– ଉଦ୍ଧାର ମତ୍ସ୍ୟଜୀବୀଙ୍କୁ ବାଂଲାଦେଶ ପ୍ରତିପକ୍ଷଙ୍କୁ ହସ୍ତାନ୍ତର କରାଗଲା
ନୂଆ ଦିଲ୍ଲୀ ୨୭-୧୦ (ଓଡ଼ିଆ ପୁଅ) ସମୁଦ୍ରରେ ଫସି ରହିଥିବା ୨୦ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି)। ଅକ୍ଟୋବର ୨୫ ତାରିଖରେ ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା (ଆଇଏମବିଏଲ) ନିକଟରୁ ଏହି ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରାଯାଇଛି। ଏକ ସୁଗମ ସମନ୍ବିତ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ସମ୍ପାଦନ କରି ଆଇସିଜି ସେମାନଙ୍କର ଜୀବନ ରକ୍ଷା କରିଛି। ‘‘ସିତ୍ରାଙ୍ଗ’’ ବାତ୍ୟା ପରେ ଭାରତୀୟ ତଟରକ୍ଷୀ ବାହିନୀର ଡୋର୍ଣ୍ଣିୟର ଏୟାରକ୍ରାଫ୍ଟ ସମୁଦ୍ରରେ ବୁଡ଼ିଯାଇଥିବା ମତ୍ସ୍ୟଜୀବୀମାନଙ୍କ ଡଙ୍ଗାକୁ ଦେଖିପାରିଥିଲା। ଏହାପରେ ସନ୍ଧାନ ଓ ଉଦ୍ଧାର (ଏସଏଆର) ଟିମକୁ ଖବର ଦିଆଯାଇଥିଲା। ଏହି ଟିମ୍ତ୍ବରିତ ପଦକ୍ଷେପ ନେଇ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରିଥିଲା ଏବଂ ପରେ ସେମାନଙ୍କୁ ବାଂଲାଦେଶ ତଟରକ୍ଷୀ ବାହିନୀକୁ ହସ୍ତାନ୍ତର କରାଯାଇଥିଲା।
‘‘ସିତ୍ରାଙ୍ଗ’’ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ସ୍ଥିତି ଅନୁଧ୍ୟାନ କରିବା ସହିତ ବାତ୍ୟା ଦ୍ବାରା ପ୍ରଭାବିତ ନାବିକମାନଙ୍କୁ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତୀୟ ତଟରକ୍ଷୀ ବାହିନୀର ଡୋର୍ଣ୍ଣିୟର ବିମାନ ଉଡ଼ାଣ ଆରମ୍ଭ କରିଥିଲା। ନିରୀକ୍ଷଣ ସମୟରେ, ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ଠାରୁ ୯୦ ନଟିକାଲ ମାଇଲ ଦୂରରେ ଏକ ନୌକା ବୁଡ଼ିଯାଇଥିବା ଦେଖାଯାଇଥିଲା। ସେଥିରେ ଥିବା ୨୦ ଜଣ ମତ୍ସ୍ୟଜୀବୀ ଗଭୀର ସମୁଦ୍ରରେ ଫସି ରହିଥିଲେ। ଏହି ମତ୍ସ୍ୟଜୀବୀମାନେ ବୁଡ଼ିଯାଇଥିବା ମାଛଧରା ନୌକାର ଭାସମାନ ସାମଗ୍ରୀ ଓ ଅନ୍ୟାନ୍ୟ ବର୍ଜ୍ୟ ସାମଗ୍ରୀ ଧରି ସମୁଦ୍ରରେ ପହଁରୁଥିଲେ। ସେମାନଙ୍କୁ ଦେଖି ଭାରତୀୟ ତଟରକ୍ଷୀ ବାହିନୀର ଯବାନମାନେ ଡୋର୍ଣ୍ଣିଅର ବିମାନରୁ ଲାଇଫ ରାଫ୍ଟ ବା ଜରୁରିକାଳୀନ ସ୍ଥିତିରେ ସମୁଦ୍ରରେ ଉପଯୋଗ କରାଯାଉଥିବା ଜୀବନ ରକ୍ଷାକାରୀ ଡଙ୍ଗା ପକାଇଥିଲେ ଏବଂ ମତ୍ସ୍ୟଜୀବୀମାନେ ସେହି ଡଙ୍ଗାରେ ନବସିବା ପର୍ଯ୍ୟନ୍ତ ସେଠାରେ ଅପେକ୍ଷା କରି ରହିଥିଲେ।
ଏହି ସମୟରେ ‘‘ନାନତା ଭୁମ’’ ନାମକ ବାଣିଜ୍ୟିକ ଜାହାଜ ସେହି ଅଞ୍ଚଳ ଦେଇ ଯାଉଥିଲା। ଜାହାଜଟି ମାଲେସିଆର କ୍ଲାଙ୍ଗ ବନ୍ଦରରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିଲା। ଭାରତୀୟ ତଟରକ୍ଷୀ ବାହିନୀ ଏହି ଜାହାଜକୁ ଦିଗ ପରିବର୍ତ୍ତନ ଲାଗି ନିର୍ଦ୍ଦେଶ ଦେଇଥିଲା ଏବଂ ଲାଇଫ ରାଫ୍ଟରୁ ୨୦ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ କହିଥିଲା।
ଏଥିସହିତ ଭାରତୀୟ ତଟରକ୍ଷୀ ବାହିନୀର ବିଜୟା, ବରଦ ଏବଂ ସି-୪୨୬ ଜାହାଜର ଦିଗ ପରିବର୍ତ୍ତନ କରାଯାଇ ଉଦ୍ଧାର ଏବଂ ନିରୀକ୍ଷଣ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଶେଷରେ ୨୦ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଭାରତୀୟ ତଟରକ୍ଷୀ ବାହିନୀର ବିଜୟା ଜାହାଜକୁ ନିଆଯାଇଥିଲା। ଭାରତୀୟ ତଟରକ୍ଷୀ ବାହିନୀର ଚିକିତ୍ସା ଅଧିକାରୀ ସବୁ ମତ୍ସ୍ୟଜୀବୀମାନଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରିଥିଲେ। ଏହାପରେ ସେମାନଙ୍କୁ ବାଂଲାଦେଶ ତଟରକ୍ଷୀ ବାହିନୀକୁ ହସ୍ତାନ୍ତର କରାଯାଇଥିଲା। ଭାରତୀୟ ତଟରକ୍ଷୀ ବାହିନୀ ଏବଂ ବାଂଲାଦେଶ ତଟରକ୍ଷୀ ବାହିନୀ ମଧ୍ୟରେ ହୋଇଥିବା ଏକ ରାଜିନାମା ଅନୁଯାୟୀ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା।
ଏଠାରେ ସୂଚନାଯୋଗ୍ୟ ଯେ, ଭାରତୀୟ ତଟରକ୍ଷୀ ବାହିନୀ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସରକାରଙ୍କ ସହିତ ସମନ୍ବୟ ସ୍ଥାପନ କରି ବାତ୍ୟା/ପାଣିପାଗ ସ୍ଥିତିର ମୁକାବିଲା ପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିଲା। ଭାରତୀୟ ପାଣିପାଗ ବିଭାଗ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହେବା ସମ୍ପର୍କରେ ସୂଚନା ଦେବା ସହିତ ସମ୍ଭାବ୍ୟ ‘ସିତ୍ରାଙ୍ଗ’ ବାତ୍ୟାକୁ ନେଇ ସତର୍କ ସୂଚନା ଜାରି କରିଥିଲା। ଏହାପରେ ଭାରତୀୟ ତଟରକ୍ଷୀ ବାହିନୀ ସତର୍କ ଓ ସଜାଗ ହୋଇ ଆଗୁଆ ପଦକ୍ଷେପ ଗ୍ରହଣ କରିଥିଲା। ବାତ୍ୟା ମୁକାବିଲା ସମ୍ପର୍କରେ ମାର୍ଗଦର୍ଶିକାକୁ ବାଂଲାଦେଶ ତଟରକ୍ଷୀ ବାହିନୀକୁ ପ୍ରଦାନ କରାଯାଇଥିଲା। ବାତ୍ୟା ଅତିକ୍ରମ କରିବା ସମୟରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ରାଡାର ଷ୍ଟେସନ ଏବଂ ରିମୋଟ ଅପରେଟିଂ ଷ୍ଟେସନ ମାଧ୍ୟମରେ ସତର୍କ ସୂଚନା ଦିଆଯାଉଥିଲା।