Home ଜିଲ୍ଲା ପରିକ୍ରମା ହେଲମେଟ ଯାଞ୍ଚ, ଭଦ୍ରକରେ ସର୍ବାଧିକ ଅମାନିଆ

ହେଲମେଟ ଯାଞ୍ଚ, ଭଦ୍ରକରେ ସର୍ବାଧିକ ଅମାନିଆ

24

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହେଲମେଟ ନପିନ୍ଧିବାରେ ସବୁଠୁ ଆଗରେ ଅଛି ଭଦ୍ରକ ଜିଲା । ରାଜ୍ୟ ପରିବହନ ବିଭାଗର ତଥ୍ୟ ହିଁ ଏହା କହୁଛି । ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବା ଲାଗି ବିଭାଗ ପକ୍ଷରୁ ପ୍ରତିବର୍ଷ ଏକ ଧାର୍ଯ୍ୟ ଲକ୍ଷ୍ୟ ଜିଲା ୱାରି ବଂଟନ ହୋଇଥାଏ । କେଉଁ ଜିଲାରେ କେତେ ଉଲ୍ଲଂଘନକାରୀ ଧରା ପଡିଲେ ତାର ତାଲିକାକୁ ସମୀକ୍ଷା କରିଥାଏ ବିଭାଗ । ତଦନୁଯାୟୀ; ହେଲମେଟ ନପିନ୍ଧିବାରେ ଭଦ୍ରକ ଜିଲା ସବୁଠୁ ଆଗରେ ରହିଥିବା ବେଳେ ତା’ପଛକୁ ଗଂଜାମ ଓ ସୁନ୍ଦରଗଡ ରହିଛି । ଭଦ୍ରକରେ ପରିବହନ ବିଭାଗକୁ ହେଲମେଟ ଚେକିଂ ବେଳେ ସର୍ବାଧିକ ୧୦୩ ପ୍ରତିଶତ ସଫଳତା ମିଳିଛି । ତେବେ ମଦ୍ୟପାନ କରି ଗାଡି ଚଳାଇବା କ୍ଷେତ୍ରରେ ଭଦ୍ରକର ସ୍ଥିତି ଭଲ ଅଛି । ଏ କ୍ଷେତ୍ରରେ ବିଭାଗକୁ ଶୂନ ପ୍ରତିଶତ ସଫଳତା ମିଳିଛି । ଅର୍ଥାତ ଚେକିଙ୍ଗ୍ ବେଳେ ମଦ୍ୟପ ପ୍ରାୟତଃ ଧରା ପଡିନାହାଂତି । ତେବେ ଦ୍ରୁତ ଗତିରେ ଗାଡି ଚଳାଉଥିବା ଚାଳକଙ୍କୁ ଧରିବାରେ ୫.୫୬ ପ୍ରତିଶତ ସଫଳତା ମିଳିଥିବା ବେଳେ ଗାଡି ଚଳାଇବା ବେଳେ ମୋବାଇଲ ଫୋନ ବ୍ୟବହାରୀଙ୍କୁ ଧରିବାରେ ମାତ୍ର ୧ ପ୍ରତିଶତ ସଫଳତା ମିଳିଛି । ତେବେ ଏହି ସମୀକ୍ଷା ଗତ ୨୦୨୦ ଜାନୁଆରିରୁ ୨୦୨୦ ଅଗଷ୍ଟ ମଧ୍ୟରେ ବିଭାଗୀୟ ତଥ୍ୟ ଆଧାରରେ ହୋଇଛି । ଏବେ ୨୦୨୧ରେ ଚାଲୁ ରହିଛି ସଡକ ସୁରକ୍ଷା ମାସ । ଗତ ଜାନୁଆରୀ ପହିଲାରୁ ଭଦ୍ରକ ଜିଲାରେ ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ଯେଉଁ ଯାଂଚ ଚାଲିଛି ସେଥିରେ ଅମାନିଆଙ୍କ ସଂଖ୍ୟା ବି ବହୁତ । ଜିଲା ପୁଲିସର ତଥ୍ୟ ଅନୁସାରେ ଗତ ଜାନୁଆରୀ ପହିଲାରୁ ୧୮ ତାରିଖ ମଧ୍ୟରେ ମୋଟ ୨୭୮୮ ଜଣ ଟ୍ରାଫିକ ନିୟମ ଭାଙ୍ଗି ପୁଲିସ ହାବୁଡରେ ପଡିଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ୨୭୭୪ ଜଣ ହେଲମେଟ ପିନ୍ଧିନଥିବା କାରଣରୁ ତଣ୍ଡ ଗଣିଛନ୍ତି । ଗତ ୧୮ ଦିନ ମଧ୍ୟରେ କେବଳ ପୁଲିସବାବୁମାନେ ୨୮ଲକ୍ଷ ୮୭ ହଜାର ଟଙ୍କା ଜରିମାନା ଆକାରରେ ରାଜକୋଷକୁ ଆଦାୟ କରି ଦେଲେଣି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.