Home ଜିଲ୍ଲା ପରିକ୍ରମା ସାହିରାସ୍ତା ଫାଟି ଆଁ : ବିପଦ ସଂକୁଳ ପରିସ୍ଥିତିରରେ ଯାତାୟତ କରୁଛନ୍ତି ଗ୍ରାମବାସୀ

ସାହିରାସ୍ତା ଫାଟି ଆଁ : ବିପଦ ସଂକୁଳ ପରିସ୍ଥିତିରରେ ଯାତାୟତ କରୁଛନ୍ତି ଗ୍ରାମବାସୀ

85

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ମୌଳିକ ସୁବିଧା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ଡିଣ୍ଡିମ ପିଟୁଥିବାବେଳେ ଏହି ଅର୍ଥର ସଦୁପଯୋଗ ସଠିକ୍ ଭାବରେ ହେଉନଥିବା ପରିଲକ୍ଷିତ ହେଉଛି । ଏହିପରି ଉଦାହରଣ ରାଉତସାହି ଓ ଧଳସାହିକୁ ଦେଖିଲେ ଅନୁମାନ କରିହେବ । ଏହି ଜିଲାର ବନ୍ତ ବ୍ଲକ୍ ବଡବର୍ଚ୍ଚିକୟାଁ ପଂଚାୟତ ନ୧ମ୍ବର ୱାର୍ଡ ଅନ୍ତର୍ଗତ ଏହି ଦୁଇ ସାହି । ଏହି ଦୁଇ ସାହି ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କ ନଜର ଆଢୁଆଳରେ ରହିଯାଇଛି । ସାମାନ୍ୟ ମୌଳିକ ସୁବିଧା ସୁଯୋଗ ପାଇବାରୁ ସେମାନେ ବଂଚିତ ହୋଇଆସୁଛନ୍ତି । ଏହି ଛୋଟିଆ ଦୁଇସାହି ଯାହାର ଲୋକସଂଖ୍ୟା ପାଖାପାଖି ୩ ଶହ । ମାତ୍ର ଏଠାକୁ ଭଲ ରାସ୍ତାଟିଏ ନାହିଁ । ଆଗରପଡା-ଭଦ୍ରକ ପୂର୍ତ୍ତ ବିଭାଗ ରାସ୍ତାର ବିଶଲକଣା ଛକ ଠାରୁ ବାଙ୍କତିରା ପର୍ଯ୍ୟନ୍ତ ଲମ୍ବିଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତାର ଆପ୍ତିରା ଛକ ହନୁମାନ ମନ୍ଦିର ପାଖରୁ ଏକ ରାସ୍ତା ଏହି ଗାଁକୁ ସଂଯୋଗ କରୁଛି । ପକାରାସ୍ତାଟି ମରାମତି ଅଭାବରୁ ଫାଟି ଆଁ କରିଛି । ଯଦ୍ୱାରା ଦୁଇଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ସଂକୁଳ । ଚାରିଚକିଆ ଯାନ ଯିବା, ରାସ୍ତା ସଂକୀର୍ଣ୍ଣତା ପାଇଁ ଆଦୌ ସମ୍ଭବ ନୁହେଁ । ସନ୍ଧ୍ୟାପରେ ଯିବା ଅର୍ଥ ବିପଦକୁ ଡାକି ଆଣିବା, କିନ୍ତୁ ଏହା ଉପରେ ଗାଁ ଲୋକମାନେ ଯାଆଆସ କରିଥାନ୍ତି । ଏଠାରୁ ଛାତ୍ରଛାତ୍ରୀ ଏହି ରାସ୍ତାଦେଇ ପ୍ରତିଦିନ କାଦବରାଙ୍ଗ, ବାଙ୍କତିରା, ହାଇସ୍କୁଲ, ଆପ୍ତିରା ସ୍କୁଲକୁ ଆଗରପଡା କଲେଜକୁ କୋମଳମତି ଶିଶୁ ଅଙ୍ଗନୱାଡି କେନ୍ଦ୍ରକୁ ଅଧ୍ୟୟନ ପାଇଁ ଆସିଥାନ୍ତି । ଦମକଳ କିମ୍ବା ଆମ୍ବୁଲାନ୍ସ ଖବର ପାଇ ଆସିଲେ ଏଠାରୁ ପ୍ରାୟ ୨୦୦ ମିଟର ଦୂରରେ ରହିଥାନ୍ତି । କାରଣ ଏହି ରାସ୍ତାରେ ଚାରିଚକିଆ ଗାଡି ଆସିବା ସମ୍ଭବପର ହୁଏନାହିଁ । ୧୨ ବର୍ଷ ପୂର୍ବେ ତତ୍‌କାଳୀନ ସରପଞ୍ଚ ସୁରେନ୍ଦ୍ର ଜେନାଙ୍କ ଉଦ୍ୟମରେ ଉକ୍ତ ସାହି ରାସ୍ତାଟି ପକ୍କାରାସ୍ତାରେ ପରିଣତ ହୋଇଥିଲା । ସେବେଠାରୁ ଆଜିପର୍ଯ୍ୟନ୍ତ ଆଉ କାହାରି ନଜର ଏହି ରାସ୍ତାରେ ପଡିନଥିବା ଗ୍ରାମର ସୁରେନ୍ଦ୍ର ରାଉତ, ଶଙ୍କର୍ଷଣ ଧଳ, ଅଭିମନ୍ୟୁ ଧଳ ଏବଂ ବଟକୃଷ୍ଣ ରାଉତ ପ୍ରମୁଖ ସାହିବାସୀ ଅଭିଯୋଗ କରିବା ସହ ଏହି ସମସ୍ୟାର ସମାଧାନ କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦୃଢ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.