Home ଜିଲ୍ଲା ପରିକ୍ରମା ବ୍ୟାଙ୍କ ଜମାଖାତାରୁ ଉଭାନ ହୋଇଗଲା ୨୦ ହଜାର : ଦୁଃଖରେ ଗରିବ ଦମ୍ପତି; ପୁଲିସ ଓ...

ବ୍ୟାଙ୍କ ଜମାଖାତାରୁ ଉଭାନ ହୋଇଗଲା ୨୦ ହଜାର : ଦୁଃଖରେ ଗରିବ ଦମ୍ପତି; ପୁଲିସ ଓ ବ୍ୟାଙ୍କ କର୍ତ୍ତୃପକ୍ଷ ଚୁପ

188

ଭଦ୍ରକ, ୨୦-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ରେବତୀ ମହାପାତ୍ର। ସ୍ୱାମୀ ଗଣେଶ ମହାପାତ୍ର। ଘର ଭଦ୍ରକ ଜିଲା ବାସୁଦେବପୁର ଥାନା ନୂଆଗାଁରେ। ପରିବାର କହିଲେ ପୁଅ ଓ ୨ ଝିଅ। ସ୍ୱାମୀ ଗଣେଶ କୁଲି ମଜୁରୀ କରି ଘର ଚଳାନ୍ତି। ନିଜ ଜମିରେ ସୂର୍ଯ୍ୟମୁଖୀ ଚାଷ କରି କିଛି ଟଙ୍କା ବି ପାଆନ୍ତି। କରୋନା ସମୟରେ ରୋଜଗାରର ବାଟ ବନ୍ଦ ହୋଇ ଯାଇଥିବା ବେଳେ ବ୍ୟାଙ୍କରେ ସଞ୍ଚିତ ଅର୍ଥ ସେମାନଙ୍କ ସର୍ବସ୍ୱ। ନିଜ ମାଟି ଘର ଭାଙ୍ଗି ଯିବାରୁ ଅନ୍ୟଜଣଙ୍କ ଜମିରେ ସେମାନେ ପଲା ଘର କରି ଚଳୁଛନ୍ତି। ହେଲେ ଏବେ ଏସବିଆଇ ବାସୁଦେବପୁର ଶାଖାରେ ଥିବା ରେବତୀଙ୍କ ଜମାଖାତାରୁ ଜୁନ୍ ମାସ ୫ ତାରିଖରୁ ଅଗଷ୍ଟ ୪ ତାରିଖ ମଧ୍ୟରେ ୪ଟି ପର୍ଯ୍ୟାୟରେ ୫ହଜାର ଟଙ୍କା ଲେଖାଏଁ ଉଭାନ ହୋଇଯାଇଛି। ଟଙ୍କା ଫେରିପାଇବା ଓ ଅପରାଧୀଙ୍କୁ ଠାବ କରିବା ଲାଗି ଉକ୍ତ ଦମ୍ପତି ବ୍ୟାଙ୍କ ଓ ଥାନାକୁ ଦୌଡି ଦୌଡି ନୟାନ୍ତ ହେବା ପରେ କିଛି ସୁଫଳ ମିଳିନି। ଖବର ଅନୁଯାୟୀ: ଜମାଖାତାରୁୁ ଟଙ୍କା ଉଠାଇବା ଲାଗି ରେବତୀ ଗତ ଜୁନ ୧୮ ତାରିଖରେ ବ୍ୟାଙ୍କରେ ପହଂଚିବା ପରେ ଜମାଖାତାରୁ ୧୫ ହଜାର ଟଙ୍କା ଉଭାନ ହୋଇଯାଇଥିବା ଜଣା ପଡିଥିଲା। ରେବତୀ ନିଜେ ଟଙ୍କା ଉଠାଇ ନଥିବା ବେଳେ ନେଟ ବ୍ୟାଙ୍କିଙ୍ଗ ଜରିଆରେ ଏହି ଟଙ୍କା ଟ୍ରାନସଫର ହୋଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ଜଣାଇଥିଲେ। ନେଟ ବ୍ୟାଙ୍କିଙ୍ଗ୍ ଓ ଏଟିଏମ ବ୍ୟାବହାର ସମ୍ପର୍କରେ ଜାଣିନଥିବା ଦମ୍ପତିଙ୍କ ଅକଲ ଗୁଡୁମ ହୋଇଥିଲା। ବ୍ୟାଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା। ଜୁଲାଇ ୯ ତାରିଖରେ ସେମାନେ ବାସୁଦେବପୁର ଥାନାରେ ଲିଖିତ ଭାବେ ଜଣାଇଲେ। ତେବେ ଅଗଷ୍ଟ ୪ ତାରିଖ ଦିନ ପୁଣି ୫ ହଜାର ଟଙ୍କା ଉଠିଯିବା ପରେ ସେମାନେ ଅଧିକ ବିବ୍ରତ ହୋଇଥିଲେ। ବ୍ୟାଙ୍କକୁ ଯାଇ ପରାମର୍ଶ ଲୋଡିଥିଲେ। ନେଟ୍ ବ୍ୟାଙ୍କିଙ୍ଗ ସେବା ପ୍ରତ୍ୟାହାର କରିବାକୁ ଦରଖାସ୍ତ କରିବା ପରେ ତାହା ବନ୍ଦ ହୋଇଗଲା। ହେଲେ ବାସୁଦେବପୁର ଥାନାକୁ ଯାଇ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ବାବଦରେ ଜାଣିବାକୁ ଚେଷ୍ଟା କଲା ବେଳେ ଥାନାର ଏସ୍‌ଆଇ ମନୋରଞ୍ଜନ ଦାସ କହିଥିଲେ ଯେ, ଅଭିଯୋଗ ପତ୍ର ଅଛି। କୌଣସି ମାମଲା ରୁଜୁ ହୋଇ ନାହିଁ। ପୁଲିସ ମାମଲା ରୁଜୁ କରି ତଦନ୍ତ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ବି ଆଜି ଯାଏ କିଛି ବି ପଦକ୍ଷେପ ନିଆଯାଇ ନାହିଁ। କରୋନା ସମୟରେ ଲୋକ ରୋଜଗାର ହରାଉଥିବା ବେଳେ ରେବତୀ ଓ ଗଣେଶ ଲହୁ, ଲୁହ ଝରାଇ କୁଲି ମଜୁରୀ ଓ ଚାଷ କରି ଟଙ୍କା ସଞ୍ଚୟ କରିଥିଲେ। ସେମାନଙ୍କ ପାଇଁ ଏହା ବଡ ପୁଞ୍ଜି ଥିଲା। ଏବେ କାହା ପାଖକୁ ଗଲେ ଓ କ’ଣ କଲେ ଆମକୁ ନ୍ୟାୟ ମିଳିବ, ଆମ ଟଙ୍କା ଫେରିପାଇବୁ ବୋଲି ଗୁହାରି କରୁଛନ୍ତି ଅସହାୟ ରେବତୀ ଓ ଗଣେଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.