Home ଓଡ଼ିଶା ଫନୀର ଦୁଇ ସପ୍ତାହ ପରେ ବି ତୃଣମୂଳ ସ୍ତରରେ ରହିଛି ଅନେକ ସମସ୍ୟା: ତ୍ୱରିତ ସମାଧାନ...

ଫନୀର ଦୁଇ ସପ୍ତାହ ପରେ ବି ତୃଣମୂଳ ସ୍ତରରେ ରହିଛି ଅନେକ ସମସ୍ୟା: ତ୍ୱରିତ ସମାଧାନ ପାଇଁ ସାମାଜିକ ଅନୁଷ୍ଠାନ ଓ ନାଗରିକ ସମୁହର ସୁପାରିଶ

167

ଭୁବନେଶ୍ୱର, ୨୧/୦୫ (ଓଡ଼ିଆ ପୁଅ) : ଫନୀ ତାଣ୍ଡବର ଦୁଇ ସପ୍ତାହ ପରେ ବି ପ୍ରଭାବିତ ଅଞ୍ଚଳରେ ଅନେକ ସମ୍ବେଦନଶୀଳ ସମସ୍ୟା ରହିଛି ଏବଂ ଏହି ସମସ୍ୟା ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବା ସହ ଥଇଥାନ ଓ ପୁର୍ନବାସ ପ୍ରକ୍ରିୟାରେ ମାନ ବୃଦ୍ଧି କରିବା ପାଇଁ ରାଜ୍ୟର ୩୦ରୁ ଉର୍ଦ୍ଧ୍ୱ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଓ ବୁଦ୍ଧିଜୀବୀମାନଙ୍କୁ ନେଇ ଗଠିତ ‘ଫନୀ ମୁକାବିଲା ନାଗରିକ ସମୁହ’ ଆଜି ସାମ୍ବାଦିକ ସମ୍ମଳନୀରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ରାସନ୍‌କାର୍ଡ ନଥିଲେ ବି ରିଲିଫ୍‌ସହାୟତା ମିଳିବା ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେଉନଥିବା; ପ୍ରଭାବିତ ଅଞ୍ଚଳରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ନିଷ୍କ୍ରିୟତା ଓ ଧାନର ଅଭାବୀ ବିକ୍ରି; ଘୋଷିତ ସହାୟତା ରାଶ ଯଥେଷ୍ଟ ହେଉନଥିବା; ମିଳୁଥିବା ଟାର୍ପୋଲିନ୍‌ଛୋଟ ହେଉଥିବା ଓ ମଶା ଦାଉରେ ଲୋକମାନେ ହଇରାଣ ହେଉଥିବା; ରିଲିଫ୍‌ଟଙ୍କାରେ ଋଣ କିସ୍ତି ସୁଝୁଥିବା; ମହିଳାଙ୍କୁ ଆଶ୍ରୟ ଓ ରନ୍ଧା ଖାଦ୍ୟ ନମିଳିବା ଓ ରିଲିଫ୍‌ବଣ୍ଟନରେ ପାତର ଅନ୍ତର ହେଉଥିବା ଭଳି ସମସ୍ୟା ସାମ୍ନାକୁ ଆସିଛି।

ଘୋଷଣାରେ ସୀମିତ ରାସନ୍‌କାର୍ଡ ବିନା ରିଲିଫ୍‌ ସହାୟତା

ରାସନ୍‌କାର୍ଡ ନଥିବା ବାତ୍ୟା ପ୍ରଭାବିତ ପରିବାରମାନଙ୍କୁ ରିଲିଫ୍‌ଦିଆଯାଇପାରିବ ବୋଲି ସରକାର ଘୋଷଣା କରିଥିଲେ ମଧ୍ୟ ଏବେ ବି ଅନେକ ରାସନ କାର୍ଡ ନଥିବା ପ୍ରଭାବିତ ପରିବାର ରିଲିଫ୍‌ପାଇବାରୁ ବଞ୍ଚିତ ଅଛନ୍ତି। ଏହି ଲୋକମାନଙ୍କ ମଧ୍ୟରେ ଗରିବ ପରିବାରଙ୍କ ସଂଖ୍ୟା ବି ଠେର୍‌ଅଧିକ ଏବଂ ଚିହ୍ନଟ ପ୍ରକ୍ରିୟାରେ ଓ ସରକାରୀ ଅଧିକାରୀମାନଙ୍କ ଭୁଲ୍‌ଯୋଗୁଁ ସେମାନେ ରିଲିଫ୍‌ପାଇ ପାରି ନାହାଁନ୍ତି ବୋଲି ଅଭିଯୋଗ ହୋଇଛି। ସେହିପରି ଅନେକ ପ୍ରବାବିତ ଯୌଥ ପରିବାରମାନଙ୍କ ପାଇଁ ରିଲିଫ୍‌ସାମଗ୍ରୀ ପର୍ଯ୍ୟାପ୍ତ ନୁହେଁ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଛି। ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକ୍‌ର ବ୍ରାହ୍ମଣିଆ ଗ୍ରାମରେ ଏକାକୀନି ପରିବାର ଏବଂ ୧୪ ଜଣ ଥିବା ପରିବାରଙ୍କ ପାଇଁ ସମାନ ପ୍ରକ୍ରା ସୁବିଧା ମିଳୁଛି। ଏପରି କ୍ଷେତ୍ରରେ ଘୋଷିତ ରିଲିଫ୍‌ପରିମାଣ ଗୋଟିଏ ପାଶ୍ୱର୍ରେ ଜଣଙ୍କ ପିଛା ୨୦୦୦ ଟଙ୍କା ଓ ୫୦ କିଲୋ ଚାଉଳ ଏବଂ ଅନ୍ୟ ପଟେ ଜଣଙ୍କ ପିଛା ୧୪୩ ଟଙ୍କା ଓ ୩.୫ କିଲୋ ଚାଉଳ ନିଶ୍ଚିତ ଭାବେ ପାତରଅନ୍ତର ନୀତିକୁ ଅଙ୍ଗୁଳୀ ନିର୍ଦ୍ଦେଶ କରୁଛି ବୋଲି ବସୁନ୍ଧରାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାନସ ମିଶ୍ର କହିଛନ୍ତି। ଏପରି କ୍ଷେତ୍ରରେ ସରକାରୀ ତାଲିକା ହିସାବରେ ପରିବାରର ଆକାର ଓ ପ୍ରତି ବ୍ୟକ୍ତି ଆଧାରରେ ସହାୟତା ଦିଆଯାଉ ବୋଲି ଶ୍ରୀ ମିଶ୍ର ସୁପାରିଶ କରିଛନ୍ତି।

ପ୍ରଭାବିତ ଅଞ୍ଚଳରେ ଦିଗହରା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ଏବଂ ଧାନର ଅଭାବୀ ବିକ୍ରି

ବର୍ଜ୍ଜ ବସ୍ତୁ ନିଷ୍କାସନ, ସଫେଇ ଓ ପୁର୍ନବାସ ପ୍ରକ୍ରିୟା ସହ ରୋଜଗାର ଯୋଗାଇ ଦେବାକୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ର ରୂପାୟନ କରିବା ଏବଂ କର୍ମନିଯୁକ୍ତି ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ମାତ୍ର ପ୍ରଭାବିତ ଅଞ୍ଚଳରେ କାମ ନାହିଁ ବୋଲି ସରକାର କହୁଛନ୍ତି। ପୁରୀ ଜିଲ୍ଲାର ସର୍ବାଧିକ ପ୍ରଭାବିତ ବ୍ଲକ କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ସତ୍ୟବାଦୀ, ଡେଲାଙ୍ଗ ଓ ପିପିଲିରେ ଚଳିତ ମଇ ମାସରେ କୌଣସି ଗୋଟିଏ ଦିନ ବି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ ହୋଇନଥିବା ସରକାରଙ୍କ ୱେବ୍‌ସାଇଟ୍‌ଦର୍ଶାଉଛି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସରକାର ଧାନ କିଣିବା ପାଇଁ ବ୍ୟବସ୍ଥା କରିପାରି ନଥିବାରୁ ଅଭାବୀ ବିକ୍ରି ମଧ୍ୟ ଆରମ୍ଭ ହୋଇଗଲାଣି। ସାତପଡାର ବ୍ରାହ୍ମଣିଆରେ ଛଅ ଟ୍ରକ ଏବଂ ପଲଙ୍କରେ ଗୋଟିଏ ଟ୍ରକ୍‌ଧାନ କ୍ୟୁଣ୍ଟାଲ୍‌ପ୍ରତି ୧୩୫୫ ଟଙ୍କାରେ ଚାଷୀମାନେ ବିକ୍ରି କରିଛନ୍ତି ଯାହାକି ସରକାର ଧାର୍ଯ୍ୟ କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ ଟଙ୍କାରୁ କମ୍‌। ଚାଷୀମାନେ ପ୍ରତି କ୍ୟୁଣ୍ଟାଲ୍‌ପିଛା ୩୯୫ ଟଙ୍କା ଏବଂ ଟ୍ରକ ପିଛା ୧.୦୫ ଲକ୍ଷ ଟଙ୍କା ହିସାବରେ ବ୍ରହ୍ମଣିଆରେ ୬.୩୦ ଲକ୍ଷ ଟଙ୍କା ଏବଂ ପଲଙ୍କରେ ୧.୦୫ ଲକ୍ଷ ଟଙ୍କା କ୍ଷତି ସହିଛନ୍ତି। ସେହିପରି ଭାଙ୍ଗି ଯାଇଥିବା ଗଛଗୁଡିକୁ ଯେପରି ଲାଭକାରୀ ମୂଲ୍ୟରେ କିଣିବା ଏବଂ ରୋଜଗାର ଦିବସ ମାଧ୍ୟମରେ ତୁରନ୍ତ କାର୍ଯ୍ୟ ଦାବି ଓ କାର୍ଯ୍ୟାରମ୍ଭ କରାଯାଇ ସିଧାସଳଖ ହିତାଧିକାରୀଙ୍କ ଟଙ୍କା ପଇଠ ପ୍ରତି ଦୃଷ୍ଟି ଦେବାକୁ ଉପସ୍ଥିତ ନାଗରିକ ସମୁହ ସୁପାରିଶ କରିଛନ୍ତି।

ଯଥେଷ୍ଟ ନୁହେଁ ସହାୟତା ରାଶି

ପ୍ରତି ନଡିଆ ଗଛ କ୍ଷତି ବାବଦକୁ କେନ୍ଦ୍ରିୟ ଘୋଷଣାନାମାର ୧୦୨ ଟଙ୍କାକୁ ବଢାଇ ରାଜ୍ୟ ସରକାର ୫୦୦ ଟଙ୍କା କରିଥିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ ପଦକ୍ଷେପ। ମାତ୍ର କେବଳ ୨୫ଟି ନଡିଆ ଗଛ ବଦଳରେ ୧୦୦ଟି ପାଇଁ ବୃଦ୍ଧି କରାଯିବା ଆବଶ୍ୟକ ଏବଂ ତାମିଲ୍‌ନାଡୁ ଭଳି ଆମ ରାଜ୍ୟରେ ମଧ୍ୟ ନଡିଆ ଗଛ ପିଛା ୧୫୧୨ ଟଙ୍କା ରଖିବାକୁ ସମୁହ ସୁପାରିଶ କରିଛି। ଗୋଟିଏ କୁକୁଡା ବାବଦ କ୍ଷତିପୂରଣ ପାଇଁ ୫୦ ଟଙ୍କା ଓ ସର୍ବାଧିକ ୫୦୦୦ ଟଙ୍କାର ସହାୟତା ନିହାତି ନୈରାଶ୍ୟଜନକ। ଡଙ୍ଗା ଓ କୁକୁଡା ବାବଦକୁ ସବ୍‌ସିଡି ଆଦୌ ସହାୟତା ଭାବେ ବିଚାର କରାଯାଇ ନପାରେ। ଏହା ରାଶି ବଢାଯିବା ଦରକାର। ସମସ୍ତ ମତ୍ସ୍ୟ ଚାଷୀ ବା ବ୍ୟବସାୟୀ ବିଶେଷ ଭାବେ ଦଳିତ ବର୍ଗର କୈବର୍ତ୍ତ ଯେଉଁମାନେ ନିଜର ଛୋଟିଆ ଡଙ୍ଗା ହରେଇଛନ୍ତି ସେମାନଙ୍କୁ ସଠିକ୍‌ସହାୟତା ରାଶି ଦିଆଯିବା ଉଚିତ୍‌। ଅଣ-ହିତାଧିକାରୀମାନେ ସହାୟତାର ଫାଇଦା ନ ଉଠାନ୍ତୁ ସେଥି ପାଇଁ ସରକାର କୈବର୍ତ୍ତ ପରିବାରକୁ ବିନା ସ୍ୱତ୍ତାଧିକାରରେ ତିନି ବର୍ଷ ନିମନ୍ତେ ଡଙ୍ଗା ଦିଅନ୍ତୁ; ଫଳରେ ସେମାନେ ବିକ୍ରି କରିପାରିବେ ନାହିଁ। ସେହିପରି ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ମଧ୍ୟ ଗ୍ରାମାଞ୍ଚଳରେ ଛୋଟ ଦୋକାନ, କେବିନ୍‌ଆଦି ପାଇଁ ସହାୟତା ପ୍ୟାକେଜ୍‌ଦିଆଯିବା ଆବଶ୍ୟକ ଏବଂ ଅଣ-ଜଳସେଚିତ ଅଞ୍ଚଳ ଠାରୁ ଜଳସେଚିତ ଅଞ୍ଚଳରେ ସହାୟତା ରାଶି ଦୁଇଗୁଣ କରାଯାଇଛି। କେନାଲ୍‌, ପୋଖରୀ, ନଳକୂପ, ନଦୀ ଭଳି ଜଳ ଉତ୍ସଗୁଡିକୁ ମଧ୍ୟ ଜଳସେଚିତ ଅଞ୍ଚଳ ଭାବେ ନିଆଯିବା ଦରକାର ବୋଲି ଶ୍ରୀ ମିଶ୍ର ମତ ପୋଷଣ କରିଛନ୍ତି। ଆମ ରାଜ୍ୟରେ ପାନ ବରଜ ଓ ଛତୁ ଚାଷକୁ ମଧ୍ୟ ସହାୟତା ରାଶି ପ୍ୟାକେଜ୍‌ ଭିତରେ ସାମିଲ କରାଯାଇଥିବା ଖୁସିର ବିଷୟ ବୋଲି ସେ କହିଛନ୍ତି।

ଛୋଟ ପଡୁଛି ଟାର୍ପୋଲିନ୍‌; ମଶା ଦାଉରେ ହନ୍ତସନ୍ତ ଲୋକେ

ଖରା ଓ ବର୍ଷାରୁ ରକ୍ଷା ପାଇଁ ମିଳିଥିବା ଅସ୍ଥାୟୀ ଆଶ୍ରୟସ୍ଥଳୀ ଦ୍ରବ୍ୟ (ଟାର୍‌ପୋଲିନ୍‌) ଛୋଟ ପଡୁଛି। ସଦସ୍ୟ ଓ ସଦସ୍ୟା, ଗୃହପାଳିତ ପଶୁ ଓ ଖାଦ୍ୟ ଶଷ୍ୟର ସୁରକ୍ଷା ପାଇଁ ପ୍ରତି ପରିବାରକୁ ଅତି କମରେ ୩ଟି ଟାର୍‌ପୋଲିନ୍‌ମିଳୁ ବୋଲି ସମୁହ ଦାବି କରିଛି। ପ୍ରଭାବିତ ଅଞ୍ଚଳରେ ବିଜୁଳୀ ନଥିବା ବେଳେ ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମଶା ଦାଉରେ ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ଏପରି କ୍ଷେତ୍ରରେ ଶିଶୁ ଓ ଗର୍ଭବତୀ ମହିଳା ଥିବା ପରିବାରକୁ ପ୍ରାଥମିକତା ଭିତିରେ ସମସ୍ତ ପରିବାର ପାଇଁ ମସାରୀ ଯୋଗାଇବା ଦରକାର ବୋଲି ମଧ୍ୟ ମତ ପ୍ରକାଶ ପାଇଛି। ସେହିପରି ରିଲିଫ୍‌ସହାୟତା ରାଶି ବାବଦରେ ପ୍ରଭାବିତମାନଙ୍କ ହକ୍‌ସମ୍ପର୍କରେ ଜଣାଇବା ସ୍ୱତନ୍ତ୍ର ସଚେତନତା ଅଭିଯାନ ସହ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଓ ଗ୍ରାମର ପ୍ରମୁଖ ସ୍ଥାନଗୁଡିକରେ ପୋଷ୍ଟର ଓ ବ୍ୟାନର୍‌ଲଗାଇବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି।

ରିଲିଫ୍‌ଟଙ୍କାରେ ଲୋକ ସୁଝୁଛନ୍ତି ଋଣ କିସ୍ତି

ବାତ୍ୟା ପ୍ରଭାବିତ ଅଞ୍ଚଳରୁ ଅନେକ ବ୍ୟାଙ୍କ ଓ ମାଇକ୍ରୋଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ଋଣ କିସ୍ତି ଆଦାୟ କରିବା ପାଇଁ ଚେଷ୍ଟା କରୁଛନ୍ତି। ବ୍ରହ୍ମଗିରିର ବ୍ରାହ୍ମଣିଆାରେ ରିଲିଫ ସହାୟତା ବାବଦରେ ମିଳିଥିବା ୨୦୦୦ ଟଙ୍କାରୁ ୧୭୦୦ ଟଙ୍କା କିସ୍ତି ପରିଷୋଧ କରିଥିବା ନଜରକୁ ଆସିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏପରି କ୍ଷେତ୍ରରେ ୨୦ରୁ ଅଧିକ ମାକ୍ରୋଫାଇନାନ୍ସ କମ୍ପାନୀମାନଙ୍କ ନେଇ ଗଠିତ ରାଜ୍ୟ ସ୍ତରୀୟ ଆସୋସିଏସନ୍‌ଓଏସ୍‌ଏଏଫ୍‌ଆଇ ସହ ଆଲୋଚନା କରାଯାଇ ଫନୀ ପ୍ରଭାବିତ ଅଞ୍ଚଳରେ ଏକ ମାସର କିସ୍ତି ସମୟ ଅବଧି ବୃଦ୍ଧି କରାଯାଇଛି ମାତ୍ର ଏହି କ୍ଷେତ୍ରରେ ରାଜ୍ୟ ସରକାର ଆଗକୁ ଆସିବା ଦରକାର ଏବଂ ପ୍ରଭାବିତ ଅଞ୍ଚଳରେ ଋଣ କିସ୍ତି ଅବଧି ବୃଦ୍ଧି ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍‌ଇଣ୍ଡିଆ ତୁରନ୍ତ ନିର୍ଦ୍ଦେଶନାମା ଆଣିବା ଦିଗରେ ପ୍ରତ୍ୟେକ୍ଷ ଭାବେ ଆଗେଇ ଆସିବା ପାଇଁ ସମୁହ ସୁପାରିଶ କରିଛି।

ମହିଳାଙ୍କୁ ମିଳୁନି ଆଶ୍ରୟ ଓ ରନ୍ଧା ଖାଦ୍ୟ; ରିଲିଫ୍‌ବଣ୍ଟନରେ ପାତର ଅନ୍ତର

ବ୍ରହ୍ମଗିରି ବ୍ଲକ୍‌ରେ କୁଶବେଣ୍ଟି ପଞ୍ଚାୟତର ଅନେକ ଗ୍ରାମର ମହିଳାମାନେ ରନ୍ଧା ଖାଦ୍ୟ ଓ ଆଶ୍ରୟ ପାଇବାରେ ଅସୁବିଧା ହେଉଛି। ରନ୍ଧା ଖାଦ୍ୟ ପର୍ଯ୍ୟାପ୍ତ ହେଉ ନାହିଁ ଏବଂ ସ୍କୁଲ, ମଣ୍ଡପ, ଗୋଷ୍ଠୀ ଗୃହ ଭଳି ଆଶ୍ରୟସ୍ଥଳୀରେ ପୁରୁଷମାନେ ରହିଥିବାରୁ ଦିନ ସମୟରେ ମହିଳାମାନେ ଏଣେ ତେଣେ ବୁଲିବା ଦେଖିବାକୁ ମିଳୁଛି। ମହିଳାମାନଙ୍କ ପାଇଁ ସାନିଟାରୀ ନାପ୍‌କିନ୍‌ବ୍ୟବସ୍ଥା ଖୁବ୍‌ପ୍ରଶଂସନୀୟ, ମାତ୍ର ଏହା ଦଳିତ ସାହି ଭଳି ଅନେକ ସ୍ଥାନରେ ପହଞ୍ଚି ପାରୁନାହିଁ ବୋଲି ଆଇନାର ସମ୍ପଦିକା ସ୍ନେହା ମିଶ୍ର କହିଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳରେ କାମଧନ୍ଧା ଅଭାବ ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ କରାଯାଉନଥିବାରୁ ଦେଶାନ୍ତର, ଶିଶୁ ଓ କିଶୋରୀ ବାଳିକା ଚାଲାଣ ଭଳି ସମ୍ବଦନଶୀଳତାକୁ ଏଡାଇ ଦିଆଯାଇ ନପାରେ ବୋଲି ସେ ମତ ପୋଷଣ କରିଛନ୍ତି। ଦଳିତ ପରିବାରମାନଙ୍କୁ କେବଳ ଆଶ୍ରୟସ୍ଥଳୀରେ ବାଚ୍ଛନ୍ଦ କରାଯାଇ ନାହିଁ ବରଂ ରନ୍ଧା ଖାଦ୍ୟ, ରିଲିଫ୍‌ସମାଗ୍ରୀ ବଣ୍ଟନ ଓ କ୍ଷୟକ୍ଷତି ଆକଳନ ସମୟରେ ମଧ୍ୟ ଦେଖିବାକୁ ମିଳିଛି ବୋଲି ଶ୍ରୀମତୀ ମିଶ୍ର ଅଭିଯୋଗ କରିଛନ୍ତି। ସେହିପରି ଦିବ୍ୟାଙ୍କ ଏବଂ ଦୁରାରୋଗ୍ୟ ପୀଡିତ ବ୍ୟକ୍ତିମାନେ ରିଲିଫ୍‌ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ ଆସିଛି।

ମରାମତି ହେଉ ବିଦ୍ୟାଳୟ; ପୋଷାକ ସହ ମିଳୁ ଶୈକ୍ଷିକ ସାମଗ୍ରୀ

ଜୁନ୍‌ତୃତୀୟ ସପ୍ତାହରେ ରାଜ୍ୟର ସମସ୍ତ ଅଞ୍ଚଳରେ ବିଦ୍ୟାଳୟ ପାଠ ପଢା ଆରମ୍ଭ ହେବ। ଏପରି କ୍ଷେତ୍ରରେ ବାତ୍ୟ ପ୍ରଭାବିତ ଅଞ୍ଚଳରେ ଭାଙ୍ଗି ଯାଇଥିବା ବିଦ୍ୟାଳୟଗୁଡିକର ତୁରନ୍ତ ମରାମତି କରାଯାଇ ନିର୍ଦ୍ଧାରିତ ଦିନରେ ହିଁ ପାଠ ପଢା କିପରି ଆରମ୍ଭ କରାଯାଇପାରିବ ସେଥି ପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ। ଅନେକ ପିଲାମାନଙ୍କର ବହି, ଖାତା ଆଦି ନଷ୍ଟ ହୋଇଯାଇଛି। ତେବେ ସରକାରଙ୍କ ଘୋଷଣା ଅନୁଯାୟୀ ପ୍ରଭାବିତ ଅଞ୍ଚଳରେ ପିଲାମାନଙ୍କୁ ହଳେ ଏବଂ ଅଧିକ ପ୍ରଭାବିତ ଅଞ୍ଚଳରେ ଦୁଇ ହଳ ପୋଷାକ ଦିଆଯିବ। ସହାୟତା କେବଳ ପୋଷାକ ଭିତରେ ସୀମିତ ନ ରହି ଶୈକ୍ଷିକ ସାମଗ୍ରୀ ମଧ୍ୟ ସହାୟତା ଭାବରେ ଦିଆଯିବା ଉଚିତ୍‌ବୋଲି ସିୱାଇଏସ୍‌ଡିର ମାର୍ଗଦର୍ଶକ ଓ ସହ-ପ୍ରତିଷ୍ଠାତା ଜଗଦାନନ୍ଦ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାମ୍ବାଦିକ ରାଜେଶ ମହାପାତ୍ର ଯୋଗଦେଇ କହିଛନ୍ତି ଯେ ତୃଣମୂଳ ସ୍ତରରେ ରିଳିଫ୍‌, ଥଇଥାନ୍‌, ପୁର୍ନବାସ ଆଦି ପ୍ରକ୍ରିୟାରେ ହେଉଥିବା ପାତରଅନ୍ତର ଓ ବାଛ ବିଚାର ଭଳି ସମ୍ବଦନଶୀଳ ଘଟଣାଗୁଡିକୁ ଲୋକଲୋଚନକୁ ଆଣି ଏହାର ତ୍ୱରିତ ସମାଧାନ ଦିଗରେ ସରକାରଙ୍କୁ ଅବଗତ କରାଇବାରେ ଗଣମାଧ୍ୟମ ନିହାତି ଭାବେ ଆଗକୁ ଆସିବା ଦରକର। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଅନେକ ଗଛ ଭାଙ୍ଗିଛି ତେଣୁ ଗଛ ଲଗାଇବା ଦିଗରେ ଯତ୍ନବାନ ହେବା ସହ ସ୍ୱେଚ୍ଛାସେବୀମାନଙ୍କ ପ୍ରେରିତ କରି ନୂତନ ବନୀକରଣ ଦିଗରେ ପୁର୍ନବାର ବୃକ୍ଷରୋପଣ କାର୍ଯୟକୁ ତ୍ୱରିନ୍ୱିତ କରାଯିବା ଦିଗରେ ବିଶେଷ ଧ୍ୟାନ ଦିଆଯିବା ଅବଶ୍ୟକ ବୋଲି ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟ ସଂଯୋଜକ ମଧୁସୂଦନ ଦାସ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.