Home ଜିଲ୍ଲା ପରିକ୍ରମା ୫-ଟି ସଚିବଙ୍କ ଗସ୍ତ ପରେ, ଆଖଣ୍ଡଳମଣି ପୀଠର ଉନ୍ନତିକରଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୨୮ କୋଟି...

୫-ଟି ସଚିବଙ୍କ ଗସ୍ତ ପରେ, ଆଖଣ୍ଡଳମଣି ପୀଠର ଉନ୍ନତିକରଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୨୮ କୋଟି ଟଙ୍କାର ଆର୍ଥିକ ଅନୁଦାନ ମଂଜୁର

28

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ । ଏଥିସକାଶେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ରାଜ୍ୟର ପ୍ରସିଦ୍ଧ ଦେବାଦେବୀ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀ ଗସ୍ତ କରି ସମୀକ୍ଷା କରିଚାଲିଛନ୍ତି । ପୁରୀର ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର, ସମଲେଶ୍ୱର ମନ୍ଦିରର ଉନ୍ନତିକରଣ ସହ ପାରିପାଶ୍ୱିର୍କ ଅବସ୍ଥିତିର ବିକାଶ ପାଇଁ କୋଟି କୋଟି ଟଙ୍କା ମଂଜୁର କରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ତଥା ଭଦ୍ରକ ଜିଲାର ଆରାଧ୍ୟ ଦେବତା ଆରଡି ପୀଠର ଆଖଣ୍ଡଳମଣି ମନ୍ଦିରର ଉନ୍ନତିକରଣ ସହ ସୌନ୍ଦର୍ଯ୍ୟକରଣ ଓ ପାରିପାଶ୍ୱର୍ିକ ଅବସ୍ଥିତିର ଉନ୍ନତି ପାଇଁ ପ୍ରାଥମିକ ପର୍ଯ୍ୟାୟରେ ସରକାର ଆଜି ୨୮.୭.୨୩ ତାରିଖରେ ୨୮ କୋଟି ଟଙ୍କା ଆର୍ଥିକ ଅନୁଦାନ ମଂଜୁର କରିଛନ୍ତି । ପ୍ରକାଶଯୋଗ୍ୟ ଗତ ୨୦୨୨ ସେପ୍ଟେମ୍ବର ୨୨ ତାରିଖରେ ୫-ଟି ସଚିବ ଆରଡି ଗସ୍ତ କରି ବାବା ଆଖଣ୍ଡଳମଣି ପୀଠର ସ୍ଥିତାବସ୍ଥା ସଂପର୍କରେ ଅନୁଧ୍ୟାନ କରିଥିଲେ । ୫-ଟି ସଚିବଙ୍କ ଏହି ଗସ୍ତ ପରେ ଆଖଣ୍ଡଳମଣି ମନ୍ଦିରର ଉନ୍ନତିକରଣ ସହ ଯାତ୍ରୀମାନଙ୍କ ଯାତାୟତ ଓ ଦର୍ଶନର ସୁବିଧା ପାଇଁ ମନ୍ଦିରକୁ ଆହୁରି ଅଧିକ ଉନ୍ନତି କରିବା ପାଇଁ ଏହି ସ୍ୱତନ୍ତ୍ର ଅନୁଧ୍ୟାନର ଅର୍ଥ ମଂଜୁର କରିଛନ୍ତି ।

ସରକାରଙ୍କ ଏହି ପ୍ରାଥମିକ ଅନୁଧ୍ୟାନ ଅର୍ଥରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ମନ୍ଦିରକୁ ଯୋଗାଯୋଗ କରୁଥିବା ସଂଲଗ୍ନ ରାସ୍ତାର ପ୍ରଶସ୍ତିକରଣ କରାଯିବ । ଏହି କାର୍ଯ୍ୟ ସଂପାଦନ ପରେ ପୂର୍ତ୍ତ ବିଭାଗର ଏଷ୍ଟିମେଟ୍ ଅନୁସାରେ ମନ୍ଦିରର ପୁନଃ ଉନ୍ନତିକରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟର ଅର୍ଥ ମଂଜୁର ହେବ । ତେବେ ପ୍ରାଥମିକ ପର୍ଯ୍ୟାୟରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ପ୍ରଶସ୍ତିକରଣ ପାଇଁ ଆବଶ୍ୟକ ପଡୁଥିବା ବେସରକାରୀ ଜମି ଅଧିଗ୍ରହଣ ସହ ଏହି ବେସରକାରୀ ଜମିରେ ଥିବା ସ୍ଥାବର ଓ ଅସ୍ଥାବର ସଂପତ୍ତିକୁ ଉଚ୍ଛେଦ କରାଯିବ । ଏଥିସକାଶେ ପ୍ରଶାସନ ପକ୍ଷରୁ ଚିହ୍ନଟ ପ୍ରକ୍ରିୟା କାର୍ଯ୍ୟ ଶେଷ ହୋଇଯାଇଛି । ପ୍ରଶାସନର ରିପୋର୍ଟ ଅନୁଯାୟୀ ୯୮ ଟି ପ୍ଲଟ୍‌ର ୧.୭୦ ଏକର ଜମି ଅଧିଗ୍ରହଣ ହେବା ସହ ସ୍ଥାବର ଓ ଅସ୍ଥାବର ସଂପତ୍ତି ପୁନଃ ଥଇଥାନ ନିମନ୍ତେ ଆରଡିସିଙ୍କ ଜରିଆରେ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସ୍ତାବକୁ ତର୍ଜମା କରିବା ପରେ ଓଡ଼ିଶା ସରକାରଙ୍କ ରାଜସ୍ୱ ବିପର୍ଯ୍ୟୟ ପ୍ରଶମନ ବିଭାଗ ପତ୍ର ସଂଖ୍ୟା ୨୨୫୯୯/୨୭.୬.୨୩ ରେ ବାବା ଆଖଣ୍ଡଳମଣି କମ୍ଲେକ୍ସର ପୁନଃ ଉନ୍ନୟନ ପାଇଁ ଏକ ପ୍ୟାକେଜ ଅନୁମୋଦନ କରିଛନ୍ତି । ଏହି ନିର୍ଦ୍ଦେଶନାମା ଅନୁଯାୟୀ ଏହି ବେସରକାରୀ ଜମି ଅଧିଗ୍ରହଣ ସହ ଏହି ଜମିରେ ଥିବା ସ୍ଥାବର ଓ ଅସ୍ଥାବର ସଂପତ୍ତି ପାଇଁ ସିଧାସଳଖ କ୍ଷତିପୂରଣ ଅର୍ଥରାଶି ପ୍ରଦାନର ବ୍ୟବସ୍ଥା ରହିଛି । ଏହାସହିତ ବିସ୍ଥାପିତ ହୋଇଥିବା ପରିବାରଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜର ବ୍ୟବସ୍ଥା ରହିଛି ।

ପ୍ରଶାସନର ସର୍ବ ରିର୍ପୋଟ ଅନୁଯାୟୀ ୫୪ ଜଣ ସେବାୟତ ଜମି ଓ ବାସଗୃହ ହରାଉଥିବାବେଳେ ୨୦ ଜଣ ସେବାୟତ ଟ୍ରଷ୍ଟବୋର୍ଡ ଜମିରେ ବସତି ସ୍ଥାପନ କରିଛନ୍ତି । ସେହିପରି ଠାକୁର ସଂପତ୍ତିରେ ୨୪ ଜଣ ସେବାୟତ ଘରକରି ରହିଛନ୍ତି । ଏହିସବୁ ଶ୍ରେଣୀର ମୋଟ ୯୮ ଜଣ ସେବାୟତ ପରିବାର ବର୍ଗଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ ସହ ସ୍ୱତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ବିଶେଷକରି ବିସ୍ଥାପିତମାନଙ୍କର ଆସିଷ୍ଟାନସ୍ ଫର ରିଲୋକେସନ ପାଇଁ ପରିବାର ପିଛା ୧ ଲକ୍ଷ ୪ ହଜାର ୧୯୫ ଟଙ୍କା ପ୍ରଦାନ କରାଯିବ । ଏହାବ୍ୟତୀତ ମେଣ୍ଟେନାନସ୍ ଆଲାଉନସ୍ ବାବଦରେ ମାସକୁ ୪ ହଜାର ୬୬୬ ଟଙ୍କା ଲେଖାଏଁ ୧୨ ମାସକୁ ୩୯ ହଜାର ୯୯୨ ଟଙ୍କା ଦିଆଯିବ । ସେହିପରି ଆସିଷ୍ଟାନସ୍ ଫର ଟେମ୍ପୋରାରୀ ସେଡ୍ ପାଇଁ ୨୦ ହଜାର ୮୩୧ ଟଙ୍କା ଓ ଗୃହୋପକରଣ ଗୁଡିକର ଟ୍ରାନ୍ସପୋର୍ଟିଂ ବାବଦରେ ୪ ହଜାର ୧୬୬ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ତେବେ ଏହି ଉଚ୍ଛେଦ ପ୍ରକ୍ରିୟା ପରେ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କରାଯିବ । ଏଥିପାଇଁ ପୂର୍ତ୍ତ ବିଭାଗକୁ ପ୍ରକଳ୍ପର ଏକ ଏଷ୍ଟିମେଟ୍ ରିପୋର୍ଟ ପ୍ରଦାନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ ମନ୍ଦିରରେ ଭିଡ ଜମାଉଥିବା ଭିକାରୀମାନଙ୍କ ପାଇଁ ଥଇଥାନର ବ୍ୟବସ୍ଥା କରାଯାଇଛି । ଏହାବ୍ୟତୀତ ଭିକ୍ଷୁକମାନଙ୍କର ଆର୍ଥିକ ଉନ୍ନତି ପାଇଁ ଭୋକେସନାଲ ଟ୍ରେନିଂ, ଆର୍ଥିକ ସହାୟତା ରାଶି ଯୋଗାଇଦେବା ସହ ମଧୁବାବୁ ପେନସନ ଓ ସ୍ୱାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ କରାଯିବା ସହ ରେସନ୍ କାର୍ଡ ଓ ଆଶ୍ରୟ ସ୍ଥଳୀ ସୃଷ୍ଟି ନିମନ୍ତେ ଏକ ସ୍ୱତନ୍ତ୍ର ପ୍ଲାନ୍ କରିବା ପାଇଁ ଜିଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ଜିଲାପାଳ ଚାନ୍ଦବାଲି ବିଡିଓଙ୍କୁ ଏହି ଯୋଜନା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.