Home ଜିଲ୍ଲା ପରିକ୍ରମା ସିବିଏସ୍‌ଇ ନିୟମକୁ ଭଦ୍ରକ ଓ ଅନ୍ୟ ଜିଲା ଘରୋଇ ଶିକ୍ଷାନୁଷ୍ଠାନର ଖୋଲାଖୋଲି ଉଲ୍ଲଂଘନ କାହା ସ୍ୱାର୍ଥରେ!

ସିବିଏସ୍‌ଇ ନିୟମକୁ ଭଦ୍ରକ ଓ ଅନ୍ୟ ଜିଲା ଘରୋଇ ଶିକ୍ଷାନୁଷ୍ଠାନର ଖୋଲାଖୋଲି ଉଲ୍ଲଂଘନ କାହା ସ୍ୱାର୍ଥରେ!

28

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାବୋର୍ଡ (ସିବିଏସ୍‌ଇ) ନିୟମକୁ ଭଦ୍ରକ ତଥା ଅନ୍ୟ ଜିଲାରେ ଘରୋଇ ଇଂରାଜୀ ଓ ଓଡିଆ ମିଡିୟମ୍ ସ୍କୁଲମାନେ ଖୋଲମ ଖୋଲା ଉଲ୍ଲଂଘନ କରୁଥିବାର ଦେଖାଯାଇଛି। ଏଠାରେ ସୂଚନାଯୋଗ୍ୟ ବିଭିନ୍ନ ଜିଲାମାନଙ୍କରେ ଛତୁ ଫୁଟିଲା ଭଳି ସିବିଏସ୍‌ଇ (ଇଂଲିଶ୍ ମିଡିୟମ୍ ସ୍କୁଲ) ଗଢିଉଠୁଛି। ସେଥିମଧ୍ୟରୁ କେତେକ ସିବିଏସ୍‌ଇ ସ୍ୱୀକୃତିପ୍ରାପ୍ତ ହୋଇଥିବାବେଳେ ଅନ୍ୟ କେତେକ ସେଥିବରୁ ବାଦ୍ ପଡିଛନ୍ତି। ଏହି ବିଦ୍ୟାଳୟ ଗୁଡିକୁ କିଛି ଅସାଧୁ ବ୍ୟକ୍ତିବିଶେଷ ବ୍ୟବସାୟର ମାଧ୍ୟମ କରିଛନ୍ତି। ଶିକ୍ଷା ନାମରେ ଅଭିଭାବକମାନଙ୍କ ଠାରୁ ବିଭିନ୍ନ ଉପାୟରେ ଅର୍ଥ ଶୋଷଣ କରିଚାଲିଛନ୍ତି। ନା ଅଛି ଶିକ୍ଷଣ ପ୍ରାପ୍ତ ଶିକ୍ଷକ, ଭିତ୍ତିଭୂମି ନା ଶିକ୍ଷା ଉପକରଣ। କିଛି ନଥାଇ ମଧ୍ୟ ବିଭିନ୍ନ ଭଡାଘର ଓ ବିଦ୍ୟାଳୟ ପାଇଁ ଅନୁପଯୁକ୍ତ କୋଠାଘରେ ଏହି ବିଦ୍ୟାଳୟମାନ ଚାଲୁଅଛି। କୌଣସି ଭିତ୍ତିଭୂମି ନଥାଇ ବିଦ୍ୟାଳୟ ଗୁଡିକ ଦୀର୍ଘବର୍ଷ ଧରି ଏହିଭଳି ଅବ୍ୟବସ୍ଥା ମଧ୍ୟରେ ଚାଲିଆସୁଥିବାବେଳେ ଏଥିପ୍ରତି ସିବିଏସ୍‌ଇର କୌଣସି କର୍ତ୍ତୃପକ୍ଷ ନା ଜିଲା ଶିକ୍ଷାଧିକାରୀ ଏ ଦିଗରେ ଜାଣି ମଧ୍ୟ ଅଜଣା ଭଳି ଚୁପ୍ ରହିଛନ୍ତି। ନିଜ ଇଚ୍ଛା ଅନୁସାରେ ପିଲାଙ୍କ ଠାରୁ ଆଡମିଶନ ଠାରୁ ଆରମ୍ଭ କରି ରିଆଡମିଶନ, ମାସିକ ଦରମା, କ୍ୟାଣ୍ଟିନ ବାବଦକୁ ହଜାର ହଜାର ଟଙ୍କା ଠକିନେଉଥିବାବେଳେ ପିଲାମାନଙ୍କର ପଢାର ସେଭଳି କୌଣସି ସୁଫଳ ଦେଖିବାକୁ ମିଳୁନାହିଁ। ଯାହାଦ୍ୱାରା ବହୁ ଅଭିଭାବକଙ୍କ ମହଲରେ ଘୋର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସରକାରୀ ସ୍କୁଲମାନଙ୍କର ଅବ୍ୟବସ୍ଥା ଯୋଗୁଁ ସାଧାରଣ ଲୋକଟିଏ ତା ପିଲାର ଭବିଷ୍ୟତ ପାଇଁ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ନିଜ ପେଟକୁ କାଟି ଖର୍ଚ୍ଚ କରିଥାଏ।

କିନ୍ତୁ ଆଜିର ଏହି ଘରୋଇ ଶିକ୍ଷାନୁଷ୍ଠାନମାନଙ୍କରେ ଯେଭଳି ବ୍ୟବସାୟିକ ମୁନାଫାଖୋର ମନମୁଖୀ କାର୍ଯ୍ୟ ଯୋଗୁଁ ପିଲାମାନଙ୍କର ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ହୋଇଯାଉଛି। ଏଠାରେ ସୂଚନାଯୋଗ୍ୟ କେନ୍ଦ୍ରୀୟ ଶିକ୍ଷାବୋର୍ଡର ନିୟମାବଳୀ ଅନୁଯାୟୀ ଉପରୋକ୍ତ ବିଦ୍ୟାଳୟ ଗୁଡିକରେ କୌଣସି ପାଠ୍ୟ ପୁସ୍ତକ, ଖାତା, ପୋଷାକ, ଜୋତା, ବ୍ୟାଗ୍ ଓ ଅନ୍ୟାନ୍ୟ ଉପକରଣ ବିକ୍ରି କରିପାରିବେ ନାହିଁ। ମାତ୍ର ଦେଖାଯାଉଛି ଏହି ବିଦ୍ୟାଳୟ ଗୁଡିକ ବ୍ୟବସାୟୀକରଣ ନୀତି ଅବଲମ୍ବନ କରି ଏଗୁଡିକୁ ଉଚିତ୍ ମୂଲ୍ୟ ଠାରୁ ଅଧିକ ଦରରେ ଅଭିଭାବକମାନଙ୍କୁ ବିକ୍ରୟ କରିଆସୁଛନ୍ତି। ଏହା ଜାଣି ମଧ୍ୟ ନିଜ ପିଲାମାନଙ୍କ ଭବିଷ୍ୟତକୁ ଆଖିଆଗରେ ରଖି ଅଭିଭାବକମାନେ ଚୁପ୍ ରହିବାକୁ ବାଧ୍ୟ ହେଉଛନ୍ତି। ଏ ସଂପର୍କରେ ଜଣେ ଅଭିଭାବକ ନିଜର ନାମ ଗୋପନ ରଖି ଏ ପ୍ରତିନିଧିଙ୍କୁ କହିଛନ୍ତି ଯେ ବଜାର ଗୁଡିକରେ ଯେଉଁ ବହି ଖାତା ଓ ଉପକରଣ ଗୁଡିକର ମୂଲ୍ୟ ୫୦ ପ୍ରତିଶତରେ ମିଳୁଛି, ତାହାକୁ ଏମାନେ ୧୦୦ ପ୍ରତିଶତରେ ବିକ୍ରୟ କରୁଛନ୍ତି। ଏ ସଂପର୍କରେ ଭୁବନେଶ୍ୱରସ୍ଥିତ ସିବିଏସ୍‌ଇ ଆଞ୍ଚଳିକ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରେ ସେ ଏହା ସଂପୂର୍ଣ୍ଣ ବେଆଇନ୍ ବୋଲି କହି ଏ ଦିଗରେ ଉଚିତ୍ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଛନ୍ତି। ଏ ସଂପର୍କରେ ଉପରୋକ୍ତ ବିଦ୍ୟାଳୟ ଗୁଡିକ ମଧ୍ୟରୁ କେତେକ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ପଚରାଯିବାରେ ସେମାନେ ଏହା ବେଆଇନ୍ ବୋଲି ସ୍ୱୀକାର କରି ବହି, ଖାତା ଓ ଉପକରଣ ଗୁଡିକୁ ସେମାନେ ଅଭିଭାବକମାନଙ୍କ ଚାପରେ ଯୋଗାଉଥିବାର କହିଛନ୍ତି। ଏବଂ ବିଶେଷକରି ବହିଗୁଡିକ ଠିକ୍ ସମୟରେ ବଜାରରେ ଉପଲବ୍ôଧ ହେଉନଥିବାରୁ ସେମାନେ ବହୁ ପୂର୍ବରୁ ଅର୍ଡର କରି ସେଗୁଡିକୁ ଗଚ୍ଛିତ ରଖି ପିଲାମାନଙ୍କୁ ଯୋଗାଉଥିବାର କହିଛନ୍ତି। ତେବେ ଓଡ଼ିଶା ଘରୋଇ ବିଦ୍ୟାଳୟ ଅଭିଭାବକ ସଂଘର ସଭାପତି ବାସୁଦେବ ଭଟ୍ଟ ତାଙ୍କ ପ୍ରତିକ୍ରିୟାରେ ଏଭଳି କାର୍ଯ୍ୟକୁ ସଂପୂର୍ଣ୍ଣ ଭାବେ ବିରୋଧ କରି ଏହା ବେଆଇନ୍ ହୋଇଥିବାରୁ ରାଜ୍ୟ ସରକାର ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.