Home ଓଡ଼ିଶା ଏବେ ଆଳୁର ପାଳି

ଏବେ ଆଳୁର ପାଳି

345

ପିଆଜର ଆକାଶଛୁଆଁ ମୂଲ୍ୟ ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ଆଳୁର ମୂଲ୍ୟ ଗତ ଦୁଇ ମାସ ମଧ୍ୟରେ କିଲୋ ପିଛା ୧୦ରୁ ୧୫ ଟଙ୍କା ବୃଦ୍ଧି ପାଇଛି। ପିଆଜ ପରେ ଏବେ ଆଳୁର ପାଳି ବୋଲି ନିସନ୍ଦେହରେ କୁହାଯାଇପାରେ। ସ୍ମରଣଯୋଗ୍ୟ ଯେ, କିଛି ମାସ ପୂର୍ବରୁ ଦେଶରେ ପିଆଜର କିଲୋ ପିଛା ମୂଲ୍ୟ ୮୦ରୁ ୧୦୦ଟଙ୍କା ପର୍ଯ୍ୟନ୍ତ ବଢିଥିଲା। ଏବେ ପିଆଜର ମୂଲ୍ୟ ୨୦ରୁ ୨୫ ଟଙ୍କାକୁ ଖସିଥିବା ବେଳେ ଆଳୁ ମୂଲ୍ୟ ଉର୍ଦ୍ଧ୍ୱମୁହାଁ ହୋଇଛି। ତାହା ପୁଣି ଦେଶରେ ପ୍ରାଣଘାତୀ କରୋନା ମହାମାରୀର ମୁକାବିଲା ପାଇଁ ଲକଡାଉନ(ତାଲାବନ୍ଦ) ଜାରି ରହିଥିବା ସମୟରେ। ଦେଶରେ ଦୀର୍ଘ ତାଲାବନ୍ଦ ଯୋଗୁଁ ସବୁ କିଛି ଠପ୍ ହୋଇଯାଇଥିବା ବେଳେ ଗରିବ, ଖଟିକିଆ ଲୋକ କାମଧନ୍ଦା ନପାଇ ଘରେ ବସି ରହିଥିବା ବେଳେ ବେରୋଜଗାରୀ ଚରମ ସୀମାରେ ପହଁଚିଥିବା ବେଳେ ଗରିବର ଭାତ ଥାଳିର ଚୀର ସାଥି ଭାବେ ପରିଚିତ ଆଳୁ’ର ମୂଲ୍ୟ ବୃଦ୍ଧି ଏବେ ହାଣ୍ଡିଶାଳ ଉପରେ ପ୍ରହାର ବୋଲି ନିସନ୍ଦେହରେ କୁହାଯାଇପାରିବ। କିଛି ମାସ ତଳେ ପିଆଜ ଆଖିରୁ ଲୁହ ଗଡାଇଥିଲା, ଏବେ ଆଳୁ ଲୁହ ଗଡାଇବା ଆରମ୍ଭ କରିଛି। ଆଗକୁ ଆଳୁ ଦର ଆହୁରି ବଢିବ ବୋଲି ବ୍ୟବସାୟୀମାନଙ୍କ ଠାରୁ ଶୁଣିବାକୁ ମିଳୁଛି। ଚାହିଦା ତୁଳନାରେ କମ୍ ଆଳୁ ଆସୁଥିବାରୁ ମୂଲ୍ୟ ବୃଦ୍ଧି ଘଟିଛି ବୋଲି କୁହାଯାଇଛି। ପଶ୍ଚିମବଙ୍ଗର ବ୍ୟବସାୟୀମାନେ ମନଇଚ୍ଛା ଦର ବଢାଇଥିବାରୁ ରାଜ୍ୟରେ ଆଳୁର ଦର ବଢିବାରେ ଲାଗିଛି। ଏହା ସତ୍ୟ ଯେ, ଆଳୁ ଉତ୍ପାଦନରେ ଆମ ରାଜ୍ୟ ଆତ୍ମନିର୍ଭରଶୀଳ ନୁହେଁ। ଆଳୁ ଉତ୍ପାଦନ ପାଇଁ ଆମ ରାଜ୍ୟରେ ଆଳୁ ମିଶନ ପ୍ରତିଷ୍ଠା ହୋଇଥିଲେ ମଧ୍ୟ, ତାହା ଏବେ ସୁପ୍ତପ୍ରାୟ ରହିଛି। କେବଳ ଏତିକି ନୁହେଁ, ଯେଉଁ ସବୁ ଅଂଚଳରେ ଆଳୁ ଉତ୍ପାଦିତ ହୁଏ, ଶୀତଳ ଭଣ୍ଡାର ଅଭାବରୁ ଚାଷୀ ଶାଗମାଛ ଦରରେ ଆଳୁ ବିକ୍ରୀ କରିଥାଏ। ଏପରିକି ଅମଳ ସମୟରେ ବେପାରୀ କ୍ୱିଟାଂଲ ପିଛା ୩୦୦ଟଙ୍କା ଅର୍ଥାତ୍ କିଲୋ ୩ଟଙ୍କା ଦରରେ କିଣି ନେଇଥାନ୍ତି। ସେତେବେଳେ ଚାଷୀ ଅଭାବୀ ବିକ୍ରୀର ଶିକାର ହୋଇଥିଲା। ରିପୋର୍ଟ ପ୍ରକାଶ ପାଇଛି ଯେ, ରାଜ୍ୟର ବିଭିନ୍ନ ଅଂଚଳରେ ଶୀତଳ ଭଣ୍ଡାର ରହିଥିବା ବେଳେ ସେଗୁଡିକ ଅଚଳ ଅବସ୍ଥାରେ ରହିଛି। ସେଗୁଡିକୁ କାର୍ଯ୍ୟକ୍ରମ କରିବା ପାଇଁ ସରକାର ପ୍ରତିବର୍ଷ ବିଧାନସଭାର ହେଉ ବା ସଭା ସମିତିରେ ହେଉ ଘୋଷଣା କରିଥାନ୍ତି, ମାତ୍ର ଘୋଷଣା କେବଳ ଘୋଷଣାରେ ରହିଯାଇଥାଏ। ଆଳୁ ସାଇତି ରଖିବା ପାଇଁ ଶୀତଳ ଭଣ୍ଡାର ଅଭାବରୁ ଅଭାବୀ ବିକ୍ରୀର ସମ୍ମୁଖୀନ ହୋଇଥିବା ବେଳେ ଏବେ ବ୍ୟବସାୟିକ ତା’ର ଫାଇଦା ଉଠାଇବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ସରକାର ମଧ୍ୟ ଅସହାୟ ହୋଇପଡ଼ିଥିବା ମନେହୁଏ। ଯୋଗାଣ ବିଭାଗ ଏକପ୍ରକାର ନିଷ୍କ୍ରିୟ ହୋଇପଡ଼ିଛି। ଯାହାର ଶୀକାର କେବଳ ଖାଉଟି ହେବା ସାର ହୋଇଛି। ଲକଡାଉନ ଯୋଗୁଁ କାମଧନ୍ଦା ଅଭାବରୁ ଲୋକେ ବେରୋଜଗାରୀ ହୋଇପଡ଼ିଥିବା ବେଳେ ପେଟକୁ ଦାନା ଦେବା ପାଇଁ ପ୍ରଧାନମନ୍ତ୍ରୀ ଦେଶର ଦୁଇ ତୃତୀୟାଂଶ ଗରିବ ପରିବାରକୁ ମୁଣ୍ଡପିଛା ମାସିକ ୫କେଜି ଚାଉଳ ଓ ପରିବାରକୁ ମାସିକ ୧କିଲୋ ଡାଲି ମାଗଣାରେ ୮ମାସ ପର୍ଯ୍ୟନ୍ତ ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି। ରାଜ୍ୟ ସରକାର ମଧ୍ୟ କେନ୍ଦ୍ର ସରକାରଙ୍କ ପଦାଙ୍କ ଅନୁସରଣ କରି ଅନୁରୂପ ମାଗଣା ଚାଉଳ ଓ ଡାଲି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଯୋଗାଇ ଦେବା ପାଇଁ ଘୋଷଣା କରିଥିବା ବେଳେ ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ଭାତ ଥାଳିରୁ ଆଳୁ ଏବେ ଉଭାନ ହୋଇଯାଇଛି। କହିବା ବାହୁଲ୍ୟ ଯେ, ଆଳୁ ପିଆଜ ହେଉଛି ଗରିବର ଭାତ ଥାଳିର ସାଥି। ଅନ୍ୟ କିଛି ତରକାରୀ ନଥିବା ବେଳେ କେବଳ ଆଳୁ ପିଆଜ ହିଁ ଗରିବର ଭରସା ହୋଇ ଆସିଛି ଏବେ ଆଳୁର ମୂଲ୍ୟ ବୃଦ୍ଧି ଗରିବ ପେଟ ଏବଂ ହାଣ୍ଡିଶାଳ ଉପରେ ସିଧାସଳଖ ନାତ ବୋଲି କୁହାଯାଇପାରିବ। ସରକାର ସିନା ମାଗଣାରେ ଭାତ ଦେଲେ ଅନ୍ୟପଟେ ଆଳୁର ମୂଲ୍ୟ ବଢାଇଦେଲେ ବୋଲି ଶୁଣିବାକୁ ମିଳେ। ଆଳୁର ମୂଲ୍ୟ ବୃଦ୍ଧି କେବଳ ବ୍ୟବସାୟୀଙ୍କ ଲାଭଖୋର ମନୋବୃତି ପାଇଁ ଏକାକୀ ଦାୟୀ ବୋଲି କଦାପି କୁହାଯାଇପାରିବ ନାହିଁ। ସ୍ମରଣ ଯୋଗ୍ୟ ଯେ, ଦେଶରେ ୬୮ ଦିନିଆ ଲକଡାଉନ୍ ପରେ ଦେଶରେ ଏବେ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲର ଦୈନନ୍ଦିନ ମୂଲ୍ୟ ବଢିବାରେ ଲାଗିଛି। ଇତିମଧ୍ୟରେ ଡିଜେଲର ଦୈନନ୍ଦିନ ମୂଲ୍ୟ ବଢିବାରେ ଲାଗିଛି। ଇତିମଧ୍ୟରେ ଡିଜେଲର ମୂଲ୍ୟ ୧୧ଟଙ୍କା ପାଖାପାଖି ବଢିଥିବା ବେଳେ ପେଟ୍ରୋଲର ମଧ୍ୟ ସମାନ୍ତରାଳ ଭାବେ ବଢିଚାଲିଛି। ଯାହାର ପରିଣତି ସ୍ୱରୁପ ଦେଶରେ ପରିବହନ ଜନିତ ଖର୍ଚ୍ଚବୃଦ୍ଧି ଯୋଗୁଁ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମ୍ରଗୀର ମୂଲ୍ୟ ହୁ ହୁ ହୋଇ ବଢିଚାଲିଛି। ଏବେ ଖାଉଟିଙ୍କ ଉପରେ ଏହର ସିଧାସଳଖ ପ୍ରଭାବ ପଡ଼ିଛି। ସାଂପ୍ରତିକି ଘଡିସନ୍ଧି ସମୟରେ ଚାହିଦା ମୁତାବକ ଆଳୁ ଯୋଗାଣକୁ ରାଜ୍ୟ ସରକାର ସୁନିଶ୍ଚିତ କରିବା ଜରୁରୀ, କେବଳ ଏତିକି ନୁହେଁ ସରକାର ଆଳୁର ମୂଲ୍ୟ ସ୍ଥିର ରଖିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ଅନ୍ୟଥା ଭୋକିଲା ମଣିଷ କଦାପି କ୍ଷମା ଦେବ ନାହିଁ। ବେରୋଜଗାରୀ ମଣିଷର କ୍ରୟ ଶକ୍ତିର ବାହାରକୁ ଆଳୁ ମୂଲ୍ୟ ଯେପରି ନଯାଏ, ସେଥିପ୍ରତି ସରକାର ଯତ୍ନବାନ ହୁଅନ୍ତୁ। ଅନ୍ୟଥା ଲୋକେ କହିବେ ମାଗଣାରେ ଚାଉଳ ଦେଲେ ସିନା ଆଳୁରେ ନେଲେ।
– ସୌଭାଗ୍ୟ ରଂଜନ ମହାନ୍ତି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.