ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭଦ୍ରକ ସିଡିପିଓ ଏବଂ ତାଙ୍କ ସହଯୋଗୀ ସୁପରଭାଇଜର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗିରିଫ ସିଡିପିଓ ହେଲେ ସୁନନ୍ଦା ଦାସ ଓ ସୁପରଭାଇଜର ସୁଲୋଚନା ବେହେରା । ଏହି ଦୁଇଜଣ ଆଜି ଭଦ୍ରକ ଡିଏସ୍ଡବ୍ଲ୍ୟୁଓ କାର୍ଯ୍ୟାଳୟ ଠାରେ ଏହି ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ବ୍ଲକ୍ ଅଧୀନସ୍ଥ ବଣିଆ ପଂଚାୟତର ସରଗଡିଆ ମିନି ଅଙ୍ଗନୱାଡି କେନ୍ଦ୍ରର ଇତିଶ୍ରୀ ସେଠୀଙ୍କୁ ନିଯୁକ୍ତି ଦେବାକୁ ତାଙ୍କ ଦାଦାଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଭଦ୍ରକ ସିଡିପିଓ ଶ୍ରୀମତୀ ଦାସ । ସେ ନିଯୁକ୍ତି ପାଇଲା ପରେ ଟଙ୍କା ଦେବେ ବୋଲି କହିଥିଲେ । ତେବେ ଇତିଶ୍ରୀ ନିଯୁକ୍ତି ପାଇ ଯୋଗଦାନ କଲାପରେ ଭଦ୍ରକ ସିଡିପିଓ ଶ୍ରୀମତୀ ଦାସ ଇତିଶ୍ରୀଙ୍କ ଦାଦା ପ୍ରଶାନ୍ତ ସେଠୀଙ୍କୁ ଟଙ୍କା ମାଗିଥିଲେ । ଫଳରେ ପ୍ରଶାନ୍ତ ଏହି ବିଷୟରେ ଭିଜିଲାନ୍ସ ବିଭାଗ ଏସ୍ପିଙ୍କୁ ଜଣାଇବା ପରେ ବାଲେଶ୍ୱରର ଆଡିସ୍ନାଲ ଏସ୍ପି ହରେକୃଷ୍ଣ ମାଝୀଙ୍କ ନେତୃତ୍ୱରେ ଭଦ୍ରକ ଭିଜିଲାନ୍ସ ଡିଏସ୍ପି ଡି.କେ. ସାମନ୍ତ, ଭଦ୍ରକ ଟାଉନ୍ ଥାନାଧିକାରୀ ଉମାଶଙ୍କର ନାୟକ ପ୍ରମୁଖ ଚଢାଉରେ ସାମିଲ ଥିଲେ । ତେବେ ଆଜି ସିଡିପିଓ ଓ ତାଙ୍କ ସହଯୋଗୀ ସୁପରଭାଇଜର ଭଦ୍ରକ ଡିଏସ୍ଡବ୍ଲ୍ୟୁଓ ଅଫିସ୍ ପାଖରେ ଥିବାରୁ ସେଠାକୁ ଟଙ୍କା ନେଇଆସିବାକୁ ପ୍ରଶାନ୍ତକୁ କହିଥିଲେ । ପ୍ରଥମ ପର୍ଯ୍ୟାୟରେ ପ୍ରଶାନ୍ତଙ୍କ ଠାରୁ ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ପୂର୍ବରୁ ପ୍ରସ୍ତୁତ ରହିଥିବା ଭିଜିଲାନ୍ସ ଟିମ୍ ୨ ଜଣଙ୍କୁ କାବୁ କରିନେଇଥିଲେ । ତେବେ ୨ ଜଣ ଗିରଫ ପରେ ସିଡିପିଓ ରହୁଥିବା ସାମରାଇପୁର ମହାବୀର କଲୋନୀ ଭଡାଘରେ ମଧ୍ୟ ଚଢାଉ କରାଯାଇଥିଲା ।