Home ଜିଲ୍ଲା ପରିକ୍ରମା ୮ ହଜାର ୩୧୦ କୋଭିଡ୍ ଯୋଦ୍ଧାଙ୍କୁ ଆଗୁଆ ଭ୍ୟାକସିନ୍

୮ ହଜାର ୩୧୦ କୋଭିଡ୍ ଯୋଦ୍ଧାଙ୍କୁ ଆଗୁଆ ଭ୍ୟାକସିନ୍

27

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ୍ ଭେକ୍ସିନେସନ ପାଇଁ ଜିଲାସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଫ୍ରଣ୍ଟ ଲାଇନ୍ ୱାର୍କସ କୁହାଯାଉଥିବା ୮ ହଜାର ୩୧୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ଟୀକା ପ୍ରଦାନ କରିବାକୁ ଘୋଷଣା କରାଯାଇଛି । ଏଥିଲାଗି ଜିଲାରେ କୋଭିଡ୍ ପରିଚାଳନାରେ ନିୟୋଜିତ ଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ ଫିଲ୍ଡ ୱାର୍କରସ୍‌ମାନଙ୍କୁ ଆଗୁଆ କୋଭିଡ୍ ଟୀକା ଦେବାକୁ ଘୋଷଣା କରାଯାଇଛି । ଏଥିପାଇଁ ଟୀକା ପଂଜିକରଣ ଚୂଡାନ୍ତ ହୋଇଥିବା ଭ୍ୟାକସିନ୍ ପରିଚାଳନା ଦାୟିତ୍ୱରେ ଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ ପାତ୍ର ପ୍ରକାଶ କରିଛନ୍ତି । ଏଥିଲାଗି କେତେ କର୍ମଚାରୀ ନିୟୋଜିତ ହେବେ, ତାହା ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ପ୍ରତି ଶହେ ଲୋକଙ୍କ ଟୀକାକରଣ ସକାଶେ ଏକ ୫ ଜଣିଆ ଟିମ୍ ଗଠନ କରାଯାଇଛି । ପ୍ରତି ଟିମ୍‌ରେ ଜଣେ ପୁଲିସ୍ ପର୍ସନାଲଙ୍କ ସହିତ ଭ୍ୟାକ୍ସିନେଟର ୨,୩,୪ ଏବଂ ୫ ନିୟୋଜିତ ହେବେ ବୋଲି କୁହାଯାଇଛି । ଦ୍ୱିତୀୟ ଭ୍ୟାକ୍ସିନେଟର କମ୍ପ୍ୟୁଟରରେ ଡାଟା ଅପଲୋଡ କରିବାକୁ ନିୟୋଜିତ କରାଯାଇଥିବାବେଳେ ତୃତୀୟ ଭ୍ୟାକ୍ସିନେଟରଙ୍କୁ ଟୀକାକରଣ, ଚତୁର୍ଥ ଭ୍ୟାକ୍ସିନେଟରଙ୍କୁ ଟୀକାକରଣ ସମ୍ବନ୍ଧୀୟ ସୂଚନା ଏବଂ ପଞ୍ଚମ ଭ୍ୟାକ୍ସିନେଟରଙ୍କୁ ଟୀକାକରଣ ପରବର୍ତ୍ତୀ ନିରୀକ୍ଷଣ ଗୃହର ଦାୟିତ୍ୱ ଅର୍ପଣ କରାଯାଇଛି । ସେହିଭଳି ଟୀକା ଗ୍ରହଣ ପରେ ରୋଗୀଙ୍କୁ ଅନ୍ୟୁନ ପକ୍ଷେ ୩୦ ମିନିଟ୍ ପର୍ଯ୍ୟନ୍ତ ନିରୀକ୍ଷଣ ଗୃହରେ ରଖାଯିବାକୁ କୁହାଯାଇଛି । ସେହିଭଳି ଗୋଟିଏ ଭ୍ୟାକସିନ୍ ଭାୱେଲ ସର୍ବାଧିକ ୧୦ ଜଣଙ୍କ ଟୀକାକରଣ ପାଇଁ ଉଦ୍ଦିଷ୍ଟ ଥିଲେ ମଧ୍ୟ ଖୋଲାଯାଇଥିବା ଭାୱେଲ୍‌କୁ ସଂରକ୍ଷିତ କରି ରଖାଯାଇପାରିବ ନାହିଁ ବୋଲି କୁହାଯାଇଛି ।

ଏହି ଭ୍ୟାକ୍‌ସିନ୍ କୁ ୨ ରୁ ୮ ଡିଗ୍ରୀ ତାପମାତ୍ରାରେ ରଖାଯାଇ ଏହାର ବ୍ୟବହାର କରିବାକୁ କୁହାଯାଇଛି । ଭ୍ୟାକ୍‌ସିନ୍ ଡୋଜ ସଂପର୍କରେ ସୂଚନା ଦେବାକୁ ଯାଇ ସିଡିଏମ୍‌ଓ ଡା. ପାତ୍ର କହିଥିଲେ ଯେ ଭ୍ୟାକ୍ସିନ କଂପାନୀକୁ ନେଇ ଏହାର ଡୋଜ୍ ନିର୍ଦ୍ଧାରଣ କରାଯିବ । ସେହିଭଳି ଭ୍ୟାକ୍ସିନର କୌଣସି ପାଶ୍ୱର୍ ପ୍ରତିକ୍ରିୟା ପରିଲକ୍ଷିତ ହେଲେ ତୁରନ୍ତ ଜିଲା ସ୍ୱାସ୍ଥ୍ୟ ବିଭାଗ ସହ ସଂପର୍କ କରିବାକୁ କୁହାଯାଇଛି । ସବୁଠାରୁ ବଡକଥା ହେଲା ଭ୍ୟାକ୍ସିନ ସମୟରେ କୋଭିଡ୍ ସଂକ୍ରମଣ ଏଡେଇବା ଲାଗି ସାନିଟାଇଜେସନ୍‌, ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତାକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି । ସେହିଭଳି ଟୀକାକରଣ ଲାଗି ଆଗ୍ରହୀ ଲୋକଙ୍କ ପଂଜିକରଣ ଲାଗି ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ସିଓଡବ୍ଲ୍ୟୁଆଇଏନ୍ ପୋର୍ଟାଲରେ ଆରମ୍ଭ ହେଉଥିବା ସିଡିଏମ୍‌ଓ ପ୍ରକାଶ କରିଛନ୍ତି । ଜିଲାରେ ଏହି ଟୀକାକରଣ ସକାଶେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ ୨୫ ରୁ ଉର୍ଦ୍ଧ୍ୱ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନେଇ ଏକ ମକଡ୍ରିଲ୍ କରାଯାଇଛି । ଏଥିରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମେତ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.