ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୫ ଦଫା ଦାବି ନେଇ ରାଜ୍ୟ ଅଣଗେଜେଟେଡ୍ ବୈଷୟିକ କର୍ମଚାରୀ ସଂଘର ଆହ୍ୱାନ କ୍ରମେ ପ୍ରାଣୀଧନ ନିରୀକ୍ଷକ ମାନେ ଆଜି କଳାବ୍ୟାଚ୍ ପରିଧାନ କରିଛନ୍ତି । ଜିଲା ସଂଘର ସଭାପତି ପ୍ରିୟବ୍ରତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ରାଜ୍ୟ କର୍ମଚାରୀ ସଂଘର ନିର୍ଦ୍ଦେଶ ଅନୁଯାୟୀ ଆଜିଠାରୁ ୧୫ ଦିନ ପର୍ଯ୍ୟନ୍ତ କଳାବ୍ୟାଚ୍ ପିନ୍ଧି ସରକାରୀ କାର୍ଯ୍ୟ ଶୃଙ୍ଖଳାଗତ ଭାବେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ୫ ଦଫା ଦାବିଗୁଡିକ ହେଲା ଦରମାରେ ଥିବା ଅସଙ୍ଗତି, କ୍ୟାଡର ପୁନଃଗଠନ, କାର୍ଯ୍ୟସାରଣୀର ସଂଶୋଧନ, ନିଯୁକ୍ତି ନିୟମ ସଂଶୋଧନ, ଦୁଇବର୍ଷିଆ ଡିପ୍ଲୋମା ପୁନଃ ପ୍ରଚଳନ ଓ ବରିଷ୍ଠତା ଭିତ୍ତିରେ ସମସ୍ତ ପ୍ରାଣୀଧନମାନଙ୍କୁ ଡିପ୍ଲୋମା ମାନ୍ୟତା ପ୍ରଦାନ କରାଯାଇଛି । ଅପରପକ୍ଷରେ ୨୦୦୮ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ପ୍ରାଣୀଧନ ନିରୀକ୍ଷକମାନଙ୍କ ଚୁକ୍ତିଭୂତ୍ତିକ କାର୍ଯ୍ୟକାଳକୁ ନିୟମିତ ଭାବେ ଗଣନା କରି ସୁବିଧା ପ୍ରଧାନ କରାଯିବା ପାଇଁ ଦାବି କରାଯାଇଛି । ଯାହାକି ଗ୍ରାମାଞ୍ଚଳରେ ବସବାସ କରୁଥିବା ଗୋଚାଷୀ ଭାଇମାନଙ୍କର ଆୟ ଦ୍ୱିଗୁଣିତ କରୁଥିବା ପ୍ରାଣୀଧନ ନିରୀକ୍ଷକ ଭୂମିକା ଗୁରୁତ୍ୱପୂର୍ଣ୍ଣ ବହନ କରିଆସୁଛି । ଅନୁଷ୍ଠିତ ବୈଠକରେ ଜିଲା ସଂଘର ସଂପାଦକ ଭାସ୍କର ଚନ୍ଦ୍ର ସେଠୀ, ମୁଖ୍ୟ ଉପଦେଷ୍ଟା ସୁବାଷ ଚନ୍ଦ୍ର ଦାସ, ବ୍ରଜକିଶୋର ଦାସ, ସଂଘର ଅର୍ଥ ସଂପାଦକ ଭକ୍ତରଂଜନ ମଲ୍ଲିକ, ଉପସଭାପତି ବିଷ୍ଣୁବ୍ରତ ବଳ, ସଂଗଠନ ସଂପାଦକ ବିଶ୍ୱଭୂଷଣ ଦାସ ଓ ଜିଲାର ସମସ୍ତ ବ୍ଲକ୍ ସଂଗଠକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।