Home ଓଡ଼ିଶା ରାଜ୍ୟର ଚାଷୀଭାଇ ମାନେ ଗୋଟିଏ ବି ଟଙ୍କା ଫେରସ୍ତ କରନ୍ତୁ ନାହିଁ: ପ୍ରଦୀପ୍ତନାଏକ

ରାଜ୍ୟର ଚାଷୀଭାଇ ମାନେ ଗୋଟିଏ ବି ଟଙ୍କା ଫେରସ୍ତ କରନ୍ତୁ ନାହିଁ: ପ୍ରଦୀପ୍ତନାଏକ

113

କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀ ଦର୍ଶାଇ ଚାଷୀଙ୍କୁ ନୋଟିସ ପଠାଯିବା ପ୍ରସଙ୍ଗ

ଭୁବନେଶ୍ୱର, ୨୬/୦୭ (ଓଡ଼ିଆ ପୁଅ) : କାଳିଆ ଯୋଜନାକୁ ରାଜ୍ୟ ସରକାର ତରବରିଆ ଭାବେ ଆରମ୍ଭ କରିଥିଲେ। ଶାସକ ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ଆପଣେଇବା ପାଇଁ କାଳିଆ ଯୋଜନା ଲାଗୁ କରିଥିଲା। ଦଳୀୟ କର୍ମୀମାନଙ୍କୁ ହିତାଧିକାରୀ ଚିହ୍ନଟ କରି ଏହି ଯୋଜନା ମାଧ୍ୟମରେ ଟଙ୍କା ବଂଟାଯାଇଥିଲା। ଆଉ ଏବେ ନିର୍ବାଚନ ସରିବା ପରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ଅର୍ଥ ଫେରାଇବା କହି ଚାଷୀଙ୍କ ମନରେ ଆତଙ୍କ ସୃଷ୍ଟି କରୁଛନ୍ତି ରାଜ୍ୟସରକାର। ଏବେ ରାଜ୍ୟସରକାର ୩ ଲକ୍ଷ ୪୧ ହଜାର ଚାଷୀଙ୍କ ଠାରୁ ୫ ହଜାର ଟଙ୍କା ଲେଖାଏଁ ୧ ମାସ ଭିତରେ ଫେରାଇବା ପାଇଁ ନୋଟିସ କରିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଚାଷୀଭାଇମାନେ ସରକାରଙ୍କୁ ଟଙ୍କା ମାଗିନଥିଲେ। ଏଣୁ ରାଜ୍ୟର ଚାଷୀଭାଇ ମାନେ ଗୋଟିଏ ବି ଟଙ୍କା ଫେରସ୍ତ କରନ୍ତୁ ନାହିଁ ବୋଲି ମୁଖ୍ୟ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ କହିଛନ୍ତି।

କାଳିଆ ଯୋଜନା ଆରମ୍ଭରୁ ପ୍ରଥମେ ହିତାଧିକାରୀଙ୍କ ପାଖରୁ ଦରଖାସ୍ତ ଗ୍ରହଣ କରାଯାଇଥିବ ଏବଂ ଏହାକୁ ତନଖି କରି ଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଥିବ। କିନ୍ତୁ ନିର୍ବାଚନ ଥିବାରୁ ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ତରବରିଆ ଭାବେ ଲାଗୁ କରି ୫ ହଜାର ଟଙ୍କା ଲେଖାଏଁ ୫୧ ଲକ୍ଷ ଲୋକଙ୍କୁ ବାଂଟି ଭୋଟ ହାତେଇଥିଲେ। ଏବେ ୩ ଲକ୍ଷ ୪୧ ହଜାର ଚାଷୀଙ୍କୁ ଅଯୋଗ୍ୟ ଦର୍ଶାଇ ସେମାନଙ୍କ ଠାରୁ ୧୭୦ କୋଟି ୫୦ ଲକ୍ଷ ଟଙ୍କା ଆଦାୟ କରିବାକୁ ବସିଛନ୍ତି। ଚାଷୀମାନେ ପଇସା ମାଗିନଥିଲେ। ସରକାର ତାଙ୍କ ସ୍ୱାର୍ଥ ପାଇଁ କାଳିଆ ଯୋଜନାକୁ ଲାଗୁ କରିଥିଲେ। ରାଜ୍ୟର କୌଣସି ଚାଷୀଭାଇ ସେମାଙ୍କର ଟଙ୍କା ନଫେରାଇଲେ କିଛି ବି ଅସୁବିଧା ହେବ ନାହିଁ ବୋଲି ଶ୍ରୀ ନାଏକ କହିଛନ୍ତି।

ରାଜ୍ୟସରକାର ଚାଷୀଙ୍କ ପାଖରୁ ଅର୍ଥ ଆଦାୟ କରିବାର ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ। କାଳିଆ ଯୋଜନାରେ ତାଲିକାରେ ଯେଉଁ ଅଧିକାରୀମାନେ ନିଜ କ୍ଷମତାକୁ ଅପବ୍ୟବହାର କରି ଅଯୋଗ୍ୟ ହିତାଧିକାରୀମାନଙ୍କୁ ସାମିଲ କରିଛନ୍ତି ସେହି ସରକାରୀ ଅଫିସର ଏବଂ କୃଷି ଅଧିକାରୀମାନଙ୍କ ଠାରୁ ଏହି ଅର୍ଥ ଆଦାୟ କରାଯାଉ ବୋଲି ଶ୍ରୀ ନାଏକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.