– ଆତଙ୍କବାଦର ଜନକ ଓ ମହିଳା, ଯୁବକ ବିରୋଧୀ ଥିଲା ଧାରା ୩୭୦
– ୩୭୦ ଧାରା ଉଚ୍ଛେଦ ହେବା ପରେ ଜାମ୍ମୁ କାଶ୍ମୀରରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ
ହାଇଦ୍ରାବାଦ/ଭୁବନେଶ୍ୱର, ସେପ୍ଟେମ୍ବର ୨୧ (ଓଡ଼ିଆ ପୁଅ) – ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଏକ ଐତିହାସିକ ଭୁଲକୁ ସଠିକ୍ କରିବାକୁ ବଡ ପଦକ୍ଷେପ ବୋଲି ଶନିବାର ହାଇଦ୍ରାବାଦରେ ବିଜେପି ପକ୍ଷରୁ ଆୟୋଜିତ ଜନଜାଗରଣ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନ। ନରେନ୍ଦ୍ର ମୋଦିଙ୍କ ସରକାର ଆଗାମୀ ଦିନରେ ଜାମ୍ମୁ-କାଶ୍ମୀରକୁ ଭାରତର ଏକ ଅଗ୍ରଣୀ ଅଂଚଳ ବନାଇବା ପାଇଁ ବଦ୍ଧ ପରିକର ବୋଲି ସେ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଚ୍ଛେଦ ୩୭୦ ଦେଶ ବିରୋଧୀ ଥିଲା। ଧାରା ୩୭୦ ଆତଙ୍କବାଦର ଜନକ ଥିଲା ଓ ଜାମ୍ମୁ କାଶ୍ମୀରରେ ରହୁଥିବା ମହିଳା, ଯୁବବର୍ଗଙ୍କ ବିରୋଧୀ ଥିଲା। ପାକିସ୍ତାନର ସମୃଦ୍ଧି ପାଇଁ ଧାରା ୩୭୦କୁ ବ୍ୟବହାର କରାଯାଉଥିଲା। ଜାମ୍ମୁ କାଶ୍ମୀରରେ ୩୭୦ ଧାରା ଲାଗୁ କାରଣରୁ ଯୁବକଙ୍କୁ ରୋଜଗାର ମିଳୁନଥିଲା। ବାହାର ରାଜ୍ୟର ଲୋକମାନେ ସେଠାରେ ଜାଗା କିଣିପାରୁନଥିଲେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ସେଠାରେ ହୋଇପାରୁନଥିଲା। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଧାରା ୩୭୦ ଅସ୍ଥାୟୀ ଥିଲା। ଭାରତୀୟ ଜନସଂଘର ପ୍ରତିଷ୍ଠାତା ଓ ଅନେକ ମହାପୁରୁଷମାନେ ଏହି ଧାରାକୁ ହଟାଇବା ପାଇଁ ବଳିଦାନ ଦେଇଛନ୍ତି। ଦୀର୍ଘ ୭୦ ବର୍ଷ ଶାସନରେ ରହିବା ପରେ ମଧ୍ୟ କଂଗ୍ରେସ ଜାମ୍ମୁ କାଶ୍ମୀରରୁ ଏହି ଧାରାକୁ ଉଚ୍ଛେଦ କରିପାରି ନଥିଲା। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୃଢ ରାଜନୈତିକ ଇଚ୍ଛାଶକ୍ତି କାରଣରୁ ୩୭୦ ଧାରା ଉଚ୍ଛେଦ ହୋଇପାରିଛି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାମ୍ମୁ-କାଶ୍ମିରରେ ୩୭୦ ଧାରା ଉଚ୍ଛେଦ ହେବା ପରେ ବର୍ତମାନେ ସେଠାରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ଆବାଳବୃଦ୍ଧବନିତା ସେଠାରେ ନିର୍ଭୟରେ ବୁଲାବୁଲି କରିପାରୁଛନ୍ତି। ଯୁବକମାନେ ରୋଜଗାରର ସୁଯୋଗ ପାଇପାରୁଛନ୍ତି। ଲଦାଖ୍ ଓ କାରଗିଲର ଲୋକଙ୍କ ଯନ୍ତ୍ରଣାକୁ ହୃଦୟଙ୍ଗମ କରି ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଭିନ୍ନ କେନ୍ଦ୍ର ଶାସିତ ଅଂଚଳ କରିଛନ୍ତି। ଏତଦବ୍ୟତିତ ହାଇଦ୍ରାବାଦ ଭାରତର ବିକାଶର କେନ୍ଦ୍ର ବିନ୍ଦୁ। ଆଗାମୀ ଦିନରେ ହାଇଦ୍ରାବାଦ ବିକାଶର ପ୍ରୟୋଗଶାଳା ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ।








