ବିଶ୍ୱବ୍ୟାଙ୍କ ଓ ଭାରତ ସରକାର ମଧ୍ୟରେ ଆଜି ଏକ ଆର୍ଥିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ତଦନୁସାରେ ବିଶ୍ୱବ୍ୟାଙ୍କ ଭାରତର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ପାଇଁ ଜରୁରୀକାଳୀନ ସହାୟତା କାର୍ଯ୍ୟକ୍ରମ ବାବଦରେ ୭୫୦ ନିୟୁତ ଡଲାର ଯୋଗଇଦେବ। କରୋନା ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଏହି ଉଦ୍ୟୋଗକୁ ଅର୍ଥ ଯୋଗାଣ ବୃଦ୍ଧି କରିବାରେ ଏହି ଅର୍ଥ ବ୍ୟୟ ହେବ। ପାଞ୍ଚ ବର୍ଷର କୋହଳ ସମୟ ସମେତ ମୋଟ ୧୯ ବର୍ଷରେ ଭାରତକୁ କୋହଳ ହାରରେ ଏହି ଋଣ ପରିଶୋଧ କରିବାକୁ ପଡିବ।
ଭାରତରେ ପ୍ରାୟ ୧-୫ ନିୟୁତ ସମର୍ଥ ଏମ୍ଏସ୍ଏମ୍ଇ ଉଦ୍ୟୋଗ ରହିଛି। ଏଥିରେ ଲକ୍ଷ ଲକ୍ଷ ଲୋକ କାର୍ଯ୍ୟ କରୁଛନ୍ତି। କରୋନା ଲକ୍ଡାଉନ କାରଣରୁ ଏହି ଉଦ୍ୟୋଗଗୁଡିକ ବନ୍ଦ ରହିବାରୁ ସଂପୃକ୍ତ ଉଦ୍ୟୋଗୀମାନଙ୍କ ପାଖରେ ନଗଦ ଅର୍ଥର ଘୋର ଅଭାବ ଦେଖାଦେଇଛି। ସେହି ଆବଶ୍ୟକତା ପୂରଣ ପାଇଁ ବିଶ୍ୱବ୍ୟାଙ୍କ ଦେବାକୁ ଥିବା ଅର୍ଥ ବ୍ୟବହାର କରାଯିବ। ଏହି ଉଦ୍ୟୋଗରେ ସଂସ୍କାର ଆଣିବା ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ତାହାକୁ ମଧ୍ୟ ଏହି ଆର୍ଥିକ ସହାୟତା ତ୍ୱରାନ୍ୱିତ କରିବ।
ଭାରତ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ବ୍ୟାପାର ଅତିରିକ୍ତ ସଚିବ ସମୀର କୁମାର ଖରେ ଏବଂ ବିଶ୍ୱବ୍ୟାଙ୍କ ପକ୍ଷରୁ ଭାରତରେ ଅବସ୍ଥାପିତ ଏହାର ନିର୍ଦ୍ଦେଶକ ଜୁନେଦ୍ ଅହମ୍ମଦ ଏହି ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି।
ଶ୍ରୀ ଖରେ କହିଛନ୍ତି ଯେ କରୋନା ମହାମାରୀ ଏମ୍ଏସ୍ଏମ୍ଇ ଉଦ୍ୟୋଗ ଉପରେ ଗୁରୁତର ପ୍ରଭାବ ପକାଇଛି। ଫଳରେ ଅନେକ ବ୍ୟକ୍ତି ଜୀବିକା ଓ ନିଯୁକ୍ତି ହରାଇଛନ୍ତି। ଏହି ଉଦ୍ୟୋଗ ପାଇଁ ଦରକାର ହେଉଥିବା ନଗଦ ଅର୍ଥ ଯୋଗାଣ ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ବିଭିନ୍ନ ଉପାୟମାନ କରୁଛନ୍ତି। ତେବେ ଏହି କ୍ଷେତ୍ରକୁ ବ୍ୟାଙ୍କ ଓ ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥା ଋଣଦେବାକୁ କୁଣ୍ଠିତ ହେଉଥିବାରୁ ସରକାର ଏଥିରେ ହସ୍ତକ୍ଷେପ କରୁଛନ୍ତି। ଆବଶ୍ୟକସ୍ଥଳେ ଋଣ ପ୍ରଦାନ କ୍ଷେତ୍ରରେ ଉଦ୍ୟୋଗୀଙ୍କ ପାଇଁ ସରକାର ଗ୍ୟାରେଣ୍ଟର ହେବାର ବ୍ୟବସ୍ଥା କରିଛନ୍ତି। ଏହି ଉଦ୍ୟୋଗକୁ ଆର୍ଥିକ ସଂକଟରୁ ଉଦ୍ଧାର କରିବା ପାଇଁ ସରକାର ସବୁମନ୍ତେ ଚେଷ୍ଟା ଚଳାଇଛନ୍ତି। ତେବେ ଯେଉଁ ଉଦ୍ୟୋଗଗୁଡିକ ଅପେକ୍ଷାକୃତ ଅଧିକ ସକ୍ଷମ ସ୍ଥିତିରେ ଅଛନ୍ତି ଏବଂ କିଛି ଋଣ ମିଳିଲେ ପୁଣି ସ୍ୱାଭାବିକଭାବେ ଉତ୍ପାଦନ କରିପାରିବେ; ସେଗୁଡିକୁ ପୁଣି ଚାଲୁ କରିବାପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ସେ କହିଛନ୍ତି ଯେ ବିଶ୍ୱବ୍ୟାଙ୍କରୁ ଏବଂ ଏହାର ଘରୋଇ ସହଯୋଗୀ ସଂସ୍ଥା ଆନ୍ତର୍ଜାତିକ ଅର୍ଥ ନିଗମ ଭାରତ ସରକାରଙ୍କ ଏହି ଉଦ୍ୟମକୁ ସମର୍ଥନ ଜଣାଇବା ସହ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଅର୍ଥ ସହାୟତା ଯୋଗାଇ ଦେବାକୁ ରାଜି ହୋଇଛି।
ନଗଦ ଯୋଗାଣ ବ୍ୟବସ୍ଥା
କରୋନା ମହାମାରୀକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଓ ଭାରତ ସରକାର ଆଗୁଆ ଯେଉଁ ପଦକ୍ଷେପ ନେଇଥିଲେ ତାହା ବଜାରରେ ନଗଦ ପ୍ରବେଶ କରାଇବାରେ ବିଶେଷ ସହାୟକ ହୋଇଛି। ବର୍ତ୍ତମାନର ସ୍ଥିତିକୁ ଦେଖି ଋଣଦାତାମାନେ ଋଣୀଙ୍କ ପରିଶୋଧ ଦକ୍ଷତା ନେଇ ସନ୍ଦୀହାନ ଅଛନ୍ତି। ତେଣୁ ସେମାନେ ଆର୍ଥିକ ଦୃଷ୍ଟିରୁ ସୁସ୍ଥ ଓ ସମ୍ବଳବାନ ଉଦ୍ୟୋଗ/ ଉଦ୍ୟୋଗୀ ନ ପାଇଲେ ଅନ୍ୟମାନଙ୍କୁ ଋଣ ଦେଉନାହାନ୍ତି। ବ୍ୟାଙ୍କ ଓ ଅନ୍ୟାନ୍ୟ ଅଣବ୍ୟାଙ୍କିଙ୍ଗ ସଂସ୍ଥା ମଧ୍ୟ ଏ କ୍ଷେତ୍ରରେ ଋଣ ଦେବାପାଇଁ କୁଣ୍ଠିତ। ତେଣୁ ସରକାର ଏହି ଉଦ୍ୟୋଗକୁ ସାହାଯ୍ୟ ସହଯୋଗ କରିବା ନିମନ୍ତେ କ୍ରେଡିଟ ଗ୍ୟାରେଣ୍ଟି ଓ ଅନ୍ୟାନ୍ୟ ବ୍ୟବସ୍ଥା କରିଛନ୍ତି।
ଅଣବ୍ୟାଙ୍କିଙ୍ଗ ବିତ୍ତୀୟ କମ୍ପାନୀ ଏବଂ କ୍ଷୁଦ୍ର ଆର୍ଥିକ ବ୍ୟାଙ୍କଗୁଡିକର ସ୍ଥିତିକୁ ମଜଭୁତ କରାଯାଇ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଋଣ ସହାୟତ ଦେବାର ବ୍ୟବସ୍ଥା କରାଯାଇଛି। ଏଥିରେ ସରକାରଙ୍କ ପୁନଃ ଅର୍ଥଲଗାଣ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବା ସହ ଆବଶ୍ୟକସ୍ଥଳେ ଋଣ ଓ ଇକ୍ୟୁଟି ମାଧ୍ୟମରେ ଅର୍ଥ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।
ବିତ୍ତୀୟ ନବସୃଜନ
ଏବେ ମାତ୍ର ୮ ଶତାଂଶ ଏମ୍ଏସ୍ଏମ୍ଇ ଉଦ୍ୟୋଗ ଆନୁଷ୍ଠାନିକ ଋଣ ବ୍ୟବସ୍ଥାର ପରିସରଭୁକ୍ତ। ଅଧିକରୁ ଅଧିକ ଉଦ୍ୟୋଗକୁ ଏହି ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରିବା ପାଇଁ ଫିନ୍ଟେକ୍ ଓ ଡିଜିଟାଲ ପ୍ଲାଟଫର୍ମର ଉପଯୋଗ କରାଯାଉଛି। ଏହା ମାଧ୍ୟମରେ ଋଣ ପ୍ରଦାନକାରୀ, ଗ୍ରହୀତା ଓ କ୍ରେତା ଶୀଘ୍ର ପରସ୍ପର ସହ ସଂପର୍କ ସ୍ଥାପନ କରି ବ୍ୟବସ୍ଥା ବାହାରେ ଥିବା ଉଦ୍ୟୋଗୀଙ୍କ ନିକଟରେ ପହଞ୍ଚିବେ।
ଶ୍ରୀ ଜୁନେଦ୍ ଅହମ୍ମଦ କହିଛନ୍ତି ଯେ ଭାରତୀୟ ଆର୍ଥିକ ଅଭିବୃଦ୍ଧି ଓ ନିଯୁକ୍ତି ସୃଷ୍ଟିରେ ଏମ୍ଏସ୍ଏମ୍ଇର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। କରୋନା ମହାମାରୀ ପରବର୍ତ୍ତୀ ସ୍ଥିତିରେ ଭାରତର ଆର୍ଥିକ ପୁନରୁଦ୍ଧାର କାର୍ଯ୍ୟରେ ଏହି ଉଦ୍ୟୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ତେଣୁ ବର୍ତ୍ତମାନର ଜରୁରୀ ଆବଶ୍ୟକତା ହେଲା ଏହି ଉଦ୍ୟୋଗକୁ ନଗଦ ଅର୍ଥ ଯୋଗାଣ। ଏଥିରେ ଅଣବ୍ୟାଙ୍କିଙ୍ଗ ସଂସ୍ଥା, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ସରକାରୀ ଆର୍ଥିକ ଉଦ୍ୟୋଗଗୁଡିକର ବିଶେଷ ଭୂମିକା ରହିଛି। ଏସବୁ ସଂସ୍ଥାଙ୍କ ସହଯୋଗ ରହିଲେ ଏହି ଉଦ୍ୟୋଗର ପୁନରୁଦ୍ଧାର ସମ୍ଭବ।
ବିଶ୍ୱବ୍ୟାଙ୍କ ଏପର୍ଯ୍ୟନ୍ତ ଭାରତକୁ ୨-୭୫ ବିଲିୟନ ଡଲାର ଜରୁରୀ କୋଭିଡ ରେସପନ୍ସ ସହାୟତା କାର୍ଯ୍ୟକ୍ରମରେ ଯୋଗାଇଦେବାକୁ ସମ୍ମତି ପ୍ରଦାନ କରିଛି। ଏଥିରେ ଏମ୍ଏସ୍ଏମ୍ଇ ସହାୟତା ପ୍ରକଳ୍ପ ମଧ୍ୟ ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ମାସରେ ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ବିଶ୍ୱବ୍ୟାଙ୍କ ଭାରତକୁ ପ୍ରଥମେ ଏକ ବିଲିୟନ ଡଲାର ଜରୁରୀ ସହାୟତା ରାଶି ଘୋଷଣା କରିଥିଲା। ଗତ ମେ’ ମାସରେ ଗରିବ ଲୋକଙ୍କ ପାଇଁ ଖାଦ୍ୟ, ଯୋଗାଣ ଏବଂ ନଗଦ ଟ୍ରାନ୍ସଫର ପରିମାଣ ବୃଦ୍ଧି ପାଇଁ ଏକ ବିଲିୟନ ଡଲାର ବିଶ୍ୱବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ଭାରତ ଯେଉଁ ୭୫୦ ନିୟୁତ ଡଲାର ବିଶ୍ୱବ୍ୟାଙ୍କରୁ ପାଇବ ତାହା ପରିଶୋଧ କରିବା ପାଇଁ ୧୯ ବର୍ଷ ଧାର୍ଯ୍ୟ କରାଯାଇଛି। ଏଥିରେ ୫ ବର୍ଷର ରିହାତି ସମୟ ଅନ୍ତର୍ଭୁକ୍ତ।