Home ଜିଲ୍ଲା ପରିକ୍ରମା ୩ ଦଫା ଦାବି ନେଇ ସମୂହ ଛୁଟିରେ ରହିବେ ପ୍ରାଥମିକ ଶିକ୍ଷକ

୩ ଦଫା ଦାବି ନେଇ ସମୂହ ଛୁଟିରେ ରହିବେ ପ୍ରାଥମିକ ଶିକ୍ଷକ

24

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଡାକରାରେ ଭଦ୍ରକ ଜିଲ୍ଲାର ସବୁ ବର୍ଗର ପ୍ରାଥମିକ ଶିକ୍ଷକ ସଂଗଠନଗୁଡ଼ିକ ତିନି ଦଫା ଦାବି ପୂରଣ ସକାଶେ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଏକତ୍ରିତ ହୋଇଥିଲେ । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଗଠନ ଭଦ୍ରକ ଜିଲ୍ଲା ଶାଖାର ସଭାପତି ବାବୁଲା ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ଶିକ୍ଷକମାନଙ୍କର ଦୀର୍ଘଦିନରୁ ହୋଇ ଆସୁଥିବା ତିନି ଦଫା ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା । ରାଜ୍ୟ ସରକାର ସବୁ ବର୍ଗର କର୍ମଚାରୀମାନଙ୍କର ଠିକା ନିଯୁକ୍ତିକୁ ଉଛେଦ କରିଥିବାବେଳେ, ପ୍ରାଥମିକ ଶିକ୍ଷକମାନେ ଏଥିରୁ ବାଦ ପଡ଼ିଛନ୍ତି । ଏହାର ପ୍ରତିବାଦରେ ପ୍ରାଥମିକ ସ୍କୁଲଗୁଡ଼ିକରେ କାର୍ଯ୍ୟରତ ସମସ୍ତ ଶିକ୍ଷକମାନଙ୍କ ଠିକା ନିଯୁକ୍ତି ଉଛେଦ କରି ଠିକା ନିଯୁକ୍ତି ସମୟକୁ ମୂଳ ଚାକିରୀରେ ଗଣନା କରିବା ସହ କନିଷ୍ଠ ଶିକ୍ଷକ, ଏକ୍ସ କ୍ୟାଡର ଶିକ୍ଷକ, କଳା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବାକୁ ଦାବି କରାଯାଇଥିଲା । ଏଥି ସହିତ ସମସ୍ତ ବର୍ଗର ଶିକ୍ଷକମାନଙ୍କ ମୂଳ ଦରମା ୪୨ଶହ ଗ୍ରେଡ ପେ ଅନୁଯାୟୀ ପ୍ରଦାନ କରିବା ସହିତ ନୂତନ ପେନସନ ପ୍ରଥା ଉଛେଦ କରି ପୁରୁଣ ପେନସନ ଲାଗୁ କରିବାକୁ ଦାବି କରିଥିଲେ ।

ଉକ୍ତ ଦାବିଗୁଡ଼ିକୁ ପୂରଣ କରିବା ପାଇଁ ଶିକ୍ଷକ ସଂଘ ପକ୍ଷରୁ ବାରମ୍ବାର ଆନ୍ଦୋଳନ ଓ ସରକାରଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସରକାର ଦାବି ପୂରଣ କରିବାରେ ବିଫଳ ହେବାରୁ ଏବେ ସମଗ୍ର ରାଜ୍ୟରେ ଶିକ୍ଷକମାନେ ଆନ୍ଦୋଳାନତ୍ମକ ପନ୍ଥା ଗ୍ରହଣ କରିବାକୁ ସ୍ଥିର କରିଛନ୍ତି । ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ଆଗାମୀ ୫ ତାରିଖରେ ବ୍ଳକ ସ୍ତରରେ ଆନ୍ଦୋଳନ ପ୍ରସ୍ତୁତି ବୈଠକ କରିବା ସହିତ ଦାବିପତ୍ର ପ୍ରଦାନ କରାଯିବ । ସେହିପରି ୧୧ ତାରିଖରେ ଜିଲ୍ଲାସ୍ତରରେ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ଦାବି ପୂରଣ ନହେଲେ ୧୬ ଅଗଷ୍ଟରୁ ଶିକ୍ଷକମାନେ ସମୂହ ଛୁଟିରେ ରହିବା ସହିତ ବ୍ଳକସ୍ତରରୁ ଆନ୍ଦୋଳନ ଆରମ୍ଭ କରିବେ ବୋଲି ନିଷ୍ପତ୍ତି ହୋଇଛି । ଫଳରେ ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷାଦାନ ବାଧାପ୍ରାପ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଉକ୍ତ ବୈଠକରେ ବିଭିନ୍ନ ଶିକ୍ଷକ ସଂଗଠନ ତରଫରୁ ଶିକ୍ଷକ ନେତା ଅରବିନ୍ଦ ଦିକ୍ଷୀତ, ସମୀର କୁମାର ଜେନା, ରୂପେଶ କୁମାର ସାହୁ, ପ୍ରଣୟ ମହାପାତ୍ର, ତବରେଜ ଖାନ, ସତ୍ୟବ୍ରତ ରାଉତ, ପ୍ରଦୀପ ଦାସ, ପ୍ରଶାନ୍ତ ବେହେରା, ଆଶିଶ ସାହୁ, ସମସ୍ତ ବ୍ଳକ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.