Home ଜିଲ୍ଲା ପରିକ୍ରମା ୱାଟର ଏଟିଏମ୍ ଅଚଳ : ମରାମତି କରୁନି ପୌର ପ୍ରଶାସନ

ୱାଟର ଏଟିଏମ୍ ଅଚଳ : ମରାମତି କରୁନି ପୌର ପ୍ରଶାସନ

44

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌର ପ୍ରଶାସନ କେବଳ ଏବେ ସାମାଜିକ ଗଣମାଧ୍ୟମରେ ନିଜର ଢୋଲ ନିଜେ ବଜାଉଛି । ସ୍ୱଚ୍ଛ ସର୍ବେକ୍ଷଣ ଦିଗରେ ନିଆଯାଉଥିବା ଆବାସ ଯୋଜନାର ନିଅଁ ଖୋଳାଠାରୁ ଆରମ୍ଭ କରି ଅଳିଆ ଉଠା ପରି ପ୍ରତିଟି ଛୋଟ ଛୋଟ କାର୍ଯ୍ୟକ୍ରମକୁ ଟ୍ୟୁଟରରେ ପୋଷ୍ଟ କରି ପ୍ରଶାସନର ମୁଖ୍ୟଙ୍କ ବିଶ୍ୱାସଭାଜନ ହେବାରେ ଲାଗିଛି । କିନ୍ତୁ ପୌର କର୍ତ୍ତୃପକ୍ଷ ସହରବାସୀଙ୍କ କେତେକ ସାମାନ୍ୟତମ ମୌଳିକ ଆବଶ୍ୟକତାକୁ ନଜର ଆନ୍ଦାଜ କରି ଚାଲିଛନ୍ତି । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପୂର୍ବରୁ ଏକ ଚାରିଟେବୁଲ ସଂସ୍ଥା ଦ୍ୱାରା ସ୍ଥାପିତ ଗୋଟିଏ ପ୍ରକଳ୍ପ କ୍ଷେତ୍ରରେ । ପାରଦ ଉପରମୁହାଁ ହୋଇ ଚାଲିଥିବାବେଳେ ସବୁଠି ଏବେ ଜଳକଷ୍ଟ ଆରମ୍ଭ ହେଲାଣି । ଠିକ୍ ଏତିକିବେଳେ ରକ୍ଷଣାବେକ୍ଷଣ ଅଭାବରୁ ପୂର୍ବରୁ ସ୍ଥାପିତ ଏକ ୱାଟର ଏଟିଏମ୍ ଅଚଳ ହୋଇପଡିରହିଛି । ତଥ୍ୟ ଅନୁଯାୟୀ ୨ ବର୍ଷ ପୂର୍ବେ ଆଇ-ଫିଲ୍ଡ ନାମକ ଏକ ଜାତୀୟ ସ୍ୱେଚ୍ଛାସେବୀ ସଂଗଠନ, ରାଜ୍ୟର ଅନ୍ୟତମ ପ୍ରମୁଖ ସାମାଜିକ ସଂଗଠନ ନୀଳଚକ୍ର ଚାରିଟେବୁଲ ଟ୍ରଷ୍ଟ ସହାୟତାରେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ୱାଟର ଏଟିଏମ୍ ସ୍ଥାପନ କରିଥିଲା । ଏଥିପାଇଁ ସ୍ୱାକ୍ଷରିତ ଏମ୍‌ଓୟୁ ଅନୁଯାୟୀ ଭଦ୍ରକ ପୌର କର୍ତ୍ତୃପକ୍ଷ ଜାଗା, ଗୃହ ନିର୍ମାଣ, ବିଦ୍ୟୁତ୍ ସଂଯୋଗ ପରି ସମସ୍ତ ଭିତ୍ତିଭୂମି ଯୋଗାଇ ଦେଇଥିଲେ । ଏହାପରେ ଏହି ଏଟିଏମ୍ କାର୍ଯ୍ୟକ୍ଷମ ହୋଇଥିଲା ।

୨୪ ଘଣ୍ଟିଆ ଉକ୍ତ ମହତ୍ ପ୍ରକଳ୍ପର ରକ୍ଷଣାବେକ୍ଷଣ ଦାୟିତ୍ୱ ପୌର କର୍ତ୍ତୃପକ୍ଷ ନେଇଥିଲେ । ଉକ୍ତ ପ୍ରକଳ୍ପର ଉଦ୍ଦେଶ୍ୟ ଥିଲା ସହରବାସୀଙ୍କୁ କମ୍ ଦାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା । ବିଭିନ୍ନ ସମୟରେ ଟିକେ ବିଶୁଦ୍ଧ ପାନୀୟ ଜଳ ପାଇଁ ଲୋକେ ଦୋକାନରୁ ଲିଟର ପିଛା ୨୦ ଟଙ୍କା ଦେଇ ଚାଲିଛନ୍ତି । ତେଣୁ ଲୋକଙ୍କ ସୁବିଧା ପାଇଁ ଏହି ଏଟିଏମ୍ ସ୍ଥାପନ ହୋଇଥିଲା । ସେଠାରେ ଥିବା କଏନ ବାକ୍ସରେ ଦୁଇଟି ଏକ ଟଙ୍କିଆ କଏନ୍ ପକାଇବା ସହ ପ୍ରଦର୍ଶିତ ନିୟମାବଳୀ ଅନୁଯାୟୀ ଜଣେ ବ୍ୟକ୍ତି ଏକ ଲିଟର ବିଶୁଦ୍ଧ ପାନୀୟ ଜଳ ପାଇବାର ବ୍ୟବସ୍ଥା ଏହି ପ୍ରକଳ୍ପରେ ଥିଲା । ପ୍ରଥମାବସ୍ଥାରେ ସହରବାସୀ ଓ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ବ୍ୟକ୍ତବିଶେଷ ଏହାର ଭରପୁର ଫାଇଦା ନେଉଥିଲେ । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଗତ ୬ ମାସ ଧରି ଏହି ୱାଟର ଏଟିଏମ୍ ଅଚଳ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଏହା ଅଚଳ ହୋଇ ପଡିଥିଲେ ମଧ୍ୟ ବିଦ୍ୟୁତ୍ ସଂଯୋଗ ଥିବାରୁ ଏଥିନିମିତ୍ତ କର୍ତ୍ତୃପକ୍ଷ ବିଲ୍ ଦେଇଚାଲିଛନ୍ତି । ଏବେ ଉକ୍ତ ଜରାଜୀର୍ଣ୍ଣ ୱାଟର ଏଟିଏମ୍ ସମ୍ମୁଖରେ ପୁଲିସ୍ ବିଭାଗର ବ୍ୟାରିକେଡ୍ ତୃଷାର୍ତ୍ତ ପଥିକଙ୍କ ବାଟ ଓଗାଳିଛି । ଏ ସଂପର୍କରେ ଆଇ-ଫିଲ୍ଡ ସଂସ୍ଥା ପ୍ରଦତ୍ତ ହେଲପ ଡେସ୍କକୁ ଯୋଗାଯୋଗ କରିବା ପରେ ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା କର୍ମଚାରୀ ‘କେହି ପାଣି ପାଇଁ ଆସୁନାହାଁନ୍ତି । କମ୍ପ୍ରେସର ପୋଡିଯାଇଛି, ଖୁବ୍‌ଶୀଘ୍ର ଆମେ ମରାମତି କରିଦେବୁ’ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.