ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସାଧାରଣ ପରିଷଦର ବୈଠକ ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ୱାସ୍ଥ୍ୟ ସମିତିର ଅଧ୍ୟକ୍ଷ ତଥା ଭଦ୍ରକ ଜିଲ୍ଲା ପରିଷଦର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତୀମୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ମୁଖ୍ୟ ଡାକକ୍ତରଖାନାର ଡ଼ି.ପି.ଏମ୍. ସରିତା ମହାପାତ୍ରଙ୍କ ଦ୍ୱାରା ଆଲୋଚନା ପାଇଁ ଦୃଶ୍ୟ ଫଳକ ଜରିଆରେ ଉପସ୍ଥାପନ ଆଧାରରେ ସମୀକ୍ଷା କରାଯାଇଥିଲା । ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ଅଧିନରେ ନିର୍ମାଣାଧୀନ ବିଭିନ୍ନ ସବ୍ସେଣ୍ଟର, ପି.ଏଚ୍.ସି., ସି.ଏଚ୍.ସି. ଆଦିର ନିର୍ମାଣ କାର୍ଯ୍ୟର ଅଗ୍ରଗତି, ସମସ୍ୟା, ନୂତନପ୍ରସ୍ତାବ ଅର୍ଥଯୋଗାଣ ଆଦି ସମ୍ବନ୍ଧରେ ଟିକିନିଖି ଆଲୋଚନା କରାଯାଇ ବୈଠକରେ ଉପସ୍ଥିତ ବ୍ଲକ୍, ଆର.ଡ଼ି.ର ସଂପୃକ୍ତ ଯନ୍ତ୍ରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ଡାକ୍ତରଖାନା କୋଠା ନିର୍ମାଣ ପାଇଁ ଜମି ସମସ୍ୟା ଥିଲେ ବି.ଡ଼ି.ଓ. ଓ ତହସିଲଦାରଙ୍କ ଦୃଷ୍ଟିକୁ ଆଣିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଏନ୍.ଏଚ୍.ଏମ୍ର ଯନ୍ତ୍ରୀମାନଙ୍କୁ ମଧ୍ୟ ଏହି କାମ ପ୍ରଦାନ କରାଯିବା ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରସ୍ତାବ ଦେଇଥିଲେ ।
ପ୍ରଦତ୍ତ ସୂଚନା ଅନୁଯାୟୀ ଅଧିକାଂଶ କାମ ପ୍ଲିନ୍ଥ୍, ମୂଳଦୁଆ, ଲିଣ୍ଟାଲ ସ୍ତରରେ ଅଛି । ଏସବୁକୁ ଆସନ୍ତା ଡ଼ିସେମ୍ବର ସୁଦ୍ଧା ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରି ଆରମ୍ଭ ହୋଇନଥିବା ଏବଂ ଟେଣ୍ଡର ହୋଇଥିବା କାମ ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ ମଧ୍ୟ କହିଥିଲେ । ପ୍ରତି ଡାକ୍ତରଖାନାକୁ ବେଷ୍ଟ କରିବା ପାଇଁ ଆବଶ୍ୟକ ଅନୁଯାୟୀ ଆମ ହସପିଟାଲ୍ ଯୋଜନାରେ କାର୍ଯ୍ୟ ହେଉଛି କି ନାହିଁ ମେଡ଼ିକାଲ ଅଫିସର ମାନେ ତଦାରଖ କରିବାକୁ କୁହାଯାଇଥିଲା । ସ୍ୱାସ୍ଥ୍ୟସେବା ପ୍ରଦାନ ନେଇ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା । ଚିକିତ୍ସା ଜନିତ ବିଭିନ୍ନ ପରୀକ୍ଷା ପାଇଁ ସମସ୍ତ ସି.ଏଚ୍.ସି.ରେ ଯେପରି ଆବଶ୍ୟକ ସମସ୍ତ କେମିକାଲ ମହଜୁଦ ରହିବା ସହ ମେସିନ୍ ସବୁ ଠିକ୍ ରହେ ସେଥିପ୍ରତି ଦୃଷ୍ଟି ରଖିବାକୁ ସି.ଡ଼ି.ଏମ୍.ଓଙ୍କୁ ପରାମର୍ଶ ପ୍ରଦାନ କରାଯାଇଥିଲା । କାୟାକଳ୍ପ ପୁରସ୍କାର ଭଳି ଏନ୍କ୍ୱାସରେ ଯୋଗ୍ୟତା ହାସଲ ପାଇଁ ଏବଂ ଆଗଧାଡ଼ିରେ ତାଲିକା ଭୁକ୍ତ ହେବାପାଇଁ ଜିଲ୍ଲାପାଳ ସଂପୃକ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ପ୍ରୟାସ ଜାରି ରଖିବାକୁ ଉତ୍ସାହିତ କରିଥିଲେ । ପ୍ରସୂତୀ କକ୍ଷର ଗୁଣବତ୍ତା ବୃଦ୍ଧି ନେଇ ‘ଲକ୍ଷ୍ୟ’ ଯୋଜନା ଓ ଶିଶୁ ବିଭାଗର ମାନବୃଦ୍ଧି ପାଇଁ ଉଦ୍ଦିଷ୍ଟ ‘ମୁସ୍କାନ’ ଯୋଜନାରେ ତାଲିକା ଭୁକ୍ତ ପାଇଁ ମଧ୍ୟ ପ୍ରଯତ୍ନ ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ରାଷ୍ଟ୍ରୀୟ କୈଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ଟୀକାକରଣ କାର୍ଯ୍ୟକ୍ରମର ପ୍ରଗତି ଓ ସମସ୍ୟା ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା ।