Home ଜିଲ୍ଲା ପରିକ୍ରମା ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ପରସିଙ୍ଗା ପଂଚାୟତ ପରିଡା ସାହିକୁ ନାହିଁ ରାସ୍ତା, କାନ୍ଧରେ...

ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ପରସିଙ୍ଗା ପଂଚାୟତ ପରିଡା ସାହିକୁ ନାହିଁ ରାସ୍ତା, କାନ୍ଧରେ ବୁହାହେଲେ ରୋଗୀ

70

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱାଧୀନତାର ୭୪ ବର୍ଷ ବିତିଯାଇଥିଲେ ମଧ୍ୟ ଗାଁକୁ ଖଣ୍ଡିଏ ଭଲ ରାସ୍ତା ନଥିବାରୁ ରୋଗୀକୁ ଖଟିଆରେ ବୁହା ହେଉଛି । ଏହା କଣ ବିକାଶର ଚିତ୍ର ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି । ଭଦ୍ରକ ସଦର ମହକୁମା ଠାରୁ ଅଳ୍ପ କେଇ କିଲୋମିଟର ଦୂରରେ ରହିଛି ପରସିଙ୍ଗା ପଂଚାୟତ । ଉକ୍ତ ପଂଚାୟତ ୬ ନଂ ୱାର୍ଡ ପରିଡା ସାହିକୁ ଏଯାବତ୍ ଖଣ୍ଡେ ଭଲ ରାସ୍ତା ନାହିଁ । ପକ୍କା ରାସ୍ତା ନଥିବାରୁ ସାମାନ୍ୟ ବର୍ଷାରେ ଶତାଧିକ ଅଧିବାସୀଙ୍କ ଉକ୍ତ ଗ୍ରାମକୁ ଯାଇଥିବା କଚ୍ଚା ରାସ୍ତା କର୍ଦ୍ଦମାସ୍ତ ହୋଇପଡୁଛି । ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମବାହିନୀ ପରି ଜରୁରୀ କାଳୀନ ସେବାରୁ ଉକ୍ତ ୱାର୍ଡବାସୀ ବଂଚିତ ହେଉଥିବା ଅଭିଯୋଗ ହୋଇଛି । ଉକ୍ତ ପରିଡାସାହିକୁ ଆମ୍ବୁଲାନ୍ସ ଆସିନପାରିବାରୁ ଓ ଚଳିତ ଜୱାଦ୍ ଜନିତ ବର୍ଷା ପାଇଁ ରାସ୍ତା କର୍ଦ୍ଦମାକ୍ତ ହୋଇଯାଇଥିବାରୁ, ଚିତ୍ରା ସାହୁ ନାମ୍ନୀ ଜଣେ ପକ୍ଷାଘାତ (ପାରାଲିସିସ୍‌) ରୋଗରେ ଆକ୍ରାନ୍ତ ବୃଦ୍ଧାଙ୍କୁ ଚିକିତ୍ସା ପରେ ତାଙ୍କ ସଂପର୍କୀୟ କାନ୍ଧରେ ବୋହି ଘରକୁ ଆଣିବାର ଦୃଶ୍ୟ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଉକ୍ତ ରାସ୍ତାର ମରାମତି ତଥା ମଗନାଗମନ ଉପଯୋଗୀ ପାଇଁ ସଂପୃକ୍ତ ୱାର୍ଡବାସୀ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କ ଠାରେ ବାରମ୍ବାର ୱାର୍ଡବାସୀ ନିବେଦନ କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଗ୍ରାମାଞ୍ଚଳର ଉନ୍ନତି ପାଇଁ ସରକାର ପାଣି ପରି ଅର୍ଥ ଖର୍ଚ୍ଚ କରି ଚାଲିଥିବାବେଳେ, ରାସ୍ତା ପରି ଏକ ସର୍ବନିମ୍ନ ମୌଳିକ ସେବାରୁ ବଂଚିତ ହେବା ନିଶ୍ଚିତ ଦୁଃଖଦାୟକ ଓ ଏହା ସ୍ଥାନୀୟ ନେତାମାନଙ୍କ ପାଇଁ ଆତ୍ମସମୀକ୍ଷାର ସମୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଅପରପକ୍ଷେ ସ୍ଥାନୀୟ ସରପଞ୍ଚ ଅମୂଲ୍ୟ ଧଳ କହିଛନ୍ତି, ଯେ କେତେକ ବୈଷୟିକ କାରଣରୁ ଏହି ରାସ୍ତା ହୋଇପାରିନାହିଁ । ୧୫ ଦିନ ମଧ୍ୟରେ ଏହି ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବ ବୋଲି ଶ୍ରୀ ଧଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.