Home ଜିଲ୍ଲା ପରିକ୍ରମା ୩୮ତମ ଭଦ୍ରକ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ, ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା...

୩୮ତମ ଭଦ୍ରକ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ, ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ହ୍ରାସ, ୧୪ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ

24

ଭଦ୍ରକ, ୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଡ଼କ ସୁରକ୍ଷା ଜୀବନ ରକ୍ଷା ପାଇଁ ଭଦ୍ରକ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ୩୮ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭଦ୍ରକ ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ସି.ଡ଼ି.ଏମ୍‌.ଓ ଡା. ସନ୍ତୋଷ କୁମାର ପାତ୍ର, ଉପଜିଲ୍ଲାପାଳ ମନୋଜ ପାତ୍ର ଯୋଗ ଦେଇଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ଖଗେଶ୍ୱର ମୁର୍ମୁଙ୍କ ଦ୍ୱାରା ଉପସ୍ଥାପିତ ଗତ ବୈଠକର ବିବରଣୀ, ସଡ଼କ ସୁରକ୍ଷା ନେଇ ଗତ ଅକ୍ଟୋବର ୨୨ ସୁଦ୍ଧା ଦୁର୍ଘଟଣା ଓ ତଦ୍‌ଜନିତ ମୃତ୍ୟୁସଂଖ୍ୟା, ପ୍ରତିଷେଧ ପାଇଁ ନିଆଯାଇଥିବା ପଦକ୍ଷେପ, ଧରପଗଡ଼, ନିର୍ଦ୍ଧାରିତ ଅନ୍ୟ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଆଧାରରେ ସମୀକ୍ଷା ଓ ଆଲୋଚନା କରାଯାଇଥିଲା । ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୨୨ ବର୍ଷରେ ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ସମୁଦାୟ ୩୧୬ ଟି ଦୁର୍ଘଟଣା ଘଟିଥିଲା । ୧୨୧ ଜଣ ମୃତ୍ୟୁବରଣ କରିଥିଲେ । ୧୪୫ ଗୁରୁତର ଏବଂ ୫୦ ଜଣ ସାମାନ୍ୟ ଆହତ ହୋଇଥିଲେ । ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୨୫୫ ଟି ଦୁର୍ଘଟଣାରେ ୧୧୬ ଜଣଙ୍କ ମୃତ୍ୟୁ ଓ ୧୫୬ଜଣ ଗୁରୁତର ଓ ୩୬ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଅକ୍ଟୋବର ସୁଦ୍ଧା ଗତ ବର୍ଷର ଦୁର୍ଘଟଣା ଓ ମୃତାହତ ସଂଖ୍ୟା ତୁଳନାରେ ଚଳିତ ବର୍ଷ ସଂଖ୍ୟା ହ୍ରାସ ପାଇଛି । ଗତବର୍ଷ ଅକ୍ଟୋବର ସୁଦ୍ଧା ୨୬୬ଟି ଦୁର୍ଘଟଣା ଘଟି ୧୫୧ ଜଣଙ୍କୁ ମୃତ୍ୟୁ, ୧୨୦ ଜଣ ସାଂଘାତିକ ଓ ୪୫ଜଣ ସାମାନ୍ୟ ଆହତ ହୋଇଥିଲେ ।

ହିଟ୍ ଆଣ୍ଡ ରନ୍ ଦୁର୍ଘଟଣା ଜନିତ ମୃତ୍ୟୁପାଇଁ ମୃତକଙ୍କ ପରିବାରକୁ ୨୦୧୯ ମସିହାରୁ ୨୦୨୨ ପର୍ଯ୍ୟନ୍ତ ୭ ଜଣଙ୍କୁ ୨ଲକ୍ଷ ଲେଖାଏଁ ସମୁଦାୟ ସୋଲାସିଅମ୍ ପାଣ୍ଠିରୁ ୧୪ଲକ୍ଷ ଟଙ୍କା ଟ୍ରାନସପୋର୍ଟ କମିଶନରଙ୍କ ଦ୍ୱାରା ପ୍ରଦାନ କରାଯାଇଛି । ୨୦୧୯ରେ ଭଦ୍ରକ ଟାଉନ୍‌ର ଭାଗବତ ଦାସ, ୨୦୨୧ରେ ଚାନ୍ଦବାଲିର ନିରଞ୍ଜନ ସାହୁ, ଧାମନଗରର ସିପନ୍ ମହାନ୍ତି ୨୦୨୨ରେ ଧାମନଗରର ତାରାମଣି ଜେନା ଓ ପ୍ରମିଳା ପଣ୍ଡା, ତିହିଡ଼ିର ମହେନ୍ଦ୍ର ବାରିକ୍‌, ସାବରଙ୍ଗର ଉର୍ମିଳା ବେହେରାଙ୍କ ମୃତ୍ୟୁ ପାଇଁ ଏହି କ୍ଷତିପୂରଣ ପ୍ରଦାନ କରାଯାଇଛି । ଗୁରୁତର ଆହତଙ୍କୁ ଏହି ପାଣ୍ଠିରୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥାଏ । ସୂଚନା ଯୋଗ୍ୟକି ଯେଉଁ ଦୁର୍ଘଟଣାରେ ଧକ୍କାଦେଇ ଫେରାର ହୋଇଯାଇଥିବା ଗାଡ଼ିର ସନ୍ଧାନ ମିଳି ନଥାଏ, ତଦନ୍ତ ପରେ ସେ କ୍ଷେତ୍ରରେ ଏହି ସହାୟତା ପ୍ରଦାନ କରାଯାଇଥାଏ । ଡିସେମ୍ବର ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ ଉପଲକ୍ଷେ ପ୍ରଶାସନ ତରଫରୁ ନିର୍ଦ୍ଧାରିତ ବିଭିନ୍ନ ବିଭାଗୀୟ ସଚେତନତା ଓ ଧରପଗଡ଼ ଜନିତ କାର୍ଯ୍ୟକ୍ରମ ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମ କେବଳ ଗୋଟିଏ ମାସରେ କରାନଯାଇ ପ୍ରତି ମାସର ପ୍ରଥମ ସପ୍ତାହରେ ବ୍ଲକ ୱାରୀ କରାଯିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଚଳିତ ସପ୍ତାହ ପାଇଁ ଭଦ୍ରକ ସହରରେ ପଦଯାତ୍ରା, ରାନ୍ଦିଆ ସରକାରୀ ପଲିଟେକ୍‌ନିକ୍‌, ଫେକର, ଧାମରା ବନ୍ଦର ଏବଂ ରାସ୍ତା ପାଶ୍ୱର୍ରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ନିର୍ଦ୍ଧାରଣ କରାଯାଇଛି । ଜାତୀୟ ରାଜପଥ ଓ ସର୍ଭିସ୍ ରୋଡ଼ ପାଶ୍ୱର୍ ଡ଼୍ରେନ୍ ସଫାକରାଯିବା, ଆଖଣ୍ଡଳମଣି ଓ ଭଦ୍ରକାଳୀ ପୀଠକୁ ଯିବା ପାଇଁ ଜାତୀୟ ରାଜପଥରେ ସୂଚନା ଫଳକ ଲଗାଯିବା, ଭଦ୍ରକ ସହର ମୁଖ୍ୟ ରାସ୍ତା ଉପରେ ଉଠାଦୋକାନୀ ସମସ୍ୟା ଯୋଗୁଁ ଉପୁଜୁଥିବା ଟ୍ରାଫିକ୍ ସମସ୍ୟା ନେଇ ସମାଧାନ ଦିଗରେ ପଦକ୍ଷେପ ନେବାକୁ କମିଟି ସଦସ୍ୟ ସାମ୍ବାଦିକ ଅତିସ କୁମାର ବେହେରା, ରବିନାରାୟଣ ଖିଲାର ଓ ବସ୍ ମାଲିକ ସଂଘ ସଭାପତି ଶ୍ରୀନିବାସ ପତି ପ୍ରସ୍ତାବ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.