କେନ୍ଦ୍ରାପଡା ୨୨/୪ ( ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ର ଓ ରାଜ୍ୟ ସରକାର ସଂପ୍ରତି କରୋନା ସୁରକ୍ଷା ନିମନ୍ତେ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରୁଥିଲା ବେଳେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଏକ ଭିନ୍ନ ଶୈଳିରେ ଜିଲ୍ଲାର ସାମାଜିକ ସୁରକ୍ଷା ଭତ୍ତା ପାଉଥିବା ବରିଷ୍ଠ ହିତାଧିକାରୀ ଯେଉଁମାନଙ୍କର ବୟସ ୮୦ବର୍ଷରୁ ଉର୍ଦ୍ଧ୍ୱ ସେମାନଙ୍କୁ ନିଜର ସୁରକ୍ଷା ପାଇଁ ଗୋଟିଏ ଗୋଟିଏ ସୁରକ୍ଷା କିଟ ଯୋଗାଇ ଦିଆଯାଇଛି। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜିଲ୍ଲାରେ ଏହି ବର୍ଗର ୨୧ହଜାର ୭୪୯ଜଣ ଭତ୍ତା ହିତାଧିକାରୀଙ୍କୁ ଗୋଟିଏ ଗୋଟିଏ ସୁରକ୍ଷା କିଟ ଯୋଗାଣର ବ୍ୟବସ୍ଥା କରିଛନ୍ତି। ଏହି କିଟରେ ୨ଟି ମ୍ୟାକ୍ସ, ୨ଟି ଓ.ଆର.ଏସ.ପ୍ୟାକେଟ, ଗୋଟିଏ ହାତ ସଫା କରିବା ସାବୁନ, ଗୋଟିଏ କରୋନା ଦାଉରୁ ରକ୍ଷା ପାଇବା ପାଇଁ ସଚେତନତା ପତ୍ର ରହିଛି। ଏତଦବ୍ୟତିତ ଏହି ପାକୃତିକ ବିପର୍ଯ୍ୟୟକୁ ମନେରଖିବା ଓ ନିଜ ପରିବାରକୁ ସୁରକ୍ଷା ଦେବା ନିମନ୍ତେ ଗୋଟିଏ ଫଳ ଚାରା ବୃକ୍ଷ ମଧ୍ୟ ଦିଆଯାଇଛି। ବରିଷ୍ଠ ନାଗରିକମାନେ ସମାଜର ଅବିଛେଦ୍ୟ ଅଙ୍ଗ ହୋଇଥିବାରୁ ସେମାନଙ୍କର ସବୁ ପ୍ରକାର ସୁରକ୍ଷା ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ନିର୍ଦେଶ ଦେଇଥିବାରୁ ଜିଲ୍ଲା ପ୍ରଶାସନ ଏଭଳି ଏକ ନିଆରା ପଦକ୍ଷେପ ନେଇ ସମସ୍ତ ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଯୋଗାଇ ଦେବାର ବ୍ୟବସ୍ଥା ସୂରୂପ ପ୍ରତ୍ୟେକଙ୍କ ଘର ପାଖରେ ପହଁଚାଇବାର ବ୍ୟବସ୍ଥା କରିଛି। ଚାରା ଗୁଡିକ ଉଦ୍ୟାନକୃଷି ବିଭାଗ ଦ୍ୱାରା ଜିଲ୍ଲାରେ ଥିବା ବିଭିନ୍ନ ନର୍ସରୀ ଗୁଡିକରୁ ସଂଗ୍ରହ କରାଯାଇଥିବା ବେଳେ ମାସ୍କ ଗୁଡିକ ଜିଲ୍ଲା ମିଶନ ଶକ୍ତି ଅଧିନରେ କାର୍ଯ୍ୟ କରୁଥିବା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ଠାରୁ ସଂଗ୍ରହ କରାଯାଇ ବଂଟନ କରାଯିବାର ବ୍ୟବସ୍ଥା କରାଯାଇଛି। ଏବାବଦ ଅର୍ଥ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ବହନ କରାଯିବ। ଏଭଳି କାର୍ଯ୍ୟକ୍ରମ ରାଜ୍ୟରେ ପ୍ରଥମ କରି କେନ୍ଦ୍ରାପଡା ଜିଲ୍ଲାରେ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି। ଏଥିସହିତ ଜିଲ୍ଲାର ୧ଲକ୍ଷ ୮୫ହଜାର ୯୩୧ ବିଭିନ୍ନ ବର୍ଗର ଭତ୍ତା ହିତାଧିକାରୀଙ୍କ ମଧ୍ୟରୁ ମାର୍ଚ୍ଚମାସ ୨୬ରୁ ୩୧ତାରିଖ ମଧ୍ୟରେ ୧ଲକ୍ଷ ୮୨ହଜାର ୫୩୨ଜଣଙ୍କୁ ୪ମାସର ଅଗ୍ରୀମ ଭତ୍ତା ପ୍ରଦାନ କରାଯାଇଛି। ଏହିମାନଙ୍କ ମଧ୍ୟରୁ ବରିଷ୍ଠ ନାଗରିକ ୧ଲକ୍ଷ ୪୧ହଜାର ୫୩୧ ଜଣ ହୋଇଥିବା ବେଳେ ଭିନ୍ନକ୍ଷମ ୧୬ହଜାର ୮୩୦, ବିଧବା, ସ୍ୱାମୀ ପରିତ୍ୟକ୍ତା ଓ ଅବିବାହିତା ମହିଳା ୩୦ବର୍ଷରୁ ଅଧିକଙ୍କୁ ୨ଲକ୍ଷ ୪୮ହଜାର ୬୪ଜଣଙ୍କୁ ଦିଆଯାଇଛି।








