Home ଓଡ଼ିଶା ନୟାଗଡ଼ରେ କମ୍ ବର୍ଷା ଯୋଗୁଁ ଚାଷକାର୍ଯ୍ୟ ଆଗେଇ ପାରୁନି

ନୟାଗଡ଼ରେ କମ୍ ବର୍ଷା ଯୋଗୁଁ ଚାଷକାର୍ଯ୍ୟ ଆଗେଇ ପାରୁନି

108

ନୟାଗଡ଼, ୧୪ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ ଚାଷକାର୍ଯ୍ୟ ପାଇଁ ଏବେ କମ୍ ବର୍ଷା ବାଧକ ସାଜିଛି। ଆବଶ୍ୟକ ବର୍ଷା ହେଉନଥିବାରୁ ଚାଷକାର୍ଯ୍ୟ ଆଗେଇ ପାରୁନାହିଁ। ଏତେବେଳକୁ ଧାନରୁଆ, ବେଉଷଣ କାର୍ଯ୍ୟ ଜୋରସୋରରେ ଲାଗିବା କଥା। ହେଲେ ଶ୍ରାବଣମାସ ଅଧା ହେବାକୁ ବସିଲାଣି ତଳି ମାରିବାକୁ ବିଲରେ ପାଣି ନାହିଁ। ବିଲରେ ପାଣି ନଥିବା ହେତୁ ଢିପ ଜମିରେ ପଡ଼ିଥିବା ଧାନତଳି ଶୁଖି ଗଲାଣି। କେତେକ ଜମିରେ ଧାନ ତଳି ଶୁଖି ଯାଇଥିବାବେଳେ ଆଉ କେତେକ ଜମିରେ ଧାନ ତଳି ବୁଢା ହେଇଗଲାଣି। ବିଲରେ ପାଣି ନଥିବା ହେତୁ ତଳି ମାରିବା ବି ସମ୍ଭବ ହେଉନାହିଁ ା ଜୁନମାସରେ ଆବଶ୍ୟକତା ଠାରୁ ଅଧିକ ବର୍ଷା ହୋଇଥିଲେ ମଧ୍ୟ ଜୁଲାଇ ମାସରେ ଅଧିକ ବର୍ଷାର ଆବଶ୍ୟକ ଥିଲାବେଳେ ବର୍ଷା ନାହିଁ। କଳାହାଣ୍ଡିଆ ମେଘ ବାହାରି କାହିଁ କେତେ ଜୋରରେ ବର୍ଷା ହେବାର ସମ୍ଭାବନା ସୃଷ୍ଟି କରୁଥିଲାବେଳେ ହଠାତ୍ ମେଘ କୁଆଡ଼େ ଉଭାନ ହୋଇ ଯାଉଛି। ଏହି ଅନିୟମିତ ବର୍ଷା ସକାଶେ ଢିପ ବିଲ ପଡ଼ିଆ ପଡ଼ିବା ଏବେଠାରୁ ଜଳ ଜଳ ହୋଇ ଜଣାପଡ଼ୁଛି। ନୟାଗଡ଼ ବ୍ଳକର ୨୯ଟି ପଂଚାୟତର ବହୁ ଗାଁରେ ବିଲରେ ପାଣି ମାଡ଼ିବାକୁ କୌଣସି ସୁବିଧା ନଥିବାରୁ ଚାଷୀର ଚାଷ କାର୍ଯ୍ୟ ସମ୍ପୁର୍ଣ୍ଣ ୍‌ବାଧାପ୍ରାପ୍ତ ହୋଇଛି। ବର୍ଷା ଯେହେତୁ ନାହିଁ ଡ୍ୟାମ ମାନଙ୍କରେ ବେଶୀ ପାଣି ନାହିଁ କି କେନାଲରେ ମଧ୍ୟ ପାଣି ଆସୁନାହିଁ। ଚାଷୀମାନଙ୍କୁ ଏଯାଏଁ ମଧ୍ୟ ସାର ସୁବିଧାରେ ଯୋଗାଇ ଦିଆଯାଇନଥିବା ଅଭିଯୋଗ ହେଉଛି। ଚଳିତବର୍ଷ ୧ଲକ୍ଷ ୧୨ଶହ ହେକ୍ଟର ଜମିରେ ଚାଷକାର୍ଯ୍ୟ ହେବାର ଲକ୍ଷ୍ୟଧାର୍ଯ୍ୟ ଥିଲାବେଳେ ମାତ୍ର ୨ହଜାର ୯ଶହ ୯୦ ହେକ୍ଟର ଜମିରେ ଧାନବୁଣା ହୋଇଥିବା ଏବଂ ଅବଶିଷ୍ଟ ଧାନଜମିରେ ଧାନରୁଆ ହେବାର ଜିଲା କୃଷି କାର୍ଯ୍ୟାଳୟରୁ ଜଣାପଡ଼ିଛି। ତେବେ ବର୍ଷା ଅଭାବରୁ ଚାଷକାର୍ଯ୍ୟ ସମ୍ପୁର୍ଣ୍ଣ ବାଧାପ୍ରାପ୍ତ ହୋଇଥିବାରୁ ଚାଷ କାର୍ଯ୍ୟ କେମିତି ଆଗେଇବ ତାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.