଞ୍ଚଳରେ ଦେଖିବାକୁ ମିଳୁଛି ବୁଲା ଗୋରୁଙ୍କ ଭିଡ଼। ସକାଳୁ ସଂଞ୍ଜ ଯାଏ। ଏପରିକି ରାତିରେ ମଧ୍ୟ ଏସମସ୍ତ ବୁଲା ଗୋରୁ ବୁଲୁଛନ୍ତି। ତେବେ ବର୍ତ୍ତମାନ ସମୟରେ ଗୋ-ସମ୍ପଦ ମଣିଷ ସମାଜ ପାଇଁ ସତେ ଯେପରି ଅଲୋଡ଼ା ହୋଇ ପଡ଼ିଛି। ପୂର୍ବରୁ କୃଷି କ୍ଷେତ୍ରରେ ବଳଦଙ୍କର ଏକ ପ୍ରମୁଖ ଭୂମିକା ଥିଲା। କିନ୍ତୁ ଏବେ ତାହା ଅନୁଭୂତ ହେଉ ନାହିଁ। କାରଣ ଲଙ୍ଗଳରେ ଚାଷ ଏବେ ଇତିହାସର ବିଷୟ ହୋଇଯାଇଛି। କୃଷି କ୍ଷେତ୍ରରେ ହଳ ଠାରୁ ଆରମ୍ଭ କରି ଅମଳ ଓ ପତୁଳି ପକାଇବା ପର୍ଯ୍ୟନ୍ତ ପୂର୍ବରୁ ଥିବା ବଳଦମାନଙ୍କର ଭୂମିକା ନିଭାଉଛି ଟ୍ରାକ୍ଟର, ପାୱାର ଟ୍ରିଲର ଓ ଧାନପିଟା ମେସିନ। କୃଷିକ୍ଷେତ୍ରରେ ବଳଦଙ୍କ ବିନିଯୋଗ ଅପ୍ରାସଙ୍ଗିକ ହୋଇପଡ଼ିବା ପରେ ଏହା ମାଲିକମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟୁଛି। ସମ୍ଭବତଃ ସେହି କାରଣରୁ ରାଜ୍ୟ ବାହାରକୁ ବର୍ତ୍ତମାନ ସମୟରେ ଯେତିକି ଗୋରୁ ଚାଲାଣ ହେଉଛନ୍ତି ସେମାନଙ୍କ ମଧ୍ୟରେ ପ୍ରାୟ ୮୦ପ୍ରତିଶତ ବଳଦ ରହୁଥିବା ଲକ୍ଷ୍ୟ କରାଯାଉଛି। ସେହିଭଳି କ୍ଷୀର ପାଇଁ ଲୋକେ ଗାଈ ପାଳୁଛନ୍ତି। ହେଲେ ସେମାନଙ୍କ ଚରିବା ପାଇଁ ସହରାଞ୍ଚଳରେ ଚାରଣଭୂମୀ ନାହିଁ। ବଜାରରେ ମିଳୁଥିବା ଗୋ-ଖାଦ୍ୟ କିଣିବାର ମାନସିକତା ମଧ୍ୟ ଅଧିକାଂଶ ମାଲିକମାନଙ୍କ ଠାରେ ନାହିଁ। ଏହା ବ୍ୟତୀତ ସହରମାନଙ୍କରେ ବାସପୋଯୋଗୀ ଜମି କମିକମି ଯାଉଥିବା ଓ ଜମିର ଅତ୍ୟଧିକ ଦରବୃଦ୍ଧି କାରଣରୁ ଅଧିକାଂଶ ଲୋକେ ଗୁହାଳ ନିର୍ମାଣ ଅଥବା ରକ୍ଷଣାବେକ୍ଷଣ କଥା ଭୂଲିବାକୁ ବସିଲେଣି। ତେଣୁ ସହରାଞ୍ଚଳରେ ଜମି, ଚାରଣଭୂମୀ ଏବଂ ଘରଦ୍ୱାର ଅଭାବ ଯୋଗୁଁ ଗୋରୁ-ଗାଈଙ୍କୁ ବିଚରଣ କରିବାକୁ ରାସ୍ତା ଘାଟରେ ଲୋକମାନେ ଛାଡ଼ି ଦେଉଛନ୍ତି। ତେଣୁ ବଜାର ରାସ୍ତାପାଶ୍ୱର୍ସ୍ଥ ବର୍ଜ୍ୟବସ୍ତୁ ସ୍ଥଳ, ଉଠା ପରିବା ଦୋକାନ ସାମ୍ନା ସମେତ ସହରର ରାସ୍ତା ପାର୍ଶ୍ୱ ସେମାନଙ୍କ ରହଣୀସ୍ଥଳ ପାଲଟିଛି। ସହରର ଯେଉଁଠି ଦେଖିଲେ ଗାଈପଲ ଓ ଷଣ୍ଢଙ୍କ ଭିଡ଼। ସେସବୁ ସ୍ଥାନରେ ଅତ୍ୟନ୍ତ ଅସହାୟ ଭାବରେ ପଡ଼ିରହି ଅବହେଳିତ ଜୀବନ ବିତାଉଛନ୍ତି ଏହି ଗୋ-ସମ୍ପଦ। ଏପରିକି କୌଣସି ଗୋରୁ ଦୁର୍ଘଟଣାରେ ମୃତ୍ୟୁବରଣ କଲେ, ମୃତ ଗୋରୁଙ୍କ କୌଣସି ଦାବିଦାର ସମ୍ନାକୁ ଆସୁନଥିବା ପରିଲକ୍ଷିତ ହେଉଛି। ଯାହାକି ଏହି ଗୋରୁ ମାଲିକଙ୍କ ସ୍ୱାର୍ଥନ୍ୱେଷୀ ମାନସିକତାର ଏକ ଉଦାହରଣ। ବାସ୍ତବ ଦୃଷ୍ଟିକୋଣରୁ ମଣିଷଙ୍କ ସ୍ୱାର୍ଥ ତଥା ଆଧୁନିକ ଜୀବନଶୈଳୀ ଆଗରେ ବଦଳି ଯାଇଛି ଗୋ-ସମ୍ପଦଙ୍କ ଜୀବନ ଶୈଳୀ। ଫଳରେ ଦିନକୁ ଦିନ ହ୍ରାସ ପାଇ ଚାଲିଛି ଜିଲ୍ଲାରୁ ଗୋ ସମ୍ପଦଙ୍କ ସଂଖ୍ୟା। ଏ ସମସ୍ତ ଗୋରୁ ନିର୍ଦ୍ଧିଷ୍ଟ ମାଲିକଙ୍କର ହୋଇଥିଲେ ମଧ୍ୟ ବଜାରଘାଟରେ ସେମାନଙ୍କ ପରିଚୟ ବୁଲାଗୋରୁ। ବୁଲାଗୋରୁଙ୍କ ପାଇଁ ସହରର ଟ୍ରାଫିକ ବ୍ୟବସ୍ଥା ବିଭିନ୍ନ ସମୟରେ ଗୁରୂତର ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣାର କାରଣ ମଧ୍ୟ ସାଜୁଛି। କାଞ୍ଜିଆହୁଦା ନଥିବା କାରଣରୁ ପୌର କର୍ତ୍ତୃପକ୍ଷ ସହର ମଧ୍ୟରେ ଗୋରୁ ଗାଈଙ୍କ ଅବାଧ ଚଳପ୍ରଚଳ ଉପରେ କୌଣସି ନିୟନ୍ତ୍ରଣ ଆଣି ପାରୁ ନାହାନ୍ତି। ଅପରପକ୍ଷରେ ଗୋ-ପାଳକଙ୍କ ମଧ୍ୟରେ ମଧ୍ୟ ଆସି ପାରୁନି ଅନୁରୂପ ସଚେତନତା। ଗୋ-ସମ୍ପଦ ସଂଖ୍ୟା କମିକମି ଯାଉଥିବାବେଳେ, ସେମାନଙ୍କୁ ଉପଯୁକ୍ତ ଯତ୍ନର ସହ ପାଳନ କରିବାର ଆବଶ୍ୟକତା ଅନୁଭୂତ ହେଉଛି।
Home ଜିଲ୍ଲା ପରିକ୍ରମା ସ୍ୱାର୍ଥ ଆଗରେ ବନ୍ଧା ପଡ଼ିଛି ଗୋ ସମ୍ପଦଙ୍କ ଭାଗ୍ୟ, ବୁଲା ଗୋରୁଙ୍କ ପାଇଁ ପୌରାଞ୍ଚଳର ଟ୍ରାଫିକ...