ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ହିନ୍ଦୁ ଜାଗରଣ ମଂଚ ଭଦ୍ରକ ତରଫରୁ ଅଖଣ୍ଡ ଭାରତ ସଂକଳ୍ପ ଦିବସରେ ଆଜି ସନ୍ଧ୍ୟାରେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀପ ପ୍ରଜ୍ଜ୍ୱଳନ କରି ଅଖଣ୍ଡ ଭାରତର ପୁନଃ ସ୍ଥାପନା ପାଇଁ ସଂକଳ୍ପ ନିଆଯାଇଛି । ଏଥିରେ ଭଦ୍ରକ ଜିଲାର ବହୁସଂଖ୍ୟାରେ ବୁଦ୍ଧିଜୀବୀ, ଯୁବ ସମାଜ ଓ ମା’ ମାନେ ଅଂଶଗ୍ରହଣ କରି ସଂକଳ୍ପ ନେଇଥିଲେ । ଭଦ୍ରକ ହିନ୍ଦୁ ଜାଗରଣ ମଂଚର ପ୍ରାଣ ପ୍ରତିଷ୍ଠାତା ପ୍ରେମାନନ୍ଦ ବେହେରାଙ୍କ ନେତୃତ୍ୱରେ ଓ ମଂଚର ସମସ୍ତ ସଦସ୍ୟଙ୍କ ସହଯୋଗରେ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ସଂଚାଳନା କରାଯାଇଥିଲା । ଏବଂ ଏଥିସହିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଆଇ ଲଭ୍ ୟୁ ପଏଣ୍ଟ ନିକଟରେ ଏକ ବୌଦ୍ଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ସେହିପରି ବିଶ୍ୱ ହିନ୍ଦୁ ପରିଷଦ ଭଦ୍ରକ ତରଫରୁ ଆଜି ଅଖଣ୍ଡ ଭାରତ ସଂକଳ୍ପ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତାମାନଙ୍କର ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଭାରତର ଅଖଣ୍ଡତା, ସୁରକ୍ଷା , ପରମ୍ପରା, ସଂସ୍କୃତି ଓ ଐତିହ୍ୟକୁ ବଜାୟ ରଖିବା ପାଇଁ ବିଶ୍ୱହିନ୍ଦୁ ପରିଷଦ କର୍ମକର୍ତ୍ତାମାନେ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ ।