କରୋନା ସଂକ୍ରମଣ କାଳରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍)ର ସଦସ୍ୟମାନଙ୍କୁ ଅନଲାଇନ୍ ସେବା ଯୋଗାଣକୁ ଅଧିକ ସଫଳ ଓ ବ୍ୟାପକ କରିବାକୁ ପଦକ୍ଷେପ ନିଆଯାଇଛି। ତଦନୁସାରେ ଇପିଏଫଓ ସଦସ୍ୟମାନଙ୍କ ରେକର୍ଡଭୁକ୍ତ ହୋଇଥିବା ଜନ୍ମ ତାରିଖରେ ଯଦି କିଛି ତ୍ରୁଟି ଥାଏ ତାହାର ସଂଶୋଧନ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଏସବୁ ସଂଶୋଧନ ସଂପୃକ୍ତ ସଦସ୍ୟମାନେ ଅନଲାଇନରେ କରିପାରିବେ। ତେବେ ସେଥିପାଇଁ ସେମାନଙ୍କର ୟୁଏଏନ୍(UAN) କେୱାସି ଅନୁକୂଳ ହୋଇଥିବା ଆବଶ୍ୟକ।
ଜନ୍ମ ତାରିଖର ସଂଶୋଧନ ପାଇଁ ଏବେ ଆଧାର କାର୍ଡରେ ଉଲ୍ଲେଖ ହୋଇଥିବା ତଥ୍ୟ, ଜନ୍ମ ତାରିଖ, ମାସ ଓ ବର୍ଷକୁ ପ୍ରମାଣ ଭାବେ ଗ୍ରହଣ କରାଯିବ। ତେବେ ଏକ୍ଷେତ୍ରରେ ଦୁଇ ତାରିଖ ମଧ୍ୟରେ ପାର୍ଥକ୍ୟ ତିନି ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ଅର୍ଥାତ୍ ଇପିଏଫରେ ପଞ୍ଜିକୃତ ଜନ୍ମ ତାରିଖ, ମାସ ଓ ବର୍ଷ ଏବଂ ଆଧାର କାର୍ଡରେ ରେକର୍ଡ ହୋଇଥିବା ଜନ୍ମ ତାରିଖ, ମାସ ଓ ବର୍ଷ ମଧ୍ୟରେ ତଫାତ୍ ତିନି ବର୍ଷରୁ ଅଧିକ ହୋଇନଥିବ। ଇପିଏଫଓ ସଦସ୍ୟ ଏହି ସଂଶୋଧନ ପାଇଁ ଅନଲାଇନରେ ଆବେଦନ କରିପାରିବେ।
ସଂଶୋଧିତ ତଥ୍ୟ ପାଇବା ପରେ ଇପିଏଫଓ କର୍ତ୍ତୃପକ୍ଷ ତାହାକୁ ତତ୍କାଳ ୟୁଆଇଡିଏଆଇ ସହ ଅନଲାଇନରେ ପଞ୍ଜିକୃତ କରି ବୈଧ କରିବେ। ଏହାଦ୍ୱାରା ପ୍ରୋସେସିଂ ସମୟର ହ୍ରାସ ବୃଦ୍ଧି ସଂକ୍ରାନ୍ତ ପରିବର୍ତ୍ତନ ନିମନ୍ତେ ଆବେଦନକାରୀ ସୁଯୋଗ ପାଇ ପାରିବେ।
ଅନଲାଇନରେ ହେଉଥିବା ଏସବୁ ଆବେଦନର ତୁରନ୍ତ ସମାଧାନ କରିବାକୁ ଇପିଏଫଓ ଫିଲଡ୍ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛି। ଏହାଦ୍ୱାରା ସହଜରେ ଅଣଫେରସ୍ତ ଯୋଗ୍ୟ ଅଗ୍ରିମ ଉଠାଇବାରେ ସକ୍ଷମ ହେବେ। କୋଭିଡ-19ର ମୁକାବିଲା ପାଇଁ ସରକାର ଯେଉଁସବୁ ସୁବିଧା ଶ୍ରମିକ କର୍ମଚାରୀଙ୍କ ପାଇଁ ଘୋଷଣା କରିଛନ୍ତି, ସେଥିରେ ଇପିଏଫଓ ସଦସ୍ୟଙ୍କୁ ଅଣଫେରସ୍ତ ଅଗ୍ରିମ ନିଜ ଭବିଷ୍ୟନିଧି ପାଣ୍ଠିରୁ ଉଠାଇବାର ବ୍ୟବସ୍ଥା ରହିଛି।