Home ଜିଲ୍ଲା ପରିକ୍ରମା ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ନେଇ କଂଗ୍ରେସର ଉଦ୍‌ବେଗ

ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ନେଇ କଂଗ୍ରେସର ଉଦ୍‌ବେଗ

21

ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ରାସ୍ତାଘାଟ ଅତ୍ୟନ୍ତ ଦୟନୀୟ । ସହରର ମୁଖ୍ୟ ରାସ୍ତା ହେଉ କି ବିଭିନ୍ନ ୱାର୍ଡର ରାସ୍ତାଘାଟ ହେଉ ସମସ୍ତ ରାସ୍ତା ଆଉ ରାସ୍ତା ଅବସ୍ଥାରେ ନାହିଁ । ଏହାକୁ ମରାମତି କରାଯାଉ ନଥିବାରୁ କଂଗ୍ରେସ ଉଦ୍‌ବେଗ ପ୍ରକଟ କରିଛି । ଏହା ଛଡ଼ା ସହରର ଅନତି ଦୂରରେ ଏବେ ନୂଆ ମେଡ଼ିକାଲ ସ୍ଥାପନ ହୋଇଛି । ମାତ୍ର ଉକ୍ତ ମେଡ଼ିକାଲକୁ ଯିବା ପାଇଁ ସର୍ଭିସ୍ ରୋଡ଼ ମଧ୍ୟ ନାହିଁ । ରୋଗୀମାନେ ଦୟନୀୟ ହୋଇ ବିପଦପୂର୍ଣ୍ଣ ରାସ୍ତା ରାଜପଥ ଉପରେ ଏବଂ ରାଜପଥ ପାର ହୋଇ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି । ନଳାଙ୍ଗଠାରେ ସ୍ଥାପିତ ଭଦ୍ରକ କୋର୍ଟକୁ ଶହଶହ ଓକିଲଙ୍କ ସମେତ ପ୍ରତ୍ୟହ ହଜାର ହଜାର ଲୋକ ଯାଉଛନ୍ତିି । ମାତ୍ର ଏଠାକୁ ଯିବାକୁ ହେଲେ ରାଜପଥ ହିଁ ପ୍ରମୁଖ ମାଧ୍ୟମ । ଏଠାକୁ ଯାତାୟତ ପାଇଁ ସର୍ଭିସ ରୋଡ଼୍‌ର ଆବଶ୍ୟକତା ଜରୁରୀ । ଭଦ୍ରକ ସହରର ପ୍ରମୁଖ ସ୍ଥାନ ହେଉଛି ବନ୍ତଛକ । ବନ୍ତଛକ ଠାରୁ ଆରଡି ଛକ ପର୍ଯ୍ୟନ୍ତ ଯାଇଥିବା ସର୍ଭିସ୍ ରୋଡ଼ ପାର୍ଶରେ ରହିଛି ନେହେରୁ ଷ୍ଟାଡ଼ିୟମ । ଏହି ଷ୍ଟାଡ଼ିୟମରେ ସରକାରୀ ସ୍ତରରେ ପ୍ରାୟତଃ ସବୁ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ସେହି ସମୟରେ ବନ୍ତଛକଠାରୁ ଟ୍ରାଫିକ ବନ୍ଦ କରାଯାଉଥିବାରୁ ଲୋକେ ଯିବା ଆସିବା କରିବା ପାଇଁ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି । ସେହିପରି ଏହି ସର୍ଭିସ୍ ରୋଡ଼ ଦେଇ ଫେକର ପାୱାର ପ୍ଲାଣ୍ଟକୁ କଞ୍ଚାମାଲ ଟ୍ରକ୍ ଯୋଗେ ପରିବହନ ହେଉଛି ।

ଫଳରେ ବହୁ ସମୟରେ ଦୁର୍ଘଟଣା ଘଟି ପ୍ରାଣହାନୀ ହେଉଛି । ଯଦି ନଳାଙ୍ଗ ଓ ଗେଲପୁର ମଧ୍ୟ ଅଞ୍ଚଳରୁ ଏକ ରାସ୍ତା ଜମି ଅଧିଗ୍ରହଣ କରାଯାଇ ରାନ୍ଦିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଗଲେ ଏହି ଦୁର୍ଘଟଣା ଏବଂ ଜାମ୍‌କୁ ଏଡ଼ାଇ ଦିଆଯାଇ ପାରିବ । ଏହା ବ୍ୟତୀତ ବନ୍ତଛକରେ ଏକ ବଡ଼ ଟ୍ରାଫିକ୍ ସର୍କଲ କରାଯିବାକୁ କଂଗ୍ରେସର ଜିଲ୍ଲା ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହାଛଡ଼ା ଚରମ୍ପା ଏଲ୍‌ସି ୧୧୯ ଫ୍ଲାଏ ଓଭରବ୍ରିଜର ଆପ୍ରୋଚ୍ ସର୍ଭିସ୍ ରୋଡ ତୁରନ୍ତ କରାଯିବା ସହିତ ଏନ.ଏଚ. ୧୬ରୁ ଗୁଣ୍ଠୁଣିଆ ବଜାର ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ କରିବାକୁ ଶ୍ରୀ ରାୟମହାପାତ୍ର ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଅମିତାବାଳା ଆଚାର୍ଯ୍ୟ, ଜିଲ୍ଳା ଯୁବ କଂଗ୍ରେସ ଉପସଭାପତି ବଳରାମ ରାଉତ, ଭଦ୍ରକ ବିଧାନସଭା ଯୁବ କଂଗ୍ରେସ ନଗର ସଭାପତି ସୁଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.