Home ଜିଲ୍ଲା ପରିକ୍ରମା ସଡ଼କ ସୁରକ୍ଷା ନିୟମ ଅନୁପାଳନ କଲେ ସଡ଼କ ଦୁର୍ଘଟଣା ଏଡ଼ାଇପାରିବା, ଜିଲ୍ଳାସ୍ତରୀୟ ଜାତୀୟ ସଡକ ସୁରକ୍ଷା...

ସଡ଼କ ସୁରକ୍ଷା ନିୟମ ଅନୁପାଳନ କଲେ ସଡ଼କ ଦୁର୍ଘଟଣା ଏଡ଼ାଇପାରିବା, ଜିଲ୍ଳାସ୍ତରୀୟ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଉଦ୍‌ଯାପିତ, ସପ୍ତାହ ମଧ୍ୟରେ ପୋଲିସ୍ ଦ୍ୱାରା ୯ ଲକ୍ଷ ୪୭ ହଜାର ଜରିମାନା ଆଦାୟ

42

ଭଦ୍ରକ, ୭ା୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପ୍ରଶାସନ ଆନୁକୂଲ୍ୟରେ ଜାନୁୟାରୀ ୧ ତାରିଖରୁ ଆରମ୍ଭ କରାଯାଇଥିବା ଜିଲ୍ଲାସ୍ତରୀୟ ଜାତୀୟ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳନ ଉଦ୍‌ଯାପିତ ହୋଇଯାଇଛି । ସଂସଦୀୟ ସଡ଼କ ସୁରକ୍ଷା କମିଟିର ଅଧ୍ୟକ୍ଷ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ୍‌, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏ.ଏସ୍‌.ପି. ବାମଦେବ ସିଂ ପ୍ରମୁଖ ଯୋଗ ଦେଇଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ଖଗେଶ୍ୱର ମୁର୍ମୁ କାର୍ଯ୍ୟକ୍ରମର ସଂଯୋଜନା କରିବା ସହିତ ସପ୍ତାହ ପାଳନ ଅବସରରେ ପ୍ରଥମ ଦିନରୁ ଶେଷ ଦିନ ପର୍ଯ୍ୟନ୍ତ ଆୟୋଜିତ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଓ ପଦକ୍ଷେପ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ପ୍ରଦତ୍ତ ସୂଚନା ଅନୁଯାୟୀ ୨୦୨୨ ରେ ସମୁଦାୟ ୩୩୨ ଟି ଦୁର୍ଘଟଣା ଘଟିଥିଲା ବେଳେ ୧୭୧ ଜଣଙ୍କ ମୃତ୍ୟୁ ଓ ୧୯୫ ଜଣ ଆହତ ହୋଇଥିଲେ । ୨୦୨୩ ରେ ସମୁଦାୟ ୨୯୨ ଟି ଦୁର୍ଘଟଣାରେ ୧୩୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨୯ ଜଣଙ୍କ ଆହତ ହୋଇଥିଲେ । ବେପରୁଆ ଗାଡ଼ିଚାଳନା ହିଁ ସଡ଼କ ଦୁର୍ଘଟଣାର ମୁଖ୍ୟ କାରଣ । ନିଶାଗ୍ରସ୍ତ ହୋଇ ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର, ଅଧିକ ଜୋରରେ ଗାଡ଼ି ଚାଳନା, ହେଲେମେଟ୍ ସିଟ୍ ବେଲଟ୍ ନ ପିନ୍ଧିବା ଆଦି ଯୋଗୁଁ ଦୁର୍ଘଟଣାର ସମ୍ମୁଖୀନ ହୋଇ ଜୀବନ ଦେବା, ପଙ୍ଗୁ ହେବା ଆଦି କାରଣରୁ ନିଜର ତଥା ପରିବାରର କିପରି ଅପୂରଣୀୟ କ୍ଷତି ଘଟୁଛି ଅତିଥିମାନେ ଉଦାହରଣ ଜରିଆରେ ବକ୍ତବ୍ୟ ରଖିଥିଲେ ।

ଏଦିଗରେ ସଚେତନତା ଓ ରାସ୍ତାରେ ନିର୍ମାଣ ଜନିତ ତ୍ରୁଟି ସୁଧାର ପାଇଁ ପଦକ୍ଷେପ ନିଆଯିବା ସମ୍ବନ୍ଧରେ ଜିଲ୍ଲାପାଳ ଆଲୋକପାତ କରିଥିଲେ । ଏ.ଏସ୍‌.ପି. ଶ୍ରୀଯୁକ୍ତ ସିଂଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ଅନୁଯାୟୀ ସଡ଼ଖ ସୁରକ୍ଷା ଆଇନ୍ ଅବମାନନାରେ ୨୦୨୨ ମସିହାରେ ପୋଲିସ୍ ବିଭାଗ ଦ୍ୱାରା ୧ କୋଟି ୨୬ ଲକ୍ଷ ୭୩ ହଜାର ୬୦୦ ଟଙ୍କା, ୨୦୨୩ ମସିହା ୩ କୋଟି ୨୦ଲକ୍ଷ ୨୯ ହଜାର ୭୦୦ ଟଙ୍କା ଏବଂ ଏହି ସଡ଼କ ସୁରକ୍ଷା ସପ୍ତାହ ପାଳନ ମଧ୍ୟରେ ୯ ଲକ୍ଷ ୪୭ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସପ୍ତାହ ପାଳନ ଆରମ୍ଭରେ ପଦଯାତ୍ରା, ସଚେତନତା ରଥ ଓ.ଏଲ୍‌.ଇ.ଡ଼ି. ଭ୍ୟାନ ପରିକ୍ରମା ସହ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ, ବନ୍ତଛକ ବସ୍‌ଷ୍ଟାଣ୍ଡରେ ଚକ୍ଷୁ ପରୀକ୍ଷା, ସଚେତନତା ଉଦ୍ଦେଶ୍ୟରେ ସ୍କୁଲ ପିଲାଙ୍କ ମଧ୍ୟରେ ପେଣ୍ଟିଂ, ସ୍ଲୋଗାନ, ବକୃତା ଆଦ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଉଦ୍‌ଯାପନୀ ଉତ୍ସବରେ ସମସ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଏନ୍‌.ଆର୍‌.ଆଇ ଓ ସେଣ୍ଟ ଜାଭିୟର ସ୍କୁଲ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିକ୍ଷୟିତ୍ରୀ କାଦମ୍ବରୀ କରଶର୍ମା ମଞ୍ଚ ପରିଚାଳନା କରିଥିଲେ । ଏ.ଆର୍‌.ଟି.ଓ. ଶ୍ରୀକାନ୍ତ ଦାସ ଏବଂ ବାମଦେବ ସାହୁ, ଜୁନିୟର ଏମ୍‌.ଭି.ଆଇ. ସେକ୍ ଅବଦୁଲ ରହିମ୍‌, ଟ୍ରାଫିକ୍ ଏସ୍‌.ଆଇ. ଶର୍ମିଷ୍ଠା ମିଶ୍ର ପ୍ରମୁଖ ବିଭାଗୀୟ ଅଧିକାରୀ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.