କେନ୍ଦ୍ରାପଡା ୧୮/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଫକିରାବାଦର ଲକି ସ୍ପୋଟିଂ କ୍ଲବ ଆନୁକୁଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରେ ଶନିବାର ପୂର୍ବାହ୍ନରେ ଦୁଇଦିନିଆ ୨ୟ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଂଟରେ କଟକର ଚାନ୍ଦ କ୍ଲବ, ମଙ୍ଗଳା କ୍ଲବ ଓ ଏନ.ଏଫ.ସି.କ୍ଲବ, ସାଲେପୁରର ମା ଜାଗୁଳେଇ କ୍ଲବ, ରାଜକନିକା ଆଥଲେଟିକ ଆସୋସିଏସନ, ଖୋର୍ଦ୍ଦାର ଜୟଦୁର୍ଗା କ୍ଲବ, କେନ୍ଦ୍ରାପଡାର ଲେବର ସ୍ପୋଟିଂ କ୍ଲବ ଏବଂ କଲିକତାର ୟୁନାଇଟେଡ ଫୁଟବଲ କ୍ଲବ ଭଳି ୮ଟି ଫୁଟବଲ ଟିମ ଅଂଶ ଗ୍ରହଣ କରିଛନ୍ତି। ଏହି ଉପଲକ୍ଷେ ଲକି ସ୍ପୋଟିଂ କ୍ଲବର ସଭାପତି ମହମ୍ମଦ ସଲୀମ ଖାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଂଟକୁ ଫିତାକାଟି ଉଦଘାଟନ କରିବା ସହିତ ଏଭଳି ଟୁର୍ଣ୍ଣାମେଂଟର ଆୟୋଜନ ଫଳରେ ଆମ ଅଚଂଳର କ୍ରୀଡା ପ୍ରତିଭା ବିକଶିତ ହେବା ସହ କ୍ରୀଡା କ୍ଷେତ୍ରରେ ସେମାନେ ସୁନାମ ଅର୍ଜ୍ଜନ କରି ଆମ ଅଚଂଳର ସୁନାମ ଆଣିପାରିବେ। କେବଳ ରାଜ୍ୟ ସ୍ତରରେ ନୁହେଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଫୁଟବଳ ଖେଳରେ ସେମାନେ ସୁନାମ ଆଣିବେ ବୋଲି ଆଶା ଓ ବିଶ୍ୱାସ ବୋଲି ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ଶ୍ରୀ ବେହେରା ପ୍ରଥମ ମ୍ୟାଚର ଉଭୟ ପକ୍ଷର ଖେଳାଳିମାନଙ୍କ ସହିତ କରମର୍ଦ୍ଦନ କରି ସେମାନଙ୍କୁ ଶୁଭେଛା ଜଣାଇଥିଲେ। ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚରେ କଟକର ମଙ୍ଗଳା କ୍ଲବ ଖୋର୍ଦ୍ଦାର ଜୟଦୁର୍ଗା କ୍ଲବକୁ ୩-୦ ଟ୍ରାଇବ୍ରେକରେ ହରାଇ ସେମି ଫାଇନାଲ ମ୍ୟାଚକୁ ପ୍ରବେଶ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ରାଜକନିକା ଆଥଲେଟିକ ଆସୋସିଏସନ କଟକ ଏନ.ଏଫ.ସି.କୁ ୪-୩ ଟ୍ରାଇବ୍ରେକରେ ହରାଇଥିଲା। ତୃତୀୟ ମ୍ୟାଚରେ କଟକର ଚାନ୍ଦ କ୍ଲବ କେନ୍ଦ୍ରାପଡାର ଲେବର ସ୍ପୋଟିଂ କ୍ଲବକୁ ୧-୦ ଗୋଲରେ ହରାଇ ଥିବା ବେଳେ ଚତୁର୍ଥ ମ୍ୟାଚରେ କଲିକତାର ୟୁନାଇଟେଡ ଫୁଟବଲ କ୍ଲବ ସାଲେପୁର ମା ଜାଗୁଳେଇ କ୍ଲବକୁ ୨-୦ ଗୋଲରେ ହରାଇ ସେମିଫାଇନାଲ ମ୍ୟାଚକୁ ପ୍ରବେଶ କରିଛି। ଆସନ୍ତା କାଲି ୨ଟି ସେମିଫାଇନାଲ ମ୍ୟାଚ ପରେ ଅପରାହ୍ନ ୩ଟା ସମୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଆଜିର ମ୍ୟାଚକୁ ରେଫରୀ ଭାବରେ ଜ୍ୟୋତିରଞ୍ଜନ ସ୍ୱାଇଁ, ଦୈତାରି କାରୁଆ, ଜନ ନାୟକ ଓ ନକୁଳ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ଅପରାହ୍ନରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀ ବେହେରାଙ୍କ ସମେତ ପୂର୍ବତନ ବରି-ଡେରାବିଶି ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ସଭାପତି ଚିନ୍ମୟ ପ୍ରସାଦ ବେଉରା ଯୋଗଦେଇ କେନ୍ଦ୍ରାପଡାରେ କ୍ରୀଡା ପ୍ରତିଭାର ବିକାଶ ପାଇଁ ଏଭଳି ଆୟୋଜନକୁ ପ୍ରଶଂସା କରି ମହମ୍ମଦ ସଲୀମ ଖାନଙ୍କୁ ଏହି ଟୁର୍ଣ୍ଣାମେଂଟର ଆୟୋଜନ ନିମନ୍ତେ ସାଧୁବାଦ ଜଣାଇଥିଲେ।
ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଲକି ସ୍ପୋଟିଂ କ୍ଲବର ସମ୍ପାଦକ ସେକ ସାହାବୁଲ୍ଲା, ମହମ୍ମଦ ନିୟାଜ, ଜିଲ୍ଲା କ୍ରୀଡା ସମ୍ପାଦକ ସୟଦ ଅକମଲ ଅଲ୍ଲୀ, ମହମ୍ମଦ ଆଝାରୁଦ୍ଦିନ, ମୀର ସଲିମ, ସେକ ମୁସ୍ତାକ, ସେକ ଲିୟାକତ ଅଲ୍ଲୀ, ମୀର ବକାଉଲ୍ଲା, ମୀର ଫାରୁକ, ସେକ ଅକ୍ତର, ଜାହିଦ ଖାଁ, ୱସିଉଲ୍ଲା ଖାଁ, ଅବଦୁଲ ୱାହିଦ, ମୀର ଜରାର, ଅବଦୁଲ ମଲ୍ଲିକ, ଅୟାଜ ମହମ୍ମଦ, କଲିମ ଖାନ, ସେକ ସପାତୁଲ୍ଲା, ଜୁମା ଖାନ, ମୀର ଅବୁସମା, ଅକିଲ ଅହେମ୍ମଦ, ସେକ ରିଆଜତ, ବାସା ଖାନ, ୟାସିର ଆରାଫତ, ସେକ ଅଦିଲ, ଇକବାଲ, ମୀର ଆବୁ ଓବେଦା, ପୂର୍ବତନ କାଉନସିଲର ହିଫଜୁର ରହେମାନ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀତା ପରିଚାଳନାରେ ସହଯୋଗ କରିଥିଲେ।