ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ କରଞ୍ଜମାଳ, କଇଥଖୋଲା, ଧାମରା ଓ ଜାଗୁଳା ଗ୍ରାମପଞ୍ଚାୟତର ୩୦ ରୁ ଉର୍ଦ୍ଧ୍ୱ ଭୂମିହୀନ, ଆଦିବାସୀ ଓ ହରିଜନ ଜନସାଧାରଣ କରଞ୍ଜମାଳ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଅରୁଣ କୁମାର ମହାନ୍ତିଙ୍କ ନେତୃତ୍ୱରେ ଜିଲାପାଳଙ୍କୁ ଭେଟି ସେମାନଙ୍କ ଅଂଚଳର ୬୪ ଜଣ ଦଳିତ ଲୋକ ୧୯୭୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଠାରୁ ଲିଜ୍ସୂତ୍ରେ ଜଣକା ପାଇଥିବା ୨ ଏକର ଲେଖାଁଏ ମୋଟ ୧୨୮ ଏକର ମୂଲ୍ୟବାନ ଜମିକୁ ଚଂଚକତା କରି ସୁନାକର ମିଶ୍ର ନାମକ ଜଣେ ଜମି ମାଫିଆ ନିଜ ଲୋକଙ୍କୁ ଜାଲ୍ କବଲା କରି କୋଟି କୋଟି ଟଙ୍କା ହଡପ କରିଥିବା ନେଇ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ସେମାନେ ଜିଲାପାଳ ତ୍ରିଲୋଚନ ମାଝୀଙ୍କୁ ଆଜି ଦେଇଥିବା ଅଭିଯୋଗ ପତ୍ର ମୂଳେ ସେମାନେ ଉକ୍ତ ଜମିର ଦଖଲରେ ଥାଇ ପାଉତି ହାସଲ କରିଛନ୍ତି । ମାତ୍ର ଗତ ୨୦୧୮ ମସିହା ଠାରୁ କରଞ୍ଜମାଳର ରାଜସ୍ୱ ନିରୀକ୍ଷକଙ୍କ ଠାରୁ ସେମାନଙ୍କ ଜମି ଅନ୍ୟମାନଙ୍କ ନାମରେ ବିକ୍ରି ହୋଇ ନାମଜାରୀ ହୋଇଥିବାର ଜାଣିବାକୁ ପାଇଥିଲେ ।
ମାତ୍ର ସେମାନେ ଉକ୍ତ ଜମି ବିକ୍ରି କରିନଥିବାବେଳେ ଏବଂ ସେମାନଙ୍କ ନାମରେ ପଟ୍ଟା ପାଉତି ଥିବାବେଳେ ଯେଭଳି ଭାବେ ସ୍ଥାନୀୟ ରେଜିଷ୍ଟ୍ରାର ଅଫିସର ଓ ତହସିଲଦାରଙ୍କ ସମେତ ରାଜସ୍ୱ ନିରୀକ୍ଷକ ଦୈତାରୀ ମୁଣ୍ଡା ସଂପୃକ୍ତ ଥାଇ ଉକ୍ତ ଜମି ମାଫିଆକୁ ଜାଲ୍ କବଲା କରିଛନ୍ତି, ସେ ସଂପର୍କରେ ଏହି ଦଳିତ ଲୋକମାନେ ବିଭିନ୍ନ ବିଭାଗୀୟ ପଦାଧିକାରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ତହସିଲଦାରଙ୍କୁ ଭେଟିଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଇନଥିଲେ । ତେବେ ତାଙ୍କର ଅଭିଯୋଗ ମୂଳେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ଯୁଗ୍ମ ସଚିବ ଏଲୋରା ସାମଲଙ୍କ ଠାରେ ଅଭିଯୋଗ କରିବା ପରେ ସେ ଗତ ୧୫ ତାରିଖ ଦିନ ଜିଲାପାଳଙ୍କୁ ଏ ସଂପର୍କରେ ପତ୍ର ଲେଖି ଅବଗତ କରାଇଛନ୍ତି । ଏହି ଜମି ମାଫିଆ ଜଣକ କେବଳ ଦଳିତଙ୍କ ଜମି ନୁହେଁ ଅନ୍ୟ ଲୋକଙ୍କର ପ୍ରାୟ ୫ ଶହ ଏକର ଚାଷଜମି ଏହିଭଳି ଭାବେ ଜାଲ୍ କବଲା କରି ବିକ୍ରି କରିଥିବାର ଅଭିଯୋଗ କରିଛନ୍ତି ଏହି ଗ୍ରାମବାସୀମାନେ । ଯାହାର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଜଣାପଡିଛି । ଆଜି ଏହି ଜମିହରା ବ୍ୟକ୍ତିମାନଙ୍କ ମଧ୍ୟରେ ସୁରେନ୍ଦ୍ର ଯେନା, ଅଭିମନ୍ୟୁ ଦାସ, ପ୍ରତାପ କୁମାର ସିଂହ, କୁମୁଦ ସିଂହ, ବିନୋଦ ଚନ୍ଦ୍ର ଦଳାଇ, ରେବତୀ ମଳିକ, ନାରଣ ପାତ୍ର, ରମେଶ ଗୋଚ୍ଛାୟତ, ବିଜୟ କୁମାର ଦାସ ପ୍ରମୁଖ ଜିଲାପାଳଙ୍କୁ ଭେଟି ସମସ୍ତ ବିଷୟ ଅବଗତ କରିବା ପରେ ଜିଲାପାଳ ଶ୍ରୀ ମାଝୀ ଯଥାଶୀଘ୍ର ଏକ ନିରପେକ୍ଷ ତଦନ୍ତ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି ।