Home ଓଡ଼ିଶା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ବାଣିଜ୍ୟିକ ଖନନ ନିମନ୍ତେ କୋଇଲା ଖଣି ନିଲାମୀ ପ୍ରକ୍ରିୟା...

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ବାଣିଜ୍ୟିକ ଖନନ ନିମନ୍ତେ କୋଇଲା ଖଣି ନିଲାମୀ ପ୍ରକ୍ରିୟା ଆରମ୍ଭ

177

– ପ୍ରତିଦ୍ୱନ୍ଦ୍ୱିତା, ପୁଞ୍ଜି, ଭାଗିଦାରୀ ଏବଂ ପ୍ରଯୁକ୍ତି ନିମନ୍ତେ କୋଇଲା ଓ ଖଣି କ୍ଷେତ୍ରକୁ ସମ୍ପୂର୍ଣ୍ଣ ରୂପେ ଉନ୍ମୁକ୍ତ କରିବା ଲାଗି ଭାରତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି : ପ୍ରଧାନମନ୍ତ୍ରୀ
– କୋଇଲା କ୍ଷେତ୍ରରେ ସଂସ୍କାର ଫଳରେ ପୂର୍ବ ଏବଂ ମଧ୍ୟ ଭାରତ ସମେତ ଜନଜାତି କ୍ଷେତ୍ର ବିକାଶ ସ୍ତମ୍ଭରେ ପରିଣତ ହେବ : ପ୍ରଧାନମନ୍ତ୍ରୀ
– ଏକ ସୁଦୃଢ଼ ଖନନ ଏବଂ ଖଣିଜ କ୍ଷେତ୍ର ବିନା ‘ଆତ୍ମନିର୍ଭରତା’ ସମ୍ଭବ ନୁହେଁ : ପ୍ରଧାନମନ୍ତ୍ରୀ

ନୂଆ ଦିଲ୍ଲୀ ୧୮-୬ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସ ଜରିଆରେ ବାଣିଜ୍ୟିକ ଖନନ ଲାଗି ୪୧ଟି କୋଇଲା ଖଣି ନିଲାମୀ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି। ‘ଆତ୍ମନିର୍ଭର ଭାରତ ଅଭିଯାନ’ ଅନ୍ତର୍ଗତ ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ଘୋଷଣାଗୁଡ଼ିକର ଏହା ଏକ ଅଂଶବିଶେଷ। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଫିକ୍କି ସହଯୋଗରେ ଏହି କୋଇଲା ଖଣିଗୁଡ଼ିକର ନିଲାମୀ ପ୍ରକ୍ରିୟା ଆରମ୍ଭ କରାଯାଇଛି। କୋଇଲା ଖଣିଗୁଡ଼ିକର ଆବଂଟନ ଲାଗି ଦୁଇଟି ପର୍ଯ୍ୟାୟରେ ଇଲେକ୍ଟ୍ରୋନିକ ନିଲାମୀ ପ୍ରକ୍ରିୟା ଗ୍ରହଣ କରାଯାଉଛି।

ଶ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ କହିଥିଲେ ଯେ ଭାରତ ‘କୋଭିଡ-୧୯’ ମହାମାରୀ ବିରୋଧରେ ନିଶ୍ଚିତ ଭାବେ ବିଜୟ ହାସଲ କରିବ ଏବଂ ଆମ ରାଷ୍ଟ୍ର ଏହି ସଙ୍କଟକୁ ଏକ ସୁଯୋଗରେ ପରିଣତ କରିଦେବ। ସେ କହିଥିଲେ ଯେ ଏହି ସଙ୍କଟରୁ ଭାରତ ‘ଆତ୍ମନିର୍ଭରଶୀଳ’ ହେବାର ଶିକ୍ଷା ଲାଭ କରିଛି। ସେ କହିଥିଲେ ଯେ ଆତ୍ମନିର୍ଭର ଭାରତର ଅର୍ଥ ହେଉଛି ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ଏଥିସହିତ ଆମଦାନୀ ପାଇଁ ଖର୍ଚ୍ଚ ହେଉଥିବା ବିଦେଶୀ ମୁଦ୍ରାର ସଂଚୟ କରିବା। ଏହାର ଅନ୍ତର୍ଗତ ଭାରତ ସମ୍ବଳଗୁଡ଼ିକୁ ଘରୋଇ ସ୍ତରରେ ହିଁ ବିକଶିତ କରିବାର ଆବଶ୍ୟକତା ରହିଛି, ଯାହାଦ୍ୱାରା ଦେଶକୁ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। କେବଳ ସେତିକି ନୁହେଁ, ଏହାର ଅର୍ଥ ଆମେ ସେହିସବୁ ବସ୍ତୁର ସବୁଠୁ ବଡ଼ ରପ୍ତାନିକାରୀ ପାଲଟିବା ଯେଉଁଗୁଡ଼ିକର ଆମେ ଏବେ ଆମଦାନୀ କରୁଛୁ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହାକୁ ହାସଲ କରିବା ପାଇଁ ପ୍ରତ୍ୟେକ କ୍ଷେତ୍ର, ପ୍ରତ୍ୟେକ ଉତ୍ପାଦ ଓ ପ୍ରତ୍ୟେକ ସେବାକୁ ଧ୍ୟାନରେ ରଖାଯିବା ଉଚିତ ଏବଂ କୌଣସି ବିଶେଷ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସାମଗ୍ରିକ ଭାବେ କାମ କରିବାର ଆବଶ୍ୟକତା ରହିଛି। ସେ କହିଥିଲେ ଯେ ଆଜି ନିଆଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାରତକୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପଦକ୍ଷେପ କେବଳ କୋଇଲା ଖନନ କ୍ଷେତ୍ରରେ ସଂସ୍କାର ଆଣିବ ନାହିଁ ବରଂ ଯୁବପିଢ଼ିଙ୍କ ପାଇଁ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ସେ କହିଥିଲେ ଯେ ଆଜି ଆମେ କେବଳ କୋଇଲାର ବାଣିଜ୍ୟିକ ଖନନ ପାଇଁ ନିଲାମୀ କରୁନାହୁଁ, ବରଂ ବହୁଦଶନ୍ଧି ଧରି ଲକଡାଉନରେ ଫସି ରହିଥିବା କୋଇଲା କ୍ଷେତ୍ରକୁ ମୁକ୍ତ ମଧ୍ୟ କରୁଛୁ।

ସେ ଏକ ବିଡ଼ମ୍ବନା ପ୍ରତି ଆଲୋକପାତ କରି କହିଥିଲେ ଯେ ବିଶ୍ୱର ଚତୁର୍ଥ ସବୁଠୁ ବଡ଼ କୋଇଲା ଭଣ୍ଡାର ଏବଂ ଦ୍ୱିତୀୟ ସବୁଠୁ ବଡ଼ କୋଇଲା ଉତ୍ପାଦକ ହୋଇଥିବା ସତ୍ୱେ ଆଜି ଭାରତ ଦ୍ୱିତୀୟ ସର୍ବବୃହତ କୋଇଲା ଆମଦାନୀକାରୀ ମଧ୍ୟ ପାଲଟିଛି। ସେ କହିଥିଲେ ଯେ ବିଗତ କିଛି ଦଶନ୍ଧି ଧରି ଏଭଳି ସ୍ଥିତି ଲାଗି ରହିଛି ଏବଂ କୋଇଲା କ୍ଷେତ୍ରକୁ କ୍ୟାପ୍ଟିଭ ଓ ଅଣକ୍ୟାପ୍ଟିଭ ଖଣିର ଜାଲରେ ନିରନ୍ତର ଛନ୍ଦି ରଖାଯାଇଛି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଏହି କ୍ଷେତ୍ରକୁ ପ୍ରତିଦ୍ୱନ୍ଦ୍ୱିତା ଏବଂ ପାରଦର୍ଶିତାରୁ ବଂଚିତ ରଖାଯାଇଛି, ଯାହା ଏକ ବଡ଼ ସମସ୍ୟା ଥିଲା। ସେ କହିଥିଲେ ଯେ ଏହି କାରଣରୁ କୋଇଲା କ୍ଷେତ୍ରରେ ନିବେଶର ଅଭାବ ଦେଖିବାକୁ ମିଳିଛି ଏବଂ ଏହାର ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଇଲା କ୍ଷେତ୍ରର ବିକାଶକୁ ନୂଆ ଗତି ପ୍ରଦାନ କରିବା ଉଦ୍ଦେଶ୍ୟରେ ୨୦୧୪ରେ କୋଇଲା ଲିଙ୍କେଜର ଶୁଭାରମ୍ଭ କରାଯାଇଥିଲା। ସେ କହିଥିଲେ ଯେ ଅଧିକ ପ୍ରତିଦ୍ୱନ୍ଦ୍ୱିତା, ପୁଞ୍ଜି, ଭାଗିଦାରୀ ଏବଂ ପ୍ରଯୁକ୍ତିର ଉପଯୋଗ ଲାଗି କୋଇଲା ଏବଂ ଖନନ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଭାବେ ଉନ୍ମୁକ୍ତ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନିଆଯାଇଛି। ସେ କହିଥିଲେ ଯେ ଘରୋଇ ଖନନ କ୍ଷେତ୍ରରେ ନୂଆ ଉଦ୍ୟୋଗ ଏବଂ କମ୍ପାନୀଗୁଡ଼ିକୁ ଯେପରି ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ନପଡ଼ିବ ତାହା ସୁନିଶ୍ଚିତ କରିବା ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି। ପ୍ରଧାନମନ୍ତ୍ରୀ ବିଶେଷ ଗୁରୁତ୍ୱାରୋପ କରି କହିଥିଲେ ଯେ ଏକ ସୁଦୃଢ଼ ଖନନ ଏବଂ ଖଣିଜ କ୍ଷେତ୍ର ବିନା ଆତ୍ମନିର୍ଭରତା ସମ୍ଭବ ନୁହେଁ, କାରଣ ଏହି ଦୁଇଟି କ୍ଷେତ୍ର ଆମ ଅର୍ଥବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସଂସ୍କାର ପରେ କୋଇଲା ଉତ୍ପାଦନ ଏବଂ ସମଗ୍ର କୋଇଲା କ୍ଷେତ୍ର ଆତ୍ମନିର୍ଭରଶୀଳ ହୋଇପାରିବ। ଏବେ ବଜାରକୁ କୋଇଲା ଲାଗି ଖୋଲି ଦିଆଯାଇଛି, ସେଥିପାଇଁ ଯେକୌଣସି କ୍ଷେତ୍ର ନିଜର ଆବଶ୍ୟକତା ଅନୁସାରେ କୋଇଲା କିଣିପାରିବେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସଂସ୍କାର ଦ୍ୱାରା କେବଳ କୋଇଲା କ୍ଷେତ୍ର ନୁହେଁ, ବରଂ ଇସ୍ପାତ, ଆଲୁମିନିୟମ, ସାର ଏବଂ ସିମେଂଟ ଭଳି ଅନ୍ୟ କ୍ଷେତ୍ର ମଧ୍ୟ ଲାଭାନ୍ୱିତ ହେବେ। କେବଳ ସେତିକି ନୁହେଁ, ଏହା ବିଦ୍ୟୁତ ଉତ୍ପାଦନ ବୃଦ୍ଧିରେ ମଧ୍ୟ ସହାୟକ ହୋଇପାରିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଖଣିଜ କ୍ଷେତ୍ରରେ ସଂସ୍କାର ଆଣିବା ଫଳରେ କୋଇଲା ଖନନ କ୍ଷେତ୍ରରେ ବ୍ୟାପକ ସୁଧାର ଆସିପାରିଛି। କାରଣ ଲୁହା, ବକ୍ସାଇଟ ଏବଂ ଅନ୍ୟ ଖଣିଜ ଦ୍ରବ୍ୟ ବାସ୍ତବରେ କୋଇଲା ଖଣିର ଖୁବ ନିକଟରେ ରହିଛନ୍ତି। ସେ କହିଥିଲେ ଯେ ବାଣିଜ୍ୟିକ କୋଇଲା ଖନନ ଲାଗି ଆଜି ହୋଇଥିବା ନିଲାମୀର ଆରମ୍ଭ ସମସ୍ତ ଅଂଶୀଦାର ଉଦ୍ୟୋଗ ଲାଗି ଲାଭଦାୟକ ହେବ। ଖାଲି ସେତିକି ନୁହେଁ, ରାଜ୍ୟ ସରକାରଙ୍କୁ ଅପେକ୍ଷାକୃତ ଅଧିକ ରାଜସ୍ୱ ମିଳିବ ଏବଂ ଦେଶରେ ବହୁସଂଖ୍ୟକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ। ଆଉ ଏକ ବିଶେଷ କଥା ହେଉଛି ଯେ ପ୍ରତ୍ୟେକ କ୍ଷେତ୍ର ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଇଲା କ୍ଷେତ୍ରରେ ସଂସ୍କାର ଲାଗୁ କରିବା ସମୟରେ ପରିବେଶର ସୁରକ୍ଷା ଲାଗି ଭାରତର ପ୍ରତିବଦ୍ଧତା ଯେପରି ଆଦୌ ଦୁର୍ବଳ ନହୁଏ ସେଥିପ୍ରତି ପ୍ରତି ଧ୍ୟାନ ଦିଆଯାଇଛି। ସେ କହିଥିଲେ ଯେ କୋଇଲାରୁ ବାଷ୍ପ ଉତ୍ପାଦନ ଲାଗି ନବୀନତମ ଜ୍ଞାନକୌଶଳର ଉପଯୋଗ କରାଯାଇପାରିବ ଏବଂ କୋଇଲା ବାଷ୍ପୀକରଣ ଭଳି ପଦକ୍ଷେପ ଦ୍ୱାରା ପରିବେଶର ସଂରକ୍ଷଣ କରାଯାଇପାରିବ। କୋଇଲାରୁ ମିଳୁଥିବା ବାଷ୍ପର ଉପଯୋଗ ପରିବହନ ଏବଂ ଖାଦ୍ୟ ପ୍ରସ୍ତୁତିରେ କରାଯିବ। ଏହାଦ୍ୱାରା ୟୁରିଆ ଏବଂ ଇସ୍ପାତ ଉତ୍ପାଦନ ଉଦ୍ୟୋଗଗୁଡ଼ିକୁ ମଧ୍ୟ ପ୍ରୋତ୍ସାହନ ମିଳିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ୨୦୩୦ ସୁଦ୍ଧା ପାଖାପାଖି ୧୦୦ ମିଲିୟନ ଟନ କୋଇଲାର ବାଷ୍ପୀକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହି ଉଦ୍ଦେଶ୍ୟ ଲାଗି ଚାରିଟି ପ୍ରକଳ୍ପର ଚିହ୍ନଟ କରାଯାଇଛି ଏବଂ ଏଥିରେ ପାଖାପାଖି ୨୦ ହଜାର କୋଟି ଟଙ୍କାର ନିବେଶ କରାଯିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଇଲା କ୍ଷେତ୍ରରେ ଲାଗୁ କରାଯାଇଥିବା ସଂସ୍କାର ଫଳରେ ପୂର୍ବ ଏବଂ ମଧ୍ୟମ ଭାରତ ସମେତ ଆମର ଆଦିବାସୀ କ୍ଷେତ୍ର ବିକାଶର ନୂଆ ସ୍ତମ୍ଭ ହୋଇପାରିବେ। ସେ କହିଥିଲେ ଯେ ଏହି କ୍ଷେତ୍ରରେ ବହୁ ସଂଖ୍ୟାରେ ଆକାଂକ୍ଷୀ ଜିଲ୍ଲା ରହିଛନ୍ତି ଏବଂ ସେଗୁଡ଼ିକ ପ୍ରଗତି ଓ ସମୃଦ୍ଧିର ଆଶାନୁରୂପ ସ୍ତରରେ ପହଁଚିବାରେ ସମର୍ଥ ହୋଇପାରୁନାହାନ୍ତି। ସେ କହିଥିଲେ ଯେ ଦେଶର ୧୬ଟି ଆକାଂକ୍ଷୀ ଜିଲ୍ଲାରେ ବିପୁଳ ପରିମାଣରେ କୋଇଲା ଗଛିତ ହୋଇ ରହିଛି ଏବଂ କୋଇଲା ଭଣ୍ଡାର ରହିଛି, କିନ୍ତୁ ଏହି କ୍ଷେତ୍ରର ଲୋକମାନଙ୍କୁ ଏହାର ପର୍ଯ୍ୟାପ୍ତ ଲାଭ ମିଳିପାରିନାହିଁ। କେବଳ ସେତିକି ନୁହେଁ, ଏହି ସ୍ଥାନଗୁଡ଼ିକ ବା କ୍ଷେତ୍ରଗୁଡ଼ିକର ଲୋକମାନଙ୍କୁ ରୋଜଗାର ପାଇଁ ଦୂରବର୍ତ୍ତୀ ସହରକୁ ଯିବାକୁ ପଡ଼ୁଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାଣିଜ୍ୟିକ ଖନନ ଦିଗରେ ନିଆଯାଇଥିବା ପଦକ୍ଷେପ ପୂର୍ବ ଏବଂ ମଧ୍ୟ ଭାରତର ସ୍ଥାନୀୟ ଲୋକମାନଙ୍କ ପାଇଁ ଯଥେଷ୍ଟ ସହାୟକ ହୋଇପାରିବ କାରଣ ସେମାନଙ୍କୁ ନିଜ ନିଜ ଘର ପାଖରେ ରୋଜଗାର ମିଳିବା ସମ୍ଭବ ହୋଇପାରିବ। ସେ କହିଥିଲେ ଯେ ସରକାର କୋଇଲା ଖନନ ଏବଂ ପରିବହନ ଲାଗି ମୌଳିକ ଭିତିଭୂମି ସୁବିଧା ନିର୍ମାଣ ନିମନ୍ତେ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତି ନେଇଛନ୍ତି। ଏହାଦ୍ୱାରା ମଧ୍ୟ ନିଯୁକ୍ତ ସୁଯୋଗ ସୃଷ୍ଟି ହେବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଇଲା କ୍ଷେତ୍ରରେ ଲାଗୁ ହୋଇଥିବା ସୁଧାର ଏବଂ ନିବେଶ ଜନଜାତୀୟ ଲୋକମାନଙ୍କ ଜୀବନକୁ ସହଜ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। କୋଇଲା ଉତ୍ପାଦନ ଜରିଆରେ ସୃଷ୍ଟି ହେଉଥିବା ଅତିରିକ୍ତ ରାଜସ୍ୱର ଉପଯୋଗ ଏହି କ୍ଷେତ୍ରରେ ଜନକଲ୍ୟାଣକାରୀ ଯୋଜନାରେ କରାଯିବ। ସେ କହିଥିଲେ ଯେ ରାଜ୍ୟଗୁଡ଼ିକୁ ‘ଜିଲ୍ଲା ଖଣିଜ ପାଣ୍ଠି’ ବ୍ୟତୀତ ଅତିରିକ୍ତ ସହାୟତା ମଧ୍ୟ ମିଳିପାରିବ। ଯାହାର ଏକ ବୃହତ ଅଂଶର ଉପଯୋଗ ପାଶ୍ୱର୍ବର୍ତ୍ତୀ କ୍ଷେତ୍ରରେ ଆବଶ୍ୟକ ସୁବିଧା ବିକଶିତ କରିବାରେ କରାଯିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ନିଲାମୀ ଏପରି ସମୟରେ ହେଉଛି ଯେତେବେଳେ ଆର୍ଥିକ ଗତିବିଧି ପୂର୍ବରୁ ଭଳି ସ୍ୱାଭାବିକ ହେବା ସ୍ଥିତି ଆଡ଼କୁ ଗତି କରୁଛି। ଉପଯୋଗ ଏବଂ ଚାହିଦା ଦ୍ରୁତଗତିରେ କୋଭିଡ-୧୯ ପୂର୍ବ ସ୍ଥିତିରେ ପହଁଚିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ସେହିସବୁ କ୍ଷେତ୍ର ବିଷୟରେ ଉଲ୍ଲେଖ କରିଥିଲେ ଯେ ଯେଉଁ କ୍ଷେତ୍ରରେ ଚାହିଦା କୋଭିଡ-୧୯ ପୂର୍ବର ସ୍ତରକୁ ଦ୍ରୁତ ଗତିରେ ଛୁଇଁବାକୁ ଯାଉଛି। ଏସବୁ କ୍ଷେତ୍ର ମଧ୍ୟରେ ରହିଛି ବିଦ୍ୟୁତ ବ୍ୟୟ, ପେଟ୍ରୋଲିୟମ ଉତ୍ପାଦର ଚାହିଦା, ଇ-ୱେବିଲ, ଟୋଲ ସଂଗ୍ରହ, ରେଳ ଜରିଆରେ ମାଲ ପରିବହନ, ଡିଜିଟାଲ ଖୁଚୁରା କାରବାର ସାମିଲ ରହିଛି।

ସେ କହିଥିଲେ ଯେ ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ସେ କହିଥିଲେ ଯେ ଖରିଫ ଫସଲ ଚାଷ କ୍ଷେତ୍ର ବୃଦ୍ଧି ପାଇଛି ଏବଂ ଚଳିତ ବର୍ଷ ଗହମ ସଂଗ୍ରହ ମଧ୍ୟ ବୃଦ୍ଧି ପାଇଛି। ଏହାର ଅର୍ଥ କୃଷକମାନଙ୍କ ପକେଟକୁ ଅଧିକ ଅର୍ଥ ଆସିଛି। ଏ ସମସ୍ତ ସଙ୍କେତକ ଦର୍ଶାଉଛି ଯେ ଭାରତୀୟ ଅର୍ଥବ୍ୟବସ୍ଥା ପୁଣିଥରେ ଲମ୍ବ ଡିଆଁ ମାରିବା ଏବଂ ଦ୍ରୁତ ଗତିରେ ବିକାଶ ପଥରେ ଅଗ୍ରସର ହେବାକୁ ପ୍ରସ୍ତୁତ ହୋଇସାରିଛି।

ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରି କହିଥିଲେ ଯେ ଭାରତ ଏହି ସଙ୍କଟରୁ ଠିକ ସେପରି ଭାବେ ମୁକୁଳିପାରିବ ଯେପରି ଭାବେ ଅତୀତରେ ଏହାଠାରୁ ଆହୁରି ବଡ଼ ସଙ୍କଟରୁ ମୁକ୍ତି ପାଇଛି। ଭାରତ ‘ଆତ୍ମନିର୍ଭର’ ହୋଇପାରିବ ଏବଂ ଭାରତର ସଫଳତା ଏବଂ ପ୍ରଗତି ନିଶ୍ଚିତ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ। ସେ ଏଥିପ୍ରତି ମଧ୍ୟ ଧ୍ୟାନ ଆକର୍ଷଣ କରିଥିଲେ ଯେ କିଛି ସପ୍ତାହ ପୂର୍ବରୁ ଭାରତ ଏନ-୯୫ ମାସ୍କ, କୋରୋନା ଟେଷ୍ଟିଂ କିଟ, ପିପିଇ ଏବଂ ଭେଂଟିଲେଟର ଚାହିଦା ଆମଦାନୀରୁ ପୂରଣ କରୁଥିଲା, ଏବେ ଏସବୁ ଆବଶ୍ୟକତା ‘ମେକ ଇନ ଇଣ୍ଡିଆ’ ମାଧ୍ୟମରେ ପୂରଣ ହୋଇପାରୁଛି। ଏଥିସହିତ ପ୍ରଧାନମନ୍ତ୍ରୀ ଭରସା ବ୍ୟକ୍ତ କରିଥିଲେ ଯେ ଖୁବଶୀଘ୍ର ଆମେ ଚିକିତ୍ସା ଉତ୍ପାଦର ଏକ ଗୁରୁତ୍ୱପୂର୍ଣ୍ଣ ରପ୍ତାନିକାରୀ ହୋଇପାରିବୁ। ନିରନ୍ତର ଭରସା ଓ ମନୋବଳ ବଜାୟ ରଖିବା ନିମନ୍ତେ ଦେଶର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ, ଯାହା ଫଳରେ ଆମେ ‘ଆତ୍ମନିର୍ଭର ଭାରତ’ ନିର୍ମାଣର ସ୍ୱପ୍ନ ସାକାର କରିପାରିବୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.