Home ଓଡ଼ିଶା ୧୪୦ କୋଟି ପ୍ରବେଶ କର ଘୋଟାଲା ପ୍ରସଙ୍ଗ କେଉଁ ଶିଳ୍ପସଂସ୍ଥା ଠାରୁ ପ୍ରବେଶ କର...

୧୪୦ କୋଟି ପ୍ରବେଶ କର ଘୋଟାଲା ପ୍ରସଙ୍ଗ କେଉଁ ଶିଳ୍ପସଂସ୍ଥା ଠାରୁ ପ୍ରବେଶ କର ବାବଦକୁ କେତେ ଟଙ୍କା ଆଦାୟ ହୋଇଛି ତା’ର ହିସାବ ଦିଅ – କଂଗ୍ରେସ

93

ଭୁବନେଶ୍ୱର ୧୪-୮ (ଓଡ଼ିଆ ପୁଅ) – ୨୦୧୬ ନଭେମ୍ବର ୧୧ରେ ପ୍ରବେଶ କର ଆଇନ ବୈଧତାକୁ ସୁପ୍ରିମକୋର୍ଟଙ୍କ ୯ଜଣିଆ ଖଣ୍ଡପୀଠଙ୍କ ସ୍ୱିକୃତି ଦେବା ପରେ କେତେଟି ସଂସ୍ଥା ଠାରୁ କେତେ ପରିମାଣର ପ୍ରବେଶ କର ଆଦାୟ ପାଇଁ ରାଜ୍ୟ ସରକାର ନୋଟିସ କରିଥିଲେ ଏବଂ ପରେ ଏବାବଦରେ କେତେ ପରିମାଣର ରାଜସ୍ୱ ଆଦାୟ ହୋଇଛି, ରାଜ୍ୟବାସୀଙ୍କ ଅବଗତି ନିମନ୍ତେ ସଂପୃକ୍ତ ସଂସ୍ଥାର ନାମ ଓ ଆଦାୟ ରାଶି ପରିମାଣର ଏକ ସବିସ୍ତୃତ ତାଲିକା ତୁରନ୍ତ ପ୍ରକାଶ କରାଯାଉ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ତଥା ଆଇନ୍‌ଜୀବୀ ନିଶିକାନ୍ତ ମିଶ୍ର ଦାବି କରିଛନ୍ତି।

– କେଉଁ ଶିଳ୍ପ ସଂସ୍ଥା ଠାରୁ କେତେ ପରିମାଣର ପ୍ରବେଶ କର ରାଶି ଆଦାୟ କରାଯାଇଛି ତା’ର ତାଲିକା ପ୍ରକାଶ କରନ୍ତୁ ସରକାର।

– ଯେଉଁ ସଂସ୍ଥା କିମ୍ବା ବ୍ୟକ୍ତି ବିଶେଷଙ୍କ ଠାରୁ ଅଦ୍ୟାବଧି ପ୍ରବେଶ କର ଆଦାୟ କରାଯାଇପାରି ନାହିଁ, ସେ ବାବଦରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ରାଜ୍ୟବାସୀଙ୍କୁ ଜଣାନ୍ତୁ।

– ଭୂଷଣ ପାଖରେ ୧୪୦ କୋଟି ବୁଡିଲା ପରେ ଘୋଟାଲାରେ ସଂପୃକ୍ତ ରାଜନେତା ଓ ଅଧିକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ରାଜ୍ୟବାସୀଙ୍କୁ ଜଣାନ୍ତୁ।

ଯେଉଁ ସଂସ୍ଥା ଅଥବା ବ୍ୟକ୍ତିବିଶେଷଙ୍କ ଠାରୁ ଅଦ୍ୟାବଧି ପ୍ରବେଶକର ରାଶି ଆଦାୟ ହୋଇପାରି ନାହିଁ, ସେ ବାବଦରେ ରାଜ୍ୟ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି ଜଣାନ୍ତୁ। ନ୍ୟାସନାଲ କମ୍ପାନୀ ଲ’ ଆପିଲେଟ ଟ୍ରାଇବୁନାଲଙ୍କ ୨୦୨୦ ଫ୍ରେବୃଆରୀ ୧୭ ନିର୍ଦେଶନାମାରେ ଯଦି ଭୂଷଣ ପାୱାର ଓ ଷ୍ଟିଲ କମ୍ପାନୀ ମାମଲାରେ ଓଡ଼ିଶା ସରକାରଙ୍କ ଭୂମିକା ବିଷୟରେ ସ୍ପଷ୍ଟ ଭାବେ ଉଲ୍ଲେଖ ନଥାନ୍ତା ତେବେ ଘଟଣା ଜଣାପଡ଼ିନଥାନ୍ତା। ସୁଧମୂଳ ମିଶି ଏବାବଦରେ ବକେୟା ରାଶି ୨ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ପହଂଚିିଲାଣି। ଓଡ଼ିଶାବାସୀଙ୍କ ଏହି ଅର୍ଥକୁ ଫେରି ପାଇବା ପାଇଁ ରାଜ୍ୟ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି ପ୍ରକାଶ କରନ୍ତୁ। ବିଶେଷ କରି ଘୋଟାଲାରେ ସଂପୃକ୍ତ ରାଜନେତା, ଅଧିକାରୀଙ୍କ ବିରୁଦ୍ଧରେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ବିଷୟରେ ସର୍ବସାଧାରଣରେ ପ୍ରକାଶ କରନ୍ତୁ। ଜିଏସଟି ଲାଗୁ ପରେ ପ୍ରବେଶ କର ବିଷୟରେ ଆଉ ବିଶେଷ ଆଲୋଚନା ହେଉନାହିଁ। ଏହାର ସୁଯୋଗ ନେଇ ଅସାଧୁ ରାଜନେତା, ଅଧିକାରୀ ମିଳିମିଶି ରାଜ୍ୟବାସୀଙ୍କ ୧୪୦ କୋଟି ଟଙ୍କା ଖାଇଗଲେ। ଏହି ଘଟଣାରେ ଓଡ଼ିଶାରେ ବ୍ୟବସାୟିକ ସ୍ୱାର୍ଥ ରହିଥିବା ଏକ ଘରୋଇ ଇସ୍ପାତ କମ୍ପାନୀର ଭୂମିକା ସନ୍ଦେହଜନକ ରହିଛି। ରାଜ୍ୟ ସରକାର ଏହାର ସ୍ପଷ୍ଟୀକରଣ ଦିଅନ୍ତୁ। ଭୂଷଣ ପାୱାର ଓ ଷ୍ଟିଲ କମ୍ପାନୀ ମାମଲାରେ ୪୮ ହଜାର କୋଟିରୁ ଉର୍ଦ୍ଧ୍ୱ ବକେୟା ଟଙ୍କା ଫେରି ପାଇବାକୁ ନ୍ୟାସନାଲ କମ୍ପାନୀ ଲ’ ଟ୍ରାଇବୁନାଲ (ଏନସିଏଲଟି)ରେ ୧୭୭୮ ଜଣ ଅପରେସନାଲ କ୍ରେଡିଟର ଆବେଦନ କରିଥିଲେ। ଏହା ବ୍ୟତୀତ ଫାଇନାନସ୍ କ୍ରେଡ଼ିଟର ଯଥା ବ୍ୟାଙ୍କ ଓ ଅର୍ଥଲଗାଣ ସଂସ୍ଥାଙ୍କ ତାଲିକା ଖୁବ୍ ଲମ୍ବା ଥିଲା। ଗଣମାଧ୍ୟମରେ ବିଜ୍ଞାପନ ଜରିଆରେ ବକେୟା ଦାବିଦାର ପକ୍ଷଭୁକ୍ତ ହେବାକୁ ଆହ୍ୱାନ କରାଯାଇଥିଲା। ଏହା ସତ୍ୱେ୍ୱ ଓଡ଼ିଶା ସରକାର ଜାଣି ପାରିଲେ ନାହିଁ କେମିତି। ଓଡ଼ିଶା ସରକାର ସ୍ପଷ୍ଟ କରନ୍ତୁ ଏହା ଏକ ଅବହେଳା ଥିଲା ନା ଉଦେଶ୍ୟମୂଳକ ଭାବେ ଜାଣିଶୁଣି ବକେୟା ରାଜସ୍ୱ ଟଙ୍କା ଛାଡ଼ି ଦିଆଯାଇଥିଲା।

ପ୍ରକାଶଯୋଗ୍ୟ ଯେ ଗତ ଅଗଷ୍ଟ ୪ତାରିଖରେ ଏକ ସାମ୍ବାଦିକ ସମିଳନୀ ମାଧ୍ୟମରେ ଏକ ଦାୟିତ୍ୱ ସପନ୍ନ ରାଜନୈତିକ ଦଳ ହିସାବରେ ଓଡିଶା ପ୍ରଦେଶ କଂଗ୍ରେସ ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲା। ଇତିମଧ୍ୟରେ ସପ୍ତାହକରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି ତାହା ସର୍ବସାଧାରଣରେ ପ୍ରକାଶ କରନ୍ତୁ ବୋଲି ଶ୍ରୀ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଦାବି କହିଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.