କେନ୍ଦ୍ରାପଡ଼ା, ୨ା୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରର ଖଡିଅଙ୍ଗସ୍ଥିତ ସି.ପି.ଆଇ.(ଏମ) ଜିଲ୍ଲା କାର୍ଯ୍ୟାଳୟରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ମୋଦି ସରକାର କର୍ପୋରେଟ ସପକ୍ଷରେ ଆଇନଗତ ପରିବର୍ତ୍ତନମାନ କରୁଛନ୍ତି। ୪୪ଟି ଶ୍ରମ ଆଇନ ପରିବର୍ତ୍ତନ କରି ଶ୍ରମିକ ବିରୋଧି ୪ଟି ଶ୍ରମ କୋର୍ଡରେ ପରିଣତ କରିଛନ୍ତି। ସେହିପରି ଚାଷୀମାନଙ୍କ ବିରୋଧରେ ଆଣିଥିବା ୩ଟି କଳା କୃଷି ଆଇନକୁ ବ୍ୟାପକ ଆନ୍ଦୋଳନ ଫଳରେ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି। ସମସ୍ତ ସରକାରୀ ଉଦ୍ୟୋଗକୁ ବିକ୍ରୀ ଚାଲିଛି। ବୀମା, ବ୍ୟାଙ୍କ, ପରିବହନ ସେବା, ବିମାନ ବନ୍ଦର, ଜଲପଥ ଓ ସ୍ଥଳପଥକୁ ବିକ୍ରୀ ଚାଲିଛି। ଦରଦାମରେ ନିୟନ୍ତ୍ରଣ ନାହିଁ। କରୋନା ମହାମାରୀରେ ଦେଶର ଆର୍ଥିକ ଅବସ୍ଥା ଭୁଷୁଡି ପଡିଥିଲା ବେଳେ ଆଦାନୀ ଓ ଆମ୍ବାନୀଙ୍କ ଶକ୍ତି ବୃଦ୍ଧି ହୋଇଛି। ଏହି ଭଳି ପରିସ୍ଥିତିରେ ମଇ ଦିବସ ପାଳନ ଅବସରରେ ପାର୍ଟିର ପତାକା ଉତ୍ତୋଳନ କରିଥିଲେ ବରିଷ୍ଠ ନେତା ମାଧବ ଦାସ ଓ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ ବରିଷ୍ଠ ନେତା ଜଗତଜୀବନ ଦାଶ। ମୁଖ୍ୟବକ୍ତା ଭାବେ ଜିଲ୍ଲା ସମ୍ପାଦକ ଗୟାଧର ଧଳ ବକ୍ତବ୍ୟ ରଖି କହିଲେ ଲାଲ ଝଣ୍ଡା ଶକ୍ତିଶାଳି ହେଲେ ହିଁ ଦେଶକୁ ରକ୍ଷା କରାଯାଇ ପାରିବ। ଅନ୍ୟମାନଙ୍କ ମଧ୍ୟରେ ଓଡିଶା କନଷ୍ଟ୍ରକସନ ୱାର୍କର୍ସ ୟୁନିଅନର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ମଲିକ, ନିରାକାର ସାହୁ, ମାନଭଞ୍ଜନ ଷଡଙ୍ଗୀ, ବିନୟ କୁମାର ମଲ୍ଲିକ, ମହେଶ୍ୱର ସାହୁ, ମୋହନ କୁମାର ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ।