Odiapua.com

ଥ୍ରୀ’ ଟି ଫେଲ୍ ; ଯୋଡ଼ିଲେଣି ଆଉ ଟୁ’ ଟି: ସଫଳ ହେବ ତ’ ଫାଇଭ୍ ଟି’ ?

ଭୁବନେଶ୍ୱର: ପୂର୍ବରୁ ମୁଖ୍ୟମନ୍ତ୍ରୀ ଥ୍ରୀ’ ଟି କଥା କହୁଥିଲେ।ଏବେ ସେଥିରେ ଆଉ ଟୁ’ ଟି ଯୋଡ଼ିଛନ୍ତି।ଏବେ ଫାଇଭ୍’ ଟି। ପୂର୍ବରୁ ଥିଲା ଟିମୱାର୍କ, ଟ୍ରାନ୍ସପରେନ୍ସି ଏବଂ ଟେକ୍ନୋଲୋଜି।ଏବେ ସେଥିରେ ଆଉ ଟୁ’ ଟି ଟ୍ରାନ୍ସଫରମେସନ ଓ ଟାଇମ ସାମିଲ କରିଛନ୍ତି।ତେବେ ପୂର୍ବରୁ ତ’ ଥ୍ରୀ’ ଟି ଫେଲ୍ ଥିଲା।ଏବେ ଫାଇଭ୍ ଟି ସଫଳ ହେବ କେମିତି?

ଜଣେ କଠୋର; ଜଣେ କୋମଳ: କିନ୍ତୁ, ତା’ର ପରିଣାମ?

ସୋମବାର ଦିନ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ଅଧିକାରୀଙ୍କ ସହ ସହ ବୈଠକ କରି ତାଙ୍କ କାର୍ଯ୍ୟକାଳରେ ଓଡ଼ିଶାର ୩ଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।ଯାହାକି ଓଡ଼ିଶାକୁ ଆନ୍ତର୍ଜାତିକ ମାନଦଣ୍ଡ ଅନୁରୂପ କରାଇପାରିଛି।ବିପର୍ଯ୍ୟୟ ପରିଚାଳନା, ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଓ ରାଜ୍ୟରୁ ନକ୍ସଲଙ୍କ ପ୍ରଭାବ ହ୍ରାସ ମାଧ୍ୟମରେ ଓଡ଼ିଶା ଏବେ ସମଗ୍ର ଦେଶରେ ସ୍ୱୀକୃତି ଲାଭ କରିଛି।ତେଣୁ ସମସ୍ତ ସରକାରୀ କଳ ଫାଇଭ-ଟି’କୁ ସାମିଲ କରି ରାଜ୍ୟରେ କାର୍ଯ୍ୟକାରୀ କରାଇବା ଉଚିତ୍ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ନାଗରିକ କେନ୍ଦ୍ରିକ ଶାସନ ପ୍ରଦାନ ପାଇଁ ଏବଂ ଉତ୍ତରଦାୟିତ୍ୱ ପ୍ରକ୍ରିୟାରେ ସୁଧାର ଆଣିବା ନିମନ୍ତେ ଜିଲ୍ଲା ଏସପି ଓ ଭାରତୀୟ ଜଙ୍ଗଲ ସେବା ଅଧିକାରୀମାନେ (ଅତିରିକ୍ତ ପିସିସିଏଫ ଓ ତଦୁଦ୍ଧ୍ୱ ଅଫିସର) ନିଜର ବାର୍ଷିକ ପରଫରମାନ୍ସ ଆପ୍ରାଇଜାଲ ରିପୋର୍ଟକୁ ଏଣିକି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାଖଲ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ତରଫରୁ କୁହାଯାଇଛି। ଅଫିସର ମାନଙ୍କ ଏହି ପରଫରମାନ୍ସ ଆପ୍ରାଇଜାଲ ରିପୋର୍ଟରେ ଫାଇଭ-ଟି କାର୍ଯ୍ୟକାରୀ କରିବା ପାଇଁ ୨୦ ପ୍ରତିଶତ ମାର୍କ ବ୍ୟବସ୍ଥା ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ସେହିପରି ନିର୍ଦ୍ଦେଶାଳୟ ଗୁଡ଼ିକୁ ସୁବ୍ୟବସ୍ଥିତ କରିବା ଓ ତ୍ୱରିତ୍ ନିଷ୍ପତ୍ତି ନିମନ୍ତେ ବିଭାଗ ଓ ନିର୍ଦ୍ଦେଶାଳୟ ଗୁଡ଼ିକ ସମ୍ମିଳିତ ହୋଇ କାର୍ଯ୍ୟ କରିବେ।ଓସ୍ୱାସ୍ ବ୍ୟବସ୍ଥା ଏଣିକି ଉଭୟ ନିର୍ଦ୍ଦେଶାଳୟ ଓ ବିଭାଗ ଗୁଡ଼ିକରେ ସମ୍ମିଶ୍ରଣ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଅବସରରେ ଫାଇଭ-ଟି (ଟିମୱାର୍କ, ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟ୍ରାନ୍ସଫରମେସନ ଓ ଟାଇମ)କୁ ପୂର୍ତ୍ତ, ଗୃହନିର୍ମାଣ ଓ ନଗର ଉନ୍ନୟନ, ଶକ୍ତି, ଉଚ୍ଚଶିକ୍ଷା, ଭିନ୍ନକ୍ଷମ ଓ ସାମାଜିକ ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗରେ ସାମିଲ କରିବା ଉପରେ ଆଲୋଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅନୁଯାୟୀ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନିଶ୍ଚିତ ଭାବରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି।କିନ୍ତୁ, ବିଭିନ୍ନ ନିର୍ଦ୍ଦେଶାଳୟ ଗୁଡ଼ିକୁ ସୁବ୍ୟବସ୍ଥିତ କରିବା, ତ୍ୱରିତ ନିଷ୍ପତି ନେବା, ବିଭାଗ ଏବଂ ନିର୍ଦ୍ଦେଶାଳୟ ଗୁଡ଼ିକ ସମ୍ମିଳିତ ହୋଇ କାର୍ଯ୍ୟ କରିବା କଥା ଯେଉଁ କହିଛନ୍ତି, ତାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଦେଖିବାକୁ ଗଲେ ପୂର୍ବରୁ (ଟିମୱାର୍କ, ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି) ଥ୍ରୀ ଟି” ଫେଲ୍ ହୋଇଛି।ତ୍ୱରିତ ନିଷ୍ପତି ନେବାରେ, ବିଭାଗ ଏବଂ ନିର୍ଦ୍ଦେଶାଳୟ ଗୁଡ଼ିକ ସମ୍ମିଳିତ ହୋଇ କାର୍ଯ୍ୟକରିବାରେ ଫେଲ୍ ହୋଇଛନ୍ତି।ବିଭାଗୀୟ ଅଧିକାରୀମାନଙ୍କ ପାଖକୁ କୌଣସି ଅଭିଯୋଗ ଗଲେ ଶୁଣାଯାଉନି।ଅଧିକାରୀମାନେ ଅଭିଯୋଗ ଯାଇଥିବା ମେଲ୍ ଖୋଲି ପଢ଼ୁନାହାଁନ୍ତି।ଯଦି ବା ଅଭିଯୋଗ ଶୁଣିଲେ ତାହା ଦିନ ଦିନ ବିତି ଯାଉଛି ଏପରିକି ବର୍ଷ ବର୍ଷ ବିତି ଯାଉଛି। ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିବା ଅଭିଯୋଗ ଗୁଡ଼ିକୁ ସମ୍ପର୍କିତ ବିଭାଗକୁ ପଠାଇବା କେବଳ କର୍ତ୍ତବ୍ୟ ହୋଇ ରହିଯାଇଛି। ଅଭିଯୋଗକାରୀଙ୍କର ଅଭିଯୋଗ ପତ୍ରକୁ ତା’ ସମ୍ପର୍କୀତ ବିଭାଗକୁ ପଠାଇବା ପରେ ହିଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର କାମ ସରିଲା।ସେ ଅଭିଯୋଗ ବର୍ଷ ବର୍ଷ ଧରି ପଡ଼ିରହୁଛି।କିଛି ଶୁଣାଯାଉଛି, କିଛି ଶୁଣାଯାଉନାହିଁ କେତେକ ଅନେକ ବର୍ଷ ଧରି ଶୀତଳ ଭଣ୍ଡାରରେ ପଡ଼ିରହିଥିବା ଜଣାପଡ଼ିଛି।ଅଭିଯୋଗ ପଠାଇ ସାରିବା ପରେ ଏବଂ ଅଭିଯୋଗ ଶୁଣାଣି ଉପରେ ଏ’ ଅଧିକାରୀ, ସେ ଅଧିକାରୀଙ୍କ ପାଖକୁ ସେ ଅଧିକାରୀ, ଏ’ ଅଧିକାରୀଙ୍କ ପାଖକୁ ପଠାଉଛନ୍ତି।ସମୟାନୁସାରେ କାର୍ଯ୍ୟ ହେଉନାହିଁ।

ଓଡ଼ିଶା ସରକାରଙ୍କର କୌଣସି ବିଭାଗକୁ ମେଲ ପଠାଇଲେ ତାହା ଉଫଯୁକ୍ତ ଅଫିସରଙ୍କର ପାଖରେ ପହଁଚି ପାରେ ନାହିଁ। ମେଲ ପହଁଚୁଥିଲେ ମଧ୍ୟ ଅନେକ ସମୟରେ ଏହି ଦାୟୀତ୍ତ୍ୱରେ ଥିବା ଅଧିକାରୀମାନେ ପହଁଚିନାହିଁ ବୋଲି ମିଛ କୁହଁନ୍ତି।ଫୋନ କରି ବାରମ୍ବାର ପଚାରିବା ପରେ କୁହନ୍ତି ମିଳିଯାଇଛି। କିନ୍ତୁ କାଗଜ ଖର୍ଚ୍ଚ ହୋଇଯିବ ବୋଲି କିମ୍ବା ଅଳସୁଆମି କାରଣରୁ ହେଉ ବା ଅନ୍ୟ କିଛି କାରଣରୁ ଏହି ଇମେଲର ପ୍ରିଣ୍ଟ ନିଆଯାଏ ନାହିଁ ଏବଂ ତାହା ଉପଯୁକ୍ତ ଅଧିକାରୀଙ୍କ ପାଖରେ ପହଁଚି ପାରେନାହିଁ।ସାଧାରଣ ଲୋକଟିଏ ମେଲ ପଠାଇ ଆଶା କରିଥାଏ ତା’ର କିଛି ଶୁଣାଣି ହେବ।ଅନେକ ଦିନ ଅପେକ୍ଷା କରିବା ପରେ ଯେତେବେଳେ ସେ ପଠାଇଥିବା ମେଲଟି ବିଷୟରେ କ’ଣ ହେଲା ବୋଲି ଜାଣିବାକୁ ଚେଷ୍ଟାକରେ, ସେତେବେଳେ ସେ ଜାଣିବାକୁ ପାଏ ଯେ, ସେ ପଠାଇଥିବା ମେଲଟି ପ୍ରକୃତରେ ଉପଯୁକ୍ତ ଅଧିକାରୀଙ୍କ ପାଖରେ ପହଁଚିନାହିଁ।

କି’ଏ ହେବ ବିଜେପି ରାଜ୍ୟ ସଭାପତି? କସରତ ଆରମ୍ଭ: ମୂଳ କଣ୍ଟା ତ’ ହଟିଯାଇଛି!

ଓଡ଼ିଶାରେ ମନ୍ତ୍ରୀମାନଙ୍କର କୌଣସି ଶାସନ କ୍ଷମତା ନାହିଁ।ପ୍ରତ୍ୟେକ ବିଭାଗ ଏବେ ଶାସନ ସଚିବ ମାନଙ୍କ ଦ୍ୱାରା ପରିଚାଳିତ।ସଚିବମାନେ ଯେହେତୁ ପ୍ରଶାସନିକ ସେବା ଅଧିକାରୀ ସେମାନଙ୍କ ପାଖକୁ ସାଧାରଣ ଓଡ଼ିଆ ଲୋକଟିଏ ସହଜରେ ପହଁଚି ପାରେ ନାହିଁ। ତେଣୁ ତା’ ଦ୍ୱାରା ଦିଆଯାଇଥିବା କୌଣସି ଚିଠିଟିକୁ ତଳ ସ୍ତରରେ ଚାପି ଦିଆଯାଇଥିଲେ ମଧ୍ୟ ତାକୁ କୌଣସି ନ୍ୟାୟ ମିଳିପାରେ ନାହିଁ। ଏଠି ରହିଲା ସାଧାରଣ ଲୋକ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ଥିବା ଯୋଗାଯୋଗର ଦୂରତା।ଅନେକ ସମୟରେ ଦେଖାଯାଏ ଯେ, କୌଣସି ବିଭାଗର ମୁଖ୍ୟ, ଯେପରିକି ମନ୍ତ୍ରୀ କିମ୍ବା ବିଭାଗୀୟ ସଚିବଙ୍କୁ ଦିଆଯାଇଥିବା ପତ୍ରଟି ଆସେ ସେକ୍ସନକୁ।କିନ୍ତୁ ସେଠାରେ ଫାଇଲଟି ଅନେକ ଦିନଧରି ଚାପି ରଖି ଦିଆଯାଏ।ଏହି ଫାଇଲର ଗତିକୁ ରୋକି ଦିଆଯାଏ।ହୁଏତ କୌଣସି ନେଣ ଦେଣ କିମ୍ବା ପିସି ପାଇଁ ଫାଇଲଟିକୁ ରୋକି ଦିଆଯାଇଥାଏ।କେତେକାଂଶରେ ଦେଖାଯାଏଯେ, ତୃତୀୟ ମହଲାର ଇଙ୍ଗିତ ବିନା ଫାଇଲ ଉପରେ କୌଣସି କାର୍ଯ୍ୟ ହୁଏନାହିଁ।ତେଣୁ ସାଧାରଣ ଲୋକଟିଏ ଇତି ମଧ୍ୟରେ ଦୌଡ଼ିଦୌଡ଼ି ନୟାନ୍ତ ହୋଇଯାଏ ଶେଷରେ କିନ୍ତୁ କିଛି କରିପାରେ ନାହିଁ। କହିବ ବା କାହାକୁ?ଏହିପରି ଚାଲିଛି ଓଡ଼ିଶା ପ୍ରଶାସନ।ତେଣୁ, ପୂର୍ବରୁ ଟେକ୍ନୋଲୋଜି,ଟ୍ରାନ୍ସପରେନ୍ସି, ଟିମୱାର୍କ (ଥ୍ରୀ’ ଟି) ଫେଲ୍।ସରକାରଙ୍କର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଏହିପରି ସମସ୍ୟା ରହିଛି।ଯେଉଁଠି ଥ୍ରୀ ଟି ଫେଲ୍ ମାରିଛି, ସେଠି ପୁଣି ଆଉ ଟୁ ଟି’? ଫାଇଭ୍ ଟି’ର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି।//ଦେବଦତ୍ତ ରଥ