ଦେଶରେ ଜାରି ରହିଥିବା ଢାଂଚାଗତ ସଂସ୍କାରର ଧାରା ଆଜି ଏକ ନୂଆ ସୋପାନରେ ପହଂଚିଛି। ‘ପାରଦର୍ଶୀ ଟିକସ ବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ’, ଏକବିଂଶ ଶତାବ୍ଦୀର ଟିକସ ବ୍ୟବସ୍ଥା ଭାବେ ଆଜି ଏହି ନୂଆ ବ୍ୟବସ୍ଥାର ଲୋକାର୍ପଣ କରାଯାଇଛି।
ଏହି ପ୍ଲାଟଫର୍ମରେ ସାକ୍ଷାତମୁକ୍ତ ଆକଳନ, ସାକ୍ଷାତମୁକ୍ତ ଆବେଦନ ଏବଂ ଟିକସଦାତା ଚାର୍ଟର ଭଳି ବଡ଼ ସଂସ୍କାର ରହିଛି। ସାକ୍ଷାତମୁକ୍ତ ଆକଳନ ଏବଂ ଟିକସଦାତା ଚାର୍ଟର ଆଜିଠାରୁ ଲାଗୁ ହେଉଛି। ସାକ୍ଷାତମୁକ୍ତ ଆବେଦନ ସୁବିଧା ୨୫ ସେପ୍ଟେମ୍ବର ଅର୍ଥାତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ସାରା ଦେଶରେ ନାଗରିକମାନଙ୍କ ପାଇଁ ଉପଲବ୍ଧ ହେବ। ଏବେ ଟିକସ ବ୍ୟବସ୍ଥା ସାକ୍ଷାତମୁକ୍ତ ହେଉଥିଲେ ମଧ୍ୟ ଏହା ଟିକସଦାତାମାନଙ୍କୁ ସ୍ୱଚ୍ଛତା ଏବଂ ଭୟଶୂନ୍ୟତାର ବିଶ୍ୱାସ ପ୍ରଦାନ କରିବ। ମୁଁ ସମସ୍ତ ଟିକସଦାତାମାନଙ୍କୁ ଏଥିପାଇଁ ଅନେକ ଅନେକ ଅଭିନନ୍ଦନ ଜ୍ଞାପନ କରୁଛି ଏବଂ ଆୟକର ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ମଧ୍ୟ ଅନେକ ଅନେକ ଶୁଭକାମନା।
ସାଥୀଗଣ,
ବିଗତ ୬ ବର୍ଷ ଧରି ଆମେ ବ୍ୟାଙ୍କ ସେବାରୁ ବଂଚିତ ଲୋକମାନଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବା, ଅସୁରକ୍ଷିତମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ପାଣ୍ଠିରୁ ବଂଚିତ ଲୋକମାନଙ୍କୁ ପାଣ୍ଠି ଯୋଗାଇ ଦେବା ଦିଗରେ କାର୍ଯ୍ୟ କରିଆସିଛୁ। ସଚ୍ଚୋଟଙ୍କୁ ସମ୍ମାନ। ଦେଶର ସଚ୍ଚୋଟ ଟିକସଦାତା ରାଷ୍ଟ୍ର ନିର୍ମାଣରେ ବହୁତ ବଡ଼ ଭୂମିକା ନିର୍ବାହ କରିଥାନ୍ତି। ଯେତେବେଳେ ଦେଶର ସଚ୍ଚୋଟ ଟିକସଦାତାର ଜୀବନ ସହଜ ହୋଇଥାଏ, ସେ ଆଗକୁ ବଢ଼ିଥାଏ, ସାରା ଦେଶର ମଧ୍ୟ ବିକାଶ ହୋଇଥାଏ, ଦେଶ ମଧ୍ୟ ଆଗକୁ ବଢ଼ିଥାଏ।
ସାଥୀଗଣ,
ଆଜିଠାରୁ ଆରମ୍ଭ ହେଉଥିବା ନୂଆ ବ୍ୟବସ୍ଥା, ନୂଆ ସୁବିଧା, ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନ ପ୍ରତି ଆମର ପ୍ରତିବଦ୍ଧତାକୁ ଅଧିକ ମଜବୁତ କରୁଛି। ଏହା ଦେଶବାସୀଙ୍କ ଜୀବନରେ ସରକାର ଏବଂ ସରକାରୀ ହସ୍ତକ୍ଷେପକୁ ହ୍ରାସ କରିବା ଦିଗରେ ଏକ ବହୁତ ବଡ଼ ପଦକ୍ଷେପ।
ସାଥୀଗଣ, ଆଜି ପ୍ରତ୍ୟେକ ନିୟମ-କାନୁନ, ପ୍ରତ୍ୟେକ ନୀତିକୁ ପ୍ରକ୍ରିୟା ଏବଂ କ୍ଷମତା କୈନ୍ଦ୍ରିକ ଆଭିମୁଖ୍ୟ ଠାରୁ ବାହାରକୁ ଆଣି ତା’କୁ ଜନକୈନ୍ଦ୍ରିକ ଏବଂ ଜନ ଅନକୂଳ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ଏହା ନୂଆ ଭାରତରେ ନୂଆ ପ୍ରଶାସନିକ ମଡେଲର ପ୍ରୟୋଗ। ଏହାର ସୁଖଦ ପରିଣାମ ମଧ୍ୟ ଦେଶକୁ ମିଳିବାରେ ଲାଗିଛି। ଆଜି ପ୍ରତ୍ୟେକଙ୍କୁ ଏପରି ଅନୁଭବ ହେଉଛି ଯେ ଗଳାବାଟ ଠିକ ନୁହେଁ, ଭୁଲ ପଦ୍ଧତି ଆପଣାଇବା ଠିକ ନୁହେଁ। ସେ ସମୟ ଏବେ ଅତୀତ ହୋଇଯାଇଛି। ଏବେ ଦେଶରେ ଏପରି ଏକ ପରିବେଶ ସୃଷ୍ଟି ହୋଇଚାଲିଛି ଯେଉଁଠି କର୍ତବ୍ୟ ଭାବନାକୁ ସର୍ବୋପରି ରଖାଯାଇ ସମସ୍ତ କାମ କରାଯାଉଛି।
ତେବେ ପ୍ରଶ୍ନ ଉଠୁଚି ଯେ ଏପରି ପରିବର୍ତ୍ତନ ଆସିଲା କିପରି। ଏହା କ’ଣ କେବଳ କଠୋର ବ୍ୟବସ୍ଥା କାରଣରୁ ଆସିଛି। ନା, ଆଦୌ ନୁହେଁ। ଏହାର ଚାରିଟି ବଡ଼ କାରଣ ରହିଛି।
ପ୍ରଥମତଃ ନୀତି ଆଧାରିତ ପ୍ରଶାସନ। ଯେତେବେଳେ ନୀତି ସ୍ପଷ୍ଟ ହୁଏ ‘ଗ୍ରେ ଏରିଆ’ର ପ୍ରଭାବ କମ ହୋଇଥାଏ ଏବଂ ଏହି କାରଣରୁ ବ୍ୟବସାୟ, କାରବାରରେ ସତକର୍ତାର ଆବଶ୍ୟକତା କମିଯାଇଥାଏ।
ଦ୍ୱିତୀୟତଃ-ଜନସାଧାରଣଙ୍କର ସଚ୍ଚୋଟତା ଉପରେ ବିଶ୍ୱାସ।
ତୃତୀୟତଃ, ସରକାରୀ ବ୍ୟବସ୍ଥାରେ ମାନବୀୟ ହସ୍ତକ୍ଷେପକୁ ସୀମିତ କରି ଟେକ୍ନୋଲୋଜିର ବ୍ୟାପକ ଉପଯୋଗ। ଆଜି ସରକାରୀ କ୍ରୟ ହେଉ, ସରକାରୀ ଟେଣ୍ଡର କିମ୍ବା ସରକାରୀ ସେବା ପ୍ରଦାନ, ସବୁ ସ୍ଥାନରେ ପ୍ରଯୁକ୍ତି ପ୍ରୟୋଗ କରାଯାଇ ସେବା ପ୍ରଦାନ କରାଯାଉଛି।
ଚତୁର୍ଥତଃ, ଆମର ଯେଉଁ ସରକାରୀ ବ୍ୟବସ୍ଥା, ଅମଲାତନ୍ତ୍ର ରହିଛି ସେଥିରେ ଦକ୍ଷତା, ବିଶ୍ୱସନୀୟତା ଏବଂ ସମ୍ବେଦନଶୀଳତା ଆଦି ଗୁଣ ପାଇଁ ପୁରସ୍କୃତ କରାଯାଉଛି।
ସାଥୀଗଣ,
ଏପରି ଏକ ସମୟ ଥିଲା ଯେତେବେଳେ ଆମ ଦେଶରେ ସଂସ୍କାର ବିଷୟରେ ବ୍ୟାପକ ଆଲୋଚନା ହେଉଥିଲା। କେବେ ବାଧ୍ୟବାଧକତାରେ ନିଷ୍ପତି ନିଆଯାଉଥିଲା, ଆଉ କେବେ ଚାପରେ ପଡ଼ି କେତେକ ନିଷ୍ପତି ନିଆଯାଉଥିଲା, ସେଗୁଡ଼ିକୁ ସଂସ୍କାର ନାଁ ମଧ୍ୟ ଦେଇ ଦିଆଯାଉଥିଲା। ଏହି କାରଣରୁ ଆଶାନୁରୂପ ପରିଣାମ ମିଳୁନଥିଲା। ଏବେ ସେହି ଚିନ୍ତାଧାରା ଓ ଆଭିମୁଖ୍ୟ, ଉଭୟ ବଦଳି ଯାଇଛି। ଆମ ପାଇଁ ସଂସ୍କାରର ଅର୍ଥ, ନୀତିଆଧାରିତ ସଂସ୍କାର, ଖଣ୍ଡିତ ନୁହେଁ ବରଂ ସାମଗ୍ରିକ। ଏହାଛଡ଼ା ଗୋଟିଏ ସଂସ୍କାର ଅନ୍ୟ ସଂସ୍କାରର ଆଧାର ହେଉ, ନୂଆ ସଂସ୍କାର ପାଇଁ ମାର୍ଗ ପ୍ରଶସ୍ତ କରିବା ଭଳି ବ୍ୟବସ୍ଥା କରାଯାଇଛି। ଆମେ ଥରେ ସଂସ୍କାର ଆଣିବା ପରେ ଅଟକି ଯାଇନାହୁଁ। ଏହା ନିରନ୍ତର, ସ୍ଥାୟୀ ଭାବେ ଚାଲିଥିବା ଏକ ପ୍ରକ୍ରିୟା। ବିଗତ କିଛି ବର୍ଷ ମଧ୍ୟ ଦେଶରେ ଦେଢ଼ ହଜାରରୁ ଅଧିକ ଆଇନକୁ ଉଚ୍ଛେଦ କରି ଦିଆଯାଇଛି।
ବ୍ୟବସାୟିକ ସୁଗମତା ର୍ୟାଙ୍କିଙ୍ଗରେ ଭାରତ କିଛି ବର୍ଷ ପୂର୍ବେ ୧୩୪ତମ ସ୍ଥାନରେ ରହିଥିବା ବେଳେ ଆଜି ୬୩ତମ ସ୍ଥାନରେ ରହିଛି। ର୍ୟାଙ୍କିଙ୍ଗରେ ଏତେ ବଡ଼ ପରିବର୍ତ୍ତନ ପଛରେ ଅନେକ ସଂସ୍କାର ରହିଛି, ଅନେକ ନିୟମ-କାନୁନରେ ପରିବର୍ତ୍ତନ ରହିଛି। ସଂସ୍କାର ପ୍ରତି ଭାରତର ଏହି ପ୍ରତିବଦ୍ଧତାକୁ ଦେଖି, ବିଦେଶୀ ନିବେଶକମାନଙ୍କ ବିଶ୍ୱାସ ମଧ୍ୟ ଭାରତ ଉପରେ ଲଗାତାର ବଢ଼ୁଛି। କରୋନାର ଏହି ସଙ୍କଟ ସମୟରେ ମଧ୍ୟ ଭାରତକୁ ରେକର୍ଡ ଏଫଡିଆଇ ଆସିବା, ଏହାର ଏକ ଉଦାହରଣ।
ସାଥୀଗଣ,
ଭାରତର ଟିକସ ବ୍ୟବସ୍ଥାରେ ମୌଳିକ ଏବଂ ଢାଂଚାଗତ ସଂସ୍କାରର ଆବଶ୍ୟକତା ରହିଥିଲା। କାରଣ ଆମ ପାଖରେ ଥିବା ଆଜିର ଏହି ବ୍ୟବସ୍ଥା ଉପନିବେଶବାଦ ସମୟରେ ପ୍ରସ୍ତୁତ ହୋଇଥିଲା ଏବଂ ଏହାପରେ ଧୀରେ ଧୀରେ ବୃଦ୍ଧି ପାଇଛି। ସ୍ୱାଧୀନତା ପରେ ଏଥିରେ ଅଳ୍ପବହୁତ ପରିବର୍ତ୍ତନ କରାଯାଇଥିଲା, କିନ୍ତୁ ବ୍ୟବସ୍ଥାର ବ୍ୟାପକ ସ୍ୱଭାବ ସେହିପରି ରହିଥିଲା।
ଯାହାର ପରିଣାମ ସ୍ୱରୂପ ରାଷ୍ଟ୍ର ନିର୍ମାଣର ଦୃଢ଼ ସ୍ତମ୍ଭ କୁହାଯାଉଥିବା ଟିକସଦାତା, ଯେଉଁମାନେ ଦେଶରୁ ଦାରିଦ୍ର୍ୟ ଦୂରୀକରଣ ଲାଗି ଯୋଗଦାନ ଦେଉଛନ୍ତି, ସେମାନଙ୍କୁ କାଠଗଡ଼ାରେ ଛିଡ଼ା କରାଗଲା। ଆୟକର ବିଭାଗର ନୋଟିସ ବିଚାରାଦେଶ ଭଳି ହୋଇଗଲା। ଦେଶ ସହିତ ଛଳନା କରୁଥିବା କିଛି ହାତଗଣତି ଲୋକମାନଙ୍କ ପରିଚୟ ଲାଗି ଅନେକ ଲୋକଙ୍କୁ ଅନାବଶ୍ୟକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଲା। ଏହାଦ୍ୱାରା ଟିକସଦାତାଙ୍କ ସଂଖ୍ୟା ସଗର୍ବେ ବୃଦ୍ଧି ପାଇବା ବଦଳରେ ସଲାସୁତରା, ଧରାଧରି ପାଇଁ ଏକ ବ୍ୟବସ୍ଥା ସୃଷ୍ଟି ହୋଇଗଲା।
ଏହି ବିସଙ୍ଗତି ମଧ୍ୟରେ କଳା ଓ ଧଳାର ଉଦ୍ୟୋଗ ମଧ୍ୟ ବଢ଼ି ବଢ଼ି ଚାଲିଲା। ଏହି ବ୍ୟବସ୍ଥା ସଚ୍ଚୋଟତାର ସହିତ ବ୍ୟବସାୟ-କାରବାର କରୁଥିବା ଲୋକମାନଙ୍କୁ, ରୋଜଗାର ଦେଉଥିବା ଲୋକମାନଙ୍କୁ ଏବଂ ଦେଶର ଯୁବଶକ୍ତିଙ୍କ ଆକାଂକ୍ଷାକୁ ପ୍ରୋତ୍ସାହିତ କରିବା ବଦଳରେ ଦଳି ମକଚି ଦେଲା।
ସାଥୀଗଣ,
ଯେଉଁଠି ଜଟିଳତା ଥାଏ, ସେଠି ଅନୁପାଳନ ସହଜ ହୋଇନଥାଏ। ଅତି କମ ଆଇନ, ସ୍ପଷ୍ଟ ଆଇନଗତ ବ୍ୟବସ୍ଥା ରହିଲେ ଟିକସଦାତା ଖୁସି ରହିଥାନ୍ତି ଏବଂ ଦେଶ ମଧ୍ୟ। ବିଗତ କିଛି ସମୟ ଧରି ଏହି କାମ ଜାରି ରହିଛି। ଏବେ ଯେପରି ଡଜନରୁ ଊର୍ଦ୍ଧ୍ୱ ଟିକସ ବ୍ୟବସ୍ଥା ବଦଳରେ ଜିଏସଟି ଆସିଛି। ରିଟର୍ଣ୍ଣ ଠାରୁ ଆରମ୍ଭ କରି ରିଫଣ୍ଡର ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅନଲାଇନ କରାଯାଉଛି।
ଯେଉଁ ନୂଆ ସ୍ଲାବ ସିଷ୍ଟମ ଆସିଛି, ତାହାଦ୍ୱାରା ଅକାରଣରେ କାଗଜପତ୍ର ଏବଂ ଦସ୍ତାବିଜ ଯୋଗାଡ଼ କରିବାର ବାଧ୍ୟବାଧକତାରୁ ମୁକ୍ତି ମିଳିଛି। କେବଳ ସେତିକି ନୁହେଁ, ପୂର୍ବରୁ ୧୦ ଲକ୍ଷ ଟଙ୍କା ଠାରୁ ଅଧିକ ବିବାଦକୁ ନେଇ ସରକାର ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିକଟରେ ପହଂଚିଯାଉଥିଲେ। ଏବେ ହାଇକୋର୍ଟରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଏବଂ ସୁପ୍ରିମକୋର୍ଟରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ମାମଲା ଯିବା ଲାଗି ସୀମା ନିର୍ଦ୍ଧାରଣ କରାଯାଇଛି। ବିବାଦରୁ ବିଶ୍ୱାସ ଭଳି ଯୋଜନା ମାଧ୍ୟମରେ ପ୍ରୟାସ କରାଯାଉଛି ଯେ ଅଧିକାଂଶ ମାମଲା କୋର୍ଟ ବାହାରେ ହିଁ ସମାଧାନ ହୋଇଯାଉ। ଏହାର ଫଳସ୍ୱରୂପ ଖୁବ କମ ସମୟ ମଧ୍ୟରେ ପାଖାପାଖି ତିନି ଲକ୍ଷ ମାମଲା ସମାଧାନ କରାଯାଇପାରିଛି।
ସାଥୀଗଣ,
ପ୍ରକ୍ରିୟାଗତ ଜଟିଳତା ସହିତ ଟିକସ ମଧ୍ୟ ଦେଶରେ ହ୍ରାସ କରାଯାଇଛି। ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଏବେ ଜିରୋ ଟିକସ ଲାଗୁ ହେଉଛି। ବାକି ସ୍ଲାବରେ ମଧ୍ୟ ଟିକସ କମ ହୋଇଛି। କର୍ପୋରେଟ ଟିକସ ବ୍ୟାପାରରେ ଆମେ ବିଶ୍ୱର ସବୁଠୁ କମ ଟିକସ ନେଉଥିବା ଦେଶ ଗୁଡ଼ିକ ମଧ୍ୟରୁ ଅନ୍ୟତମ।
ସାଥୀଗଣ,
ଆମର ଟିକସ ବ୍ୟବସ୍ଥାକୁ ବାଧାମୁକ୍ତ(ସିମଲେସ), ଯନ୍ତ୍ରଣାମୁକ୍ତ(ପେନଲେସ), ସାକ୍ଷାତମୁକ୍ତ(ଫେସଲେସ) କରିବା ଲାଗି ପ୍ର୍ରୟାସ କରାଯାଉଛି। ସିମଲେସ ଅର୍ଥାତ ଟିକସ ପ୍ରଶାସନ ପ୍ରତ୍ୟେକ ଟିକସଦାତାଙ୍କୁ ଫସାଇବା ବଦଳରେ ସମସ୍ୟା ସମାଧାନ କରିବାର କାମ କରିବ। ପେନଲେସ ଅର୍ଥାତ ପ୍ରଯୁକ୍ତିଠାରୁ ଆରମ୍ଭ କରି ନିୟମ ପର୍ଯ୍ୟନ୍ତ ସବୁକିଛି ସହଜ ହେବ। ଫେସଲେସ ଅର୍ଥାତ ଟିକସଦାତା ଏବଂ ଟିକସ ଅଧିକାରୀ ଯିଏ ହୁଅନ୍ତୁ ନା କାହିଁକି ସେଥିରେ କିଛି ଯାଏଆସେ ନାହିଁ। ଆଜି ଠାରୁ ଲାଗୁ ହେଉଥିବା ସଂସ୍କାର ଏହି ଚିନ୍ତାଧାରାକୁ ଆଗକୁ ବଢ଼ାଇବ।
ସାଥୀଗଣ,
ବର୍ତମାନ ସୁଦ୍ଧା ଏପରି ହୋଇଆସୁଥିଲା, ଯେଉଁ ସହରରେ ଆମେ ରହୁଛୁ, ସେହି ସହରର ଟିକସ ବିଭାଗ ଆମର ଟିକସ ସମ୍ବନ୍ଧୀୟ ସମସ୍ତ ମାମଲାଗୁଡ଼ିକୁ ଦେଖୁଥିଲା। ଯାଂଚ ହେଉ, ନୋଟିସ ହେଉ, ସର୍ବେକ୍ଷଣ ହେଉ କିମ୍ବା ବାଜ୍ୟାପ୍ତି, ଏଥିରେ ସେହି ସହରର ଆୟକର ବିଭାଗ, ଆୟକର ଅଧିକାରୀ ମୁଖ୍ୟ ଭୂମିକା ନିର୍ବାହ କରୁଥିଲେ। ଏବେ ଏହି ଭୂମିକା ଏକ ପ୍ରକାର ଶେଷ ହୋଇଯାଇଛି। ଏବେ ଏହାକୁ ଟେକ୍ନୋଲୋଜି ସହାୟତାରେ ବଦଳାଇ ଦିଆଯାଇଛି।
ଏବେ ଯାଂଚ ମାମଲାକୁ ଦେଶର ଯେକୌଣସି କ୍ଷେତ୍ରରେ ଯେକୌଣସି ଅଧିକାରୀଙ୍କ ନିକଟକୁ ରାଣ୍ଡମ (ମିଶ୍ରିତ) ଭାବେ ଆବଂଟିତ କରିଦିଆଯିବ। ଧରାଯାଉ, ମୁମ୍ବାଇରେ କେହି ଜଣେ ଟିକସଦାତାଙ୍କ ରିଟର୍ଣ୍ଣ ସଂକ୍ରାନ୍ତ ମାମଲା ସାମ୍ନାକୁ ଆସିଛି, ଏବେ ଏହାର ଯାଂଚ ଦାୟିତ୍ୱ ମୁମ୍ବାଇର ଅଧିକାରୀଙ୍କ ପାଖକୁ ଯିବ ନାହିଁ, ବରଂ ସମ୍ଭବତଃ ଏହି ମାମଲା ଚେନ୍ନାଇର ଫେସଲେସ ଟିମ ପାଖକୁ ଯାଇପାରେ। ଆହୁରି ସେଠାରୁ ମଧ୍ୟ ଯେଉଁ ଆଦେଶ ଜାରି ହେବ ଅନ୍ୟ କୌଣସି ସହରରେ ତା’ର ସମୀକ୍ଷା କରାଯିବ, ଯେପରିକି ଜୟପୁର କିମ୍ବା ବେଙ୍ଗାଲୁରୁର ଟିମ କରିବ। ଫେସଲେସ ଟିମ କେଉଁଠି ହେବ, ଏଥିରେ କେଉଁମାନେ ରହିବେ, ତାହା ମଧ୍ୟ ମିଶ୍ରିତ ଭାବେ କରାଯିବ। ପ୍ରତିବର୍ଷ ଏଥିରେ ପରିବର୍ତ୍ତନ ଜାରି ରହିବ।
ସାଥୀଗଣ,
ଏହି ବ୍ୟବସ୍ଥା ଫଳରେ ଟିକସଦାତା ଆୟକର କାର୍ଯ୍ୟାଳୟରେ ଚିହ୍ନା-ପରିଚିତ ସୃଷ୍ଟି କରିବା ଏବଂ ଚାପ ପକାଇବାର ସୁଯୋଗ ରହିବ ନାହିଁ। ସମସ୍ତେ ନିଜ ନିଜ ଦାୟିତ୍ୱକୁ ହିସାବ କରି କାମ କରିବେ। ଏହାଦ୍ୱାରା ଅନାବଶ୍ୟକ ମାମଲାଖୋରୀର ଲାଭ ବିଭାଗକୁ ମିଳିବ। ଅନ୍ୟପକ୍ଷରେ ଟ୍ରାନ୍ସଫର-ପୋଷ୍ଟିଂରେ ଖର୍ଚ୍ଚ ହେଉଥିବା ଅନାବଶ୍ୟକ ଶ୍ରମରୁ ମଧ୍ୟ ରକ୍ଷା ମିଳିବ। ସେହିପରି ଟିକସ ସହ ଜଡ଼ିତ ମାମଲାଗୁଡ଼ିକର ଯାଂଚ ସହିତ ଆବେଦନ ମଧ୍ୟ ଏବେ ଫେସଲେସ (ସାକ୍ଷାତମୁକ୍ତ) ହେବ।
ସାଥୀଗଣ,
ଟିକସଦାତା ଚାର୍ଟର ମଧ୍ୟ ଦେଶର ବିକାଶଯାତ୍ରା ଦିଗରେ ବହୁତ ବଡ଼ ପଦକ୍ଷେପ। ଭାରତର ଇତିହାସରେ ପ୍ରଥମ ଥର ପାଇଁ କରଦାତାମାନଙ୍କ ଅଧିକାର ଏବଂ କର୍ତବ୍ୟକୁ ସୂଚୀତ କରାଯାଇଛି, ସେମାନଙ୍କୁ ମାନ୍ୟତା ଦିଆଯାଇଛି। ଟିକସଦାତାମାନଙ୍କୁ ଏପରି ସ୍ତରରେ ସମ୍ମାନ ଓ ସୁରକ୍ଷା ଦେଉଥିବା ହାତଗଣତି ଦେଶ ମଧ୍ୟରେ ଏବେ ଭାରତ ସାମିଲ ହୋଇଯାଇଛି। ଏବେ ଟିକସଦାତାମାନଙ୍କୁ ଉଚିତ, ବିନମ୍ର ଓ ତର୍କସଂଗତ ବ୍ୟବହାର ପାଇଁ ଭରସା ଦିଆଯାଇଛି। ଅର୍ଥାତ ଆୟକର ବିଭାଗ ଏବେ ସମ୍ବେଦଶୀଳତା ସହିତ ଟିକସଦାତାଙ୍କ ସମ୍ମାନ ପ୍ରତି ଧ୍ୟାନ ରଖିବ। ଏବେ ଟିକସଦାତାଙ୍କ କଥାରେ ତା’କୁ ବିଶ୍ୱାସ କରିବାକୁ ହେବ, ବିଭାଗ ଏବେ ଅକାରଣରେ ଟିକସଦାତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିପାରିବ ନାହିଁ। ଯଦି କୌଣସି ପ୍ରକାର ସନ୍ଦେହ ରହିଛି ତାହେଲେ ଟିକସଦାତାଙ୍କୁ ଏବେ ଆବେଦନ ଓ ସମୀକ୍ଷା କରିବାର ଅଧିକାର ଦିଆଯିବ।
ସାଥୀଗଣ,
ଅଧିକାର ସବୁବେଳେ ଦାୟିତ୍ୱ ସହିତ ଆସିଥାଏ, କର୍ତବ୍ୟ ସହିତ ଆସିଥାଏ। ଏହି ଚାର୍ଟରରେ ମଧ୍ୟ ଟିକସଦାତାଙ୍କ ଠାରୁ କିଛି ଆଶା କରାଯାଇଛି। ଟିକସଦାତାଙ୍କ ପାଇଁ ଟିକସ ଦେବା କିମ୍ବା ସରକାରଙ୍କ ପାଇଁ ଟିକସ ନେବା, ଏହା କୌଣସି ଅଧିକାରର ବିଷୟ ନୁହେଁ, ବରଂ ଏହା ଉଭୟଙ୍କ ଦାୟିତ୍ୱ। ଟିକସଦାତାଙ୍କୁ ଏଥିପାଇଁ ଟିକସ ଦେବାକୁ ହେବ ଯେ ଏହାଦ୍ୱାରା ବ୍ୟବସ୍ଥା ଚାଲିଥାଏ, ଦେଶର ଏକ ବଡ଼ ଜନସଂଖ୍ୟା ପ୍ରତି ଦେଶ ନିଜର ଦାୟିତ୍ୱ ନିର୍ବାହ କରି ପାରିଥାଏ।
ଏହି ଟିକସ ବଳରେ ନିଜେ ଟିକସଦାତା ମଧ୍ୟ ଉନ୍ନତି ଲାଗି, ପ୍ରଗତି ଲାଗି, ଉନ୍ନତ ସୁବିଧା ଏବଂ ଭିତିଭୂମି ପାଇପାରିଥାଏ। ଅନ୍ୟପଟେ ସରକାରଙ୍କ ଦାୟିତ୍ୱ ହେଉଛି ଟିକସଦାତାଙ୍କ ଦ୍ୱାରା ପ୍ରଦତ ଗୋଟିଏ ଗୋଟିଏ ଟଙ୍କାର ସଦୁପଯୋଗ କରିବା। ଏପରି ସ୍ଥିତିରେ ଆଜି ଯେତେବେଳେ ଟିକସଦାତାଙ୍କୁ ସୁବିଧା ଓ ସୁରକ୍ଷା ମିଳୁଛି, ଦେଶର ପ୍ରତ୍ୟେକ ଟିକସଦାତା ନିଜ ଦାୟିତ୍ୱ ପ୍ରତି ଅଧିକ ସଚେତନ ହେବେ ବୋଲି ଆଶା କରାଯାଉଛି।
ସାଥୀଗଣ,
ଦେଶବାସୀଙ୍କ ପ୍ରତି ଭରସା, ଏହି ଚିନ୍ତାଧାରାର ପ୍ରଭାବ କିପରି ଭାବେ ତୃଣମୂଳ ସ୍ତରରେ ପରିଲକ୍ଷିତ ହେଉଛି, ଏହା ବୁଝିବା ମଧ୍ୟ ଅତ୍ୟନ୍ତ ଜରୁରି। ୨୦୧୨-୧୩ରେ ଯେତିକି ଟିକସ ରିଟର୍ଣ୍ଣ ଦାଖଲ କରାଯାଉଥିଲା, ସେଥିମଧ୍ୟରୁ ୦-୯୪ ପ୍ରତିଶତ ଯାଂଚ କରାଯାଉଥିଲା। ୨୦୧୮-୧୯ ଏହି ତଥ୍ୟ ହ୍ରାସ ପାଇ ୦-୨୬ ପ୍ରତିଶତରେ ପହଂଚିଛି। ଅର୍ଥାତ ମାମଲା ଯାଂଚ, ପାଖାପାଖି ୪ଗୁଣା କମ ହୋଇଛି। ଯାଂଚ ୪ ଗୁଣା କମ ହେବା, ବ୍ୟାପକ ପରିବର୍ତ୍ତନକୁ ଦର୍ଶାଉଛି।
ସାଥୀଗଣ,
ବିଗତ ୬ ବର୍ଷ ମଧ୍ୟରେ ଭାରତର ଟିକସ ବ୍ୟବସ୍ଥାରେ ପ୍ରଶାସନର ଏକ ନୂଆ ମଡେଲ ବିକଶିତ ହୋଇଥିବା ପରିଲକ୍ଷିତ ହୋଇଛି।
ଆମେ ଜଟିଳତା ହ୍ରାସ କରିଛୁ, ଟିକସ କମାଇଛୁ, ବିବାଦ କମାଇଛୁ, ସ୍ୱଚ୍ଛତା ବଢ଼ାଇଛୁ, ଟିକସ ଅନୁପାଳନ ବଢ଼ାଇଛୁ, ଟିକସଦାତାଙ୍କ ବିଶ୍ୱାସ ବଢ଼ାଇଛୁ।
ସାଥୀଗଣ,
ଏ ସମସ୍ତ ପ୍ରୟାସ ମଧ୍ୟରେ ବିଗତ ୬-୭ ବର୍ଷ ମଧ୍ୟରେ ଆୟକର ରିଟର୍ଣ୍ଣ ଭରୁଥିବା ଲୋକଙ୍କ ସଂଖ୍ୟା ପାଖାପାଖି ଅଢ଼େଇ କୋଟି ବଢ଼ିଛି। କିନ୍ତୁ ଏହା ମଧ୍ୟ ସତ୍ୟ ଯେ ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଏହା ଏବେବି ଖୁବ କମ ରହିଛି। ଏତେ ବଡ଼ ଦେଶରେ ମାତ୍ର ଦେଢ଼ କୋଟି ସାଥୀ ଆୟକର ଜମା କରୁଛନ୍ତି। ଏଥିପ୍ରତି ଦେଶକୁ ଆତ୍ମଚିନ୍ତନ କରିବାକୁ ହେବ। ଆତ୍ମନିର୍ଭର ଭାରତ ଲାଗି ଆତ୍ମଚିନ୍ତନ ଜରୁରି। ଏ ଦାୟିତ୍ୱ କେବଳ ଆୟକର ବିଭାଗର ନୁହେଁ, ପ୍ରତ୍ୟେକ ଭାରତୀୟଙ୍କର। ଯେଉଁମାନେ ଟିକସ ଦେବା ଲାଗି ସକ୍ଷମ, କିନ୍ତୁ ଏବେ ସୁଦ୍ଧା ଟିକସ ବ୍ୟବସ୍ଥା ଭିତରକୁ ଆସିନାହାନ୍ତି, ସେମାନେ ସ୍ୱେଚ୍ଛାକୃତ ଭାବେ ଆଗକୁ ଆସନ୍ତୁ, ଏହା ମୋର ଅନୁରୋଧ ଏବଂ ଆଶା।
ଆସନ୍ତୁ ବିଶ୍ୱାସର ସହିତ, ଅଧିକାର ଓ ଦାୟିତ୍ୱ ଏହି ସମ୍ମିଳିତ ଭାବନାର ସମ୍ମାନ କରି, ନୂଆ ଭାରତ, ଆତ୍ମନିର୍ଭର ଭାରତର ସଂକଳ୍ପକୁ ସିଦ୍ଧ କରିବା। ପୁଣିଥରେ ଦେଶର ବର୍ତମାନ ଏବଂ ଭବିଷ୍ୟତର ଟିକସଦାତାମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭକାମନା।।
ବହୁତ-ବହୁତ ଧନ୍ୟବାଦ।