Home Top News ୧୨-୧୪ ବର୍ଷ ବୟସ୍କ ପିଲାଙ୍କ କୋଭିଡ ୧୯ ପ୍ରତିଷେଧକ ଟିକାକରଣର ଶୁଭାରମ୍ଭ

୧୨-୧୪ ବର୍ଷ ବୟସ୍କ ପିଲାଙ୍କ କୋଭିଡ ୧୯ ପ୍ରତିଷେଧକ ଟିକାକରଣର ଶୁଭାରମ୍ଭ

27

ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ଗତକାଲି, ଜାତୀୟ ଟିକାକରଣ ଦିବସ ଠାରୁ ଆରମ୍ଭ ହୋଇଛି ୧୨-୧୪ ବର୍ଷ ବୟସ୍କ ପିଲାଙ୍କ କୋଭିଡ ୧୯ ପ୍ରତିଷେଧକ ଟିକାକରଣ
• ସରକାରୀ କୋଭିଡ ଟିକାକରଣ କେନ୍ଦ୍ର ୧୨-୧୪ ବର୍ଷ ପିଲାମାନଙ୍କୁ ମାଗଣାରେ ଦିଆଯାଉଛି କୋଭିଡ ଟିକା
• କେବଳ ୧୨ ବର୍ଷରୁ ଅଧିକ ପିଲାମାନଙ୍କ ଟିକାକରଣ ସୁନିଶ୍ଚିତ କରିବେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ
• ଯଥେଷ୍ଟ ଟିକା ମହଜୁଦ ରହିଛି; ୬୦ ବର୍ଷରୁ ଅଧିକ ଦୁର୍ବଳ ଜନସଂଖ୍ୟାଙ୍କ ବ୍ୟାପକ ଟିକାକରଣ ପାଇଁ ପରାମର୍ଶ ଦିଆଯାଇଛି
୧୬ ମାର୍ଚ୍ଚ, ୨୦୨୨ ଠାରୁ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କୁ କୋଭିଡ ୧୯ ପ୍ରତିଷେଧକ ଟିକା ମାଗଣାରେ ଦିଆଯାଉଛି। ଏଥିସହିତ ସମସ୍ତ ସରକାରୀ କୋଭିଡ ଟିକାକରଣ କେନ୍ଦ୍ରରେ ଜାତୀୟ ଟିକାକରଣ ଦିବସ ପାଳନ କରାଯାଇଛି। ପିଲାମାନଙ୍କୁ ହାଇଦ୍ରାବାଦସ୍ଥିତ ବାୟୋଲୋଜିକ ଇ ଲିମିଟେଡ ଦ୍ବାରା ବିକଶିତ କୋର୍ବେଭାକ୍ସ ଟିକା ଦିଆଯିବ। ମାର୍ଚ୍ଚ ୧୬ ତାରିଖ ପୂର୍ବାହ୍ନ ୯ଟାରୁ ଅନଲାଇନ ପଞ୍ଜୀକରଣ ମାଧ୍ୟମରେ କିମ୍ବା ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ହିତାଧିକାରୀମାନେ ଟିକା ନେଇପାରିବେ। ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସହିତ ଏକ ଭିଡି କନଫରେନ୍ସ ବୈଠକ ମାଧ୍ୟମରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଏହି ସୂଚନା ଦେଇଥିଲେ।

୧୨-୧୩ ବର୍ଷ ଏବଂ ୧୩ରୁ ୧୪ ବର୍ଷ ବୟସ ବର୍ଗ ଅର୍ଥାତ୍ ଯେଉଁମାନେ ୨୦୦୮, ୨୦୦୯ ଏବଂ ୨୦୧୦ରେ ଜନ୍ମ ନେଇଛନ୍ତି ଏବଂ ୧୨ ବର୍ଷରୁ ଅଧିକ ବୟସ ଟପିସାରିଛନ୍ତି ସେମାନଙ୍କୁ ୧୬ ମାର୍ଚ୍ଚ ୨୦୨୨ ଠାରୁ କୋଭିଡ ୧୯ ଟିକା ଦେବା ଲାଗି କେନ୍ଦ୍ର ସରକାର ଗତକାଲି ନିଷ୍ପତ୍ତି ନେଇଥିଲେ। ଏହା ବ୍ୟତୀତ ସବୁ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ହିତାଧିକାରୀମାନଙ୍କୁ ବୁଷ୍ଟର ଡୋଜ୍ ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ କୋ-ମୋର୍ବୋଡିଜ୍ ବା ପୂର୍ବ ଦୂରାରୋଗ୍ୟ ବ୍ୟାଧି ସର୍ତ୍ତାବଳୀକୁ ଉଚ୍ଛେଦ କରାଯାଇଛି। ବୁଷ୍ଟର ଡୋଜ୍ ଟିକାକରଣ ପାଇଁ ସରକାର କେତେକ ନିୟମ ଧାର୍ଯ୍ୟ କରିଛନ୍ତି। ପୂର୍ବରୁ ହିତାଧିକାରୀ ଯେଉଁ ଟିକାର ଦୁଇଟି ଡୋଜ୍ ନେଇଥିବେ, ଦ୍ବିତୀୟ ଡୋଜ୍ ଟିକା ନେବାର ୯ ମାସ (୩୬ ସପ୍ତାହ) ପରେ ସେହି ଟିକାର ବୁଷ୍ଟର ଡୋଜ୍ ଟିକା ନେବେ। ଏଥିପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ଏବଂ ପରିଚାଳନା ମାର୍ଗଦର୍ଶିକା ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ପଠାଇ ଦିଆଯାଇଛି।

ଟିକାକରଣ ତାରିଖ ଦିନ କେବଳ ଯେଉଁ ହିତାଧିକାରୀମାନେ ୧୨ ବର୍ଷରୁ ଅଧିକ ବୟସ ଅତିକ୍ରମ କରିସାରିଥିବେ ସେହିମାନଙ୍କୁ କୋଭିଡ ଟିକା ଦିଆଯିବ। ଯେଉଁ ହିତାଧିକାରୀମାନେ କୋଓ୍ବିନ୍ ପୋର୍ଟାଲରେ ପଞ୍ଜୀକରଣ କରିଥିବେ କିନ୍ତୁ ୧୨ ବୟସ ଅତିକ୍ରମ କରିନଥିବେ ସେମାନଙ୍କୁ ଟିକା ଦିଆଯିବ ନାହିଁ। ଏ ସମ୍ପର୍କରେ ରାଜ୍ୟମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ୧୨-୧୪ ବର୍ଷ ବୟସର ହିତାଧିକାରୀଙ୍କ କ୍ଷେତ୍ରରେ ଯେପରି ଟିକାର ମିଶ୍ରଣ ହେବ ନାହିଁ ସେଥିପ୍ରତି ଧ୍ୟାନ ରଖିବା ଲାଗି କୁହାଯାଇଛି। ଏଥିପାଇଁ ଟିକାପ୍ରଦାନକାରୀ ଏବଂ ଟିକାକରଣ ଦଳକୁ ପ୍ରଶିକ୍ଷଣ ଦିଆଯିବାର ଆବଶ୍ୟକତା ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟ ଟିକା ସହ ମିଶ୍ରଣକୁ ଏଡ଼ାଇବା ଲାଗି ଟିକାକରଣ କେନ୍ଦ୍ର ଗୁଡ଼ିକରେ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କ ପାଇଁ ପୃଥକ ସମର୍ପିତ ଟିକାକରଣ ଅଧିବେଶନ ଆୟୋଜନ କରିବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି।

ବିଭିନ୍ନ ବୟସ ବର୍ଗଙ୍କ ପାଇଁ ପ୍ରୟୋଗ ହେବାକୁ ଥିବା ଟିକା

ବୟସ ବର୍ଗ ପ୍ରୟୋଗ ହେବାକୁ ଥିବା ଟିକା
୧୨-୧୪ ବର୍ଷ (୨୦୦୮,୨୦୦୯,୨୦୧୦ରେ ଜନ୍ମିତ ସମସ୍ତ ହିତାଧିକାରୀ) କୋର୍ବେଭାକ୍ସ (ସରକାରୀ କୋଭିଡ ଟିକାକରଣ କେନ୍ଦ୍ର ଠାରେ) ୨ ଡୋଜ ୨୮ ଦିନର ବ୍ୟବଧାନରେ
୧୪ରୁ ୧୮ ବର୍ଷ କୋଭାକ୍ସିନ (ସରକାରୀ କୋଭିଡ ଟିକାକରଣ କେନ୍ଦ୍ର ଏବଂ ଘରୋଇ ଟିକାକରଣ କେନ୍ଦ୍ର ଠାରେ)

 

ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ସୂଚିତ କରାଯାଇଛି ଯେ କୋଓ୍ବିନ୍ ପୋର୍ଟାଲରେ ହିତାଧିକାରୀଙ୍କ ଜନ୍ମ ବୟସ ଉଲ୍ଲେଖ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି। ତେଣୁ ପ୍ରାରମ୍ଭିକ କିଛିଦିନ ପର୍ଯ୍ୟନ୍ତ ୧୨ ବର୍ଷରୁ ଅଧିକ ବୟସ ବର୍ଗର ହିତାଧିକାରୀଙ୍କର ପ୍ରକୃତ ଜନ୍ମ ତାରିଖ ଯାଞ୍ଚ କରିବାର ଦାୟିତ୍ବ ସମ୍ପୂର୍ଣ୍ଣ ଭାବେ ଟିକାପ୍ରଦାନକାରୀ ଏବଂ ଯାଞ୍ଚ କର୍ତ୍ତୃପକ୍ଷଙ୍କ ଉପରେ ରହିବ। କୋଓ୍ବିନ ପୋର୍ଟାଲରେ ସଠିକ ଜନ୍ମ ତାରିଖ ରେକର୍ଡ କରିବାର ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି। ଥରେ ଏହା କାର୍ଯ୍ୟକାରୀ ହୋଇଗଲେ, ଯେଉଁମାନେ ସୁପାରିସ କରାଯାଇଥିବା ବୟସରେ ପହଞ୍ଚି ନଥିବେ ସେମାନଙ୍କର ପଞ୍ଜୀକରଣ ସିଷ୍ଟମରେ ଗ୍ରହଣୀୟ ହେବ ନାହିଁ।

ଟିକାକରଣ ଧିମେଇ ଯାଇଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ୬୦ ବର୍ଷରୁ ଅଧିକ ବୟସ୍କ ସବୁ ହିତାଧିକାରୀଙ୍କୁ ତୁରନ୍ତ କୋଭିଡ ୧୯ ଟିକାର ଦୁଇଟି ଡୋଜ୍ ଦେବାକୁ ରାଜ୍ୟମାନେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯୋଗ୍ୟ ହିତାଧିକାରୀମାନଙ୍କୁ ତୁରନ୍ତ ଟିକା ଦେବା ପାଇଁ ଜିଲ୍ଲା ଏବଂ ବ୍ଲକ ସ୍ତରରେ ନିୟମିତ ସମୀକ୍ଷା କରିବା ଲାଗି ପରାମର୍ଶ ଦିଆଯାଇଛି।

ଉପଲବ୍ଧ ଥିବା କୋଭିଡ ୧୯ ଟିକାର ନ୍ୟାୟସଙ୍ଗତ ଉପଯୋଗ ସୁନିଶ୍ଚିତ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି। ଯେଉଁସବୁ ଟିକାର ଏକ୍ସପାଏରୀ ଅବଧି ସରିବାକୁ ଯାଉଛି, ସେଗୁଡ଼ିକୁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ସ୍ଥାନାନ୍ତର କରି ତୁରନ୍ତ ହିତାଧିକାରୀମାନଙ୍କୁ ସେହିସବୁ ଟିକା ଲଗାଇବାକୁ କୁହାଯାଇଛି। ଯାହାଫଳରେ ଟିକା ନଷ୍ଟ ହେବ ନାହିଁ।

ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ସ୍ବାସ୍ଥ୍ୟ ସଚିବ, ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଏହି ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ (ସ୍ବାସ୍ଥ୍ୟ) ଡକ୍ଟର ମନମୋହନ ଅଗ୍ନାନୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.