ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ବ୍ଲକ ବୈତରଣୀ ନଦୀ ତଟ ନେରଡ଼ା ଗ୍ରାମର “ମା ସୁବର୍ଣ୍ଣମୁଖୀ”ଙ୍କ ପୀଠରେ ‘ଚଡ଼କ ଯାତ୍ରା’ ଗତକାଲି ମଧ୍ୟ ରାତ୍ରରୁ ଆରମ୍ଭ ହୋଇଥିବା ଜଣାଯାଇଛି। ମା’ଙ୍କ ନିକଟରେ ଚଳିତ ବର୍ଷ ୨୦୬ ତମ ଚଡ଼କ ଯାତ୍ରାର ପ୍ରଥମ ପର୍ବ ନିଶାର୍ଦ୍ଧରେ ନିଶାବଳୀରୁ ଆରମ୍ଭ ହୋଇଥିଲା। ଏହାସହ କାଳିସୀଙ୍କ ନିର୍ଦ୍ଦେଶରେ ପାଞ୍ଚଘଣ୍ଟ ଠାକୁର ଗ୍ରାମ ପରିକ୍ରମା କରିଥିଲା। ୧୪ ତାରିଖ ପଣା ସଙ୍କ୍ରାନ୍ତୀ ପ୍ରତ୍ୟୁଷରେ ମାନସିକ ବଳି, ଘଣ୍ଟା, କୁକ୍କୁଟ, ସୁନା ମୋକଟ, ରୂପା ମୋକଟ, ମାଟି ଘୋଡା, ଷୋଡଶପୋଚାର ପୂଜା ହେବ। ବିଭିନ୍ନ ସନ୍ଧ୍ୟାରେ ମେଲୋଡି ଓ ଅପେରା ଅନୁଷ୍ଠିତ ପାଇଁ ପୂଜା କମିଟି ପକ୍ଷରୁ ବ୍ୟବସ୍ଥା ହୋଇଛି। ପର୍ବପାଳନ ଦିନମାନଙ୍କରେ ବିପୁଳ ସଂଖ୍ୟକ ଭକ୍ତଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଉଛି। ସ୍ଥାନୀୟ ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ବନ୍ଦୋବସ୍ତ କରାଯାଇଛି। ଯାତ୍ରା କମିଟି ପକ୍ଷରୁ ସୂଚନା କେନ୍ଦ୍ର ପ୍ରତିଷ୍ଠା ହେବା ସହ ଯାତ୍ରୀମାନଙ୍କୁ ସହାୟତା ନିମନ୍ତେ ସ୍ୱେଚ୍ଛାସେବୀ ନିଯୁକ୍ତି ଦିଆଯାଇଛି। ମାନସିକ ପୂରଣ ହୋଇଥିବା ଭକ୍ତମାନେ ମା’ଙ୍କୁ କୁକୁଡା ବଳିଗୁଡିକୁ ଛାଡ କରି ଦିଆଯାବ ବୋଲି ଜଣାଯାଇଛି। ଚଳିତ ବର୍ଷ ନୂତନ ଭାବେ ମନାସି ଥିବା ଭକ୍ତ ଗଣ ଆସନ୍ତା ବର୍ଷ ମାନସିକ ପୂରଣ ହେଲେ ଆଗାମୀ ବର୍ଷ ଯାତ୍ରା ସମୟରେ ମା’ଙ୍କ ପାଇଁ ଉପଚାର କରିବା ପାଇଁ ମନାସୀବେ।
ଯାତ୍ରାର ଶେଷ ଦିନ ୨୧ ତାରିଖରେ କାଳିସୀକୁ ମିଳିବାକୁ ଥିବା ସ୍ୱପ୍ନାଦେଶ ଅନୁଯାୟୀ ବୈତରଣୀ ନଦୀରେ ଭାସମାନ ଅବସ୍ଥାରେ ଥିବା ପୂର୍ବ ବର୍ଷର ଚରଖ ଖୁଣ୍ଟି ଅଣାଯାଇ ଚରଖ ବନ୍ଧାଯିବ। ଚରଖ ଖୁଣ୍ଟରେ ମା’ଙ୍କୁ ପୂଜାର୍ଚ୍ଚନା କରାଯାଇ ମା’ଙ୍କ ଦୋଳି ଖେଳ ପରେ ପାଟୁଆ, ଦେହୁରୀ ଓ ସାଧାରଣ ଭକ୍ତଗଣ ଦୋଳି ଖେଳବେ। ବିଧିମତେ ଅନ୍ୟାନ୍ୟ ପୂଜାର୍ଚ୍ଚନା କରାଯିବା ପରେ ଯାତ୍ରା ସମାପ୍ତି ଘୋଷଣା କରାଯିବ। ପୂର୍ବ ଭଳି ଚରଖ ଖୁଣ୍ଟକୁ ବୈତରଣୀ ନଦୀରେ ଭସାଇ ଦିଆଯିବ। ଏହି ଘଟଣା ମା’ଙ୍କ ଅଲୌକିକ ଲୀଳା ମଧ୍ୟରୁ ଅନ୍ୟତମ ବୋଲି ସ୍ଥାନୀୟ ଲୋକେ ତଥା ପୂଜକମାନେ ମତ ରଖନ୍ତି। ମୁଖ୍ୟପୂଜକ ବ୍ରଜକିଶୋର ପଣ୍ଡା ଓ ସାଥି ପୂଜାକାର୍ଯ୍ୟ, କୃଷ୍ଣଚନ୍ଦ୍ର ମାଝୀ ଦେହୁରୀ ଓ ମାଗୁଣି ଦଳାଇ କାଳିସୀ କାର୍ଯ୍ୟ ତୁଲାଉଛନ୍ତି। ପୂଜା କମିଟି ସଭାପତି ଭାଗବତ ପ୍ରସାଦ ଜେନା, ସମ୍ପାଦକ ଅନନ୍ତ କିଶୋର ଜେନାଙ୍କ ସମେତ ଗ୍ରାମବାସୀ ଉମାକାନ୍ତ ଜେନା, ଶ୍ୟାମସୁନ୍ଦର ଜେନା, ଜଗନ୍ନାଥ ଭାରତୀ, ଶ୍ରୀକାନ୍ତ ନାୟକ, ରବିନାରାୟଣ ନାୟକ, ହେମନ୍ତ ଜେନା, ମନୋଜ ମହାପାତ୍ର, ଜ୍ଞାନରଞ୍ଜନ ବାରିକ, କୃଷ୍ଣଚନ୍ଦ୍ର ବାରିକ, ଦାମୋଦର ଜେନା, ଗଣେଶ ଜେନା ପ୍ରମୁଖ ସଭ୍ୟମାନେ ମେଳା ପରିଚାଳନାରେ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଥିବା ଜଣାଯାଇଛି।