ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅବକାରୀ ଅଧୀକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡଙ୍କ ନେତୃତ୍ୱରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଭଦ୍ରକରେ ପାଟ୍ରୋଲିଂ କରୁଥିଲେ । ଭଦ୍ରକ ଟାଉନ୍ ଥାନା ଅନ୍ତର୍ଗତ ଚାରିଘରିଆ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଓଆର-୨୨ଇ-୦୧୧୯ ନମ୍ବରର ଗୋଟିଏ ଟାଟା ଇଣ୍ଡିଗୋ କାର୍ରୁ ୫ ଶହ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ବାଗୁରାଇ ଗ୍ରାମର ଜୀବନଧର ଦାସ ଓରଫ ଚଗୁଲୁକୁ ଗିରଫ କରିଛି । ସେହିପରି ପୁରୁଣାବଜାର ଥାନା ଅନ୍ତର୍ଗତ ମିର୍ଜାପୁର ଗ୍ରାମରେ ଚଢାଉ କରାଯାଇ ଗୋଟିଏ ଓଡି-୦୫ଇ-୬୧୫୪ ନମ୍ବରର ହୋଣ୍ଡା ଆକ୍ଟିଭା ସ୍କୁଟି ସହିତ ୪ ଶହ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି । ଏଥିରେ ସଂପୃକ୍ତ ୩ ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବାର ଜଣାପଡିଛି । ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଏହି ଚଢାଉରେ ସମୁଦାୟ ୯ ଶହ ଲଟିର ଦେଶୀ ରନ୍ଧା ମଦ ଜବତ କରାଯାଇଛି । ଜବତ ମଦ ଓ ଗାଡିର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏହି ଚଢାଉରେ ଧାମନଗର ଓଆଇସି ପ୍ରହ୍ଲାଦ ସାମଲ, ଏଏସ୍ଆଇ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ରମେଶ ନାୟକ, ପ୍ରଦୀପ ମଲ୍ଲିକ, ଅଜିତ କୁମାର ସିଙ୍କୁ ଓ ଜେମାମଣି ଜାମୁଡା ପ୍ରମୁଖ ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ଦୁଇଗୋଟି ପୃଥକ୍ ମାମଲା ରୁଜୁ କରାଯାଇଛି ।